ବିଶ୍ୱ ଯକ୍ଷ୍ମା ଦିବସ
ଆସିକା (ୱାଇଏନ୍ଏସ୍): ବ୍ରହ୍ମପୁର ମହାନଗର ନିଗମର ବୈଠକ ଗୃହରେ ସିଡିଏମ୍ଓ ଡା.ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଥିବା ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ସମ୍ମାନିତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ପାଣ୍ଡିଆପଥର, ଗଙ୍ଗାପୁର, ଚଢେୟାପଲ୍ଲୀ, ସିଦ୍ଧନଇ, ଆଲିପୁର, ବେଣାପାଟ, ବାଲିଛାଇ, ହରିଡାପଦର, ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଯକ୍ଷ୍ମାମୁକ୍ତ ହୋଇଥିବା ଜଣାପଡିଛି । ଆସିକା ଅଞ୍ଚଳରେ ଯକ୍ଷ୍ମାକୁ ନିରାକରଣ ଓ ନିୟନ୍ତ୍ରଣ ଦିଗରେ ଉତ୍ତମ ପଦକ୍ଷେପ ସ୍ୱରୂପ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରା ଏବଂ ଯକ୍ଷ୍ମା ବିଭାଗର ବରିଷ୍ଠ ଚିକିତ୍ସା ପରିଦର୍ଶିକା ସଙ୍ଗୀତା ରାଣୀ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିବା ଜଣାପଡିଛି । ବ୍ରହ୍ମପୁର ମହାନଗର ନିଗମର ବୈଠକ ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ପଦାଧିକାରୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ଜଣାପଡିଛି । ଯକ୍ଷ୍ମା ରୋଗୀଙ୍କୁ ଔଷଧ ସହିତ ପୌଷ୍ଠିକ ଖାଦ୍ୟ ଯୋଗାଇଦେବା ଏବଂ ଯକ୍ଷ୍ମା ରୋଗୀ ଯେପରି ନିୟମିତ ଔଷଧ ଖାଇବେ ଏବଂ ଚିକିତ୍ସା ଅଧାରୁ ଔଷଧ ଛାଡିବେ ନାହିଁ ତାହାକୁ ନିଶ୍ଚିତ କରିବା ସହ ଯକ୍ଷ୍ମା ରୋଗୀଙ୍କୁ ମାନସିକ ସାହସ ଦେବା ଲକ୍ଷ୍ୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଯକ୍ଷ୍ମା ବିଭାଗର ବରିଷ୍ଠ ଔଷଧ ପରିଦର୍ଶିକା ସଙ୍ଗୀତାରାଣୀ ସ୍ୱାଇଁ, ଚିକିତ୍ସାଳୟ ପରିଚାଳକ ବିଶ୍ୱଜିତ୍ ପ୍ରଧାନ, ଆସିକା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ କର୍ମଚାରୀ ଦୀପକ କୁମାର ରାଉତଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସଚେତନତା କାର୍ଯ୍ୟକ୍ରମକୁ ଦିନକୁ ଦିନ ବ୍ୟାପକ କରୁଥିବା ଦେଖିବାକୁ ମିଳୁଛି । ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଅଭିଯାନ ଏବଂ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଲାଗି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ସମ୍ମାନିତ ହେବା ନିଶ୍ଚିତ ଭାବେ ଏକ ଖୁସିର ଖବର ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି ।


