ବିଶ୍ୱ ବୈଦିକ ପରିବାରର ବାର୍ଷିକ ସମ୍ମିଳନୀ
ମୁନିଗୁଡା,୧୨/୪ (ନନ୍ଦ କିଶୋର ପଟ୍ଟନାୟକ):ମୁନିଗୁଡା ନିକଟସ୍ଥ କୁଟିଂଗୁଡ଼ା ସ୍ଥିତ ବେଦ ନିକେତନ ପରିସରରେ ବିଶ୍ଵ ବୈଦିକ ପରିବାରର ୪୩ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ବୈଦିକ ପରିବାରର ପ୍ରତିଷ୍ଠାତା ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦ୍ ଜୀଙ୍କ ପୌରୋହିତ୍ୟରେ ଦୁଇ ଦିନ ଧରି ପ୍ରବଚନ,ଭଜନ, ଯୋଗାସନ ଓ ପ୍ରାଣାୟାମ ପ୍ରଶିକ୍ଷଣ ଶିବିର,ନଗର କୀର୍ତ୍ତନ ଓ ବୈଦିକ ମହାଯଜ୍ଞ କାର୍ଯ୍ୟକ୍ରମ କରିବା ସହ ସବୁବେଳେ ସତ୍ ଚିନ୍ତନ ଓ ସତ୍ କର୍ମ ମାଧ୍ୟମରେ ଆତ୍ମ ବିକାଶ କରିବା ପାଇଁ ଏବଂ ସଂସାରରେ କାହାପ୍ରତି ଶତ୍ରୁତା ଆଚରଣ ନକରିବା ହିଁ ପ୍ରକୃତ ଆଧ୍ୟାତ୍ମିକତା ବୋଲି ସେ ଗୁରୁତ୍ଵ ଆରୋପ କରିଥିଲେ । ସେହିପରି ଅନୁଷ୍ଠାନର ସହ ପରିଚାଳକ ସୀମାଞ୍ଚଳ ପଟ୍ଟନାୟକ ସମାଜରୁ ଅନ୍ଧ ବିଶ୍ବାସ ଓ କୁସଂସ୍କାର ଦୂର କରି ସତ୍ୟ ସନାତନ ବୈଦିକ ଧର୍ମ ର ପୁନଃ ପ୍ରତିଷ୍ଠା ଲକ୍ଷ୍ୟ ନେଇ ଅନୁଷ୍ଠାନ କାର୍ଯ୍ୟରତ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ଶୋଢ଼ଶ ସଂସ୍କାର ବିଧି ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ,ନିଶା ନିବାରଣ,ବ୍ୟକ୍ତିତ୍ଵ ବିକାଶ ତାଲିମ,ଦାନ ଉତ୍ସବ ଇତ୍ୟାଦି କାର୍ଯକ୍ରମ ଅନୁଷ୍ଠାନ ଦୀର୍ଘ ୪୩ ବର୍ଷ ଧରି ସମ୍ପାଦନ କରି ଆସୁଛି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତ୍ତା ସର୍ବଶ୍ରୀ ଏମ ସନ୍ନ୍ୟାସୀ ରାଓ,ବିମଳେନ୍ଦୁ ପାଢ଼ୀ, କମଳାକାନ୍ତ ପଟ୍ଟନାୟକ,ବିଦ୍ୟାଧର ଶବର, ତପସ୍ୱିନୀ ପଟ୍ଟନାୟକ,ସନ୍ତୋଷ ବାଡତିଆ, ଗୌରୀ ଶଙ୍କର ସେନାପତି,ଭଗବାନ ହୁଇକା,ସୁଶୀଳା ସାହୁ,ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଓଡ଼ିଶା ଓ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ଶତାଧିକ ସାଧକ,ସାଧିକା ସାଥୀ ଓ ସହଯୋଗୀ ମାନେ ଯୋଗ ଦେଇଥିଲେ। ଶେଷରେ ଯୁଗଳ କିଶୋର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।


