ବିଶ୍ୱ ଧଳାବାଡ଼ି ଦିବସ ପାଳିତ
ବାଲେଶ୍ବର(ସରୋଜ ପଣ୍ଡା): ଜାତି ସଂଘ ଦ୍ଵାରା ୧୯୮୨ ମସିହାକୁ ଆନ୍ତର୍ଜାତିକ ଦୃଷ୍ଟିହୀନ ବର୍ଷରୂପେ ଘୋଷଣା ପରଠାରୁ ପ୍ରତିବର୍ଷ ଅକ୍ଟୋବର ୧୫ ରୁ ୨୨ ପର୍ଯନ୍ତ ସମଗ୍ର ବିଶ୍ଵରେ “ଧଳା ବାଡି ସପ୍ତାହ ରୂପେ ପାଳନ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ସମାଜର ଦୃଷ୍ଟିବାଧିତ ବ୍ୟକ୍ତିର ମୁଖ୍ୟ ସମସ୍ୟା। “ଚଳନ ଶୀଳତ।” ସମ୍ବନ୍ଧରେ ସଚେତନ କରାଇବା।ଏଥି ପାଇଁ ରାଣୀପଟଣା ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ଧଳାବାଡ଼ି ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ଧଳାବାଡ଼ି ଧରି ସଚେତନତା ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରାକୁ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ , ମେଜର କର୍ଣ୍ଣେଲ କେ ମହାପାତ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସହଯୋଗ ପ୍ରଦାନ ଉଦ୍ଦେଶ୍ୟରେ ଧଳାବାଡ଼ି ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଶାସକ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ଧଳାବାଡି ଦିବସ ପାଳନର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ରୋଟାରିଆନ କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର ଏଥିରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ସାମୁହିକ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସ ସଭାପତିତ୍ୱ କରିଥିଲେ । ଏଥିରେ ଶିକ୍ଷକ ସୁନୀଲ କୁମାର ବିଶ୍ୱାଳ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶ୍ରୀ ନବୀନ କୁମାର ବେହେରା ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ବିଶିଷ୍ଟ ବ୍ୟକ୍ତି ଶ୍ରୀ ପଦର୍ବିନ୍ଦ ମହାପାତ୍ର, ସବିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଧଳାବାଡ଼ି ଦିବସ ପାଳନରେ ସକ୍ରିୟ ସହଯୋଗ କହିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।