ଖମ୍ବେଶ୍ୱରୀପାଟଣା ପ୍ରାଥମିକ ବିଦ୍ୟାଳୟରେ ମା ସରସ୍ୱତୀଙ୍କୁ ଆରାଧନା
ଆସିକା (ୱାଇଏନ୍ଏସ୍) :ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସଦର କ୍ଳଷ୍ଟରର ଖମ୍ବେଶ୍ୱରୀପାଟଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ଉତ୍ସାହ ଓ ଉଦ୍ଦୀପନାର ବାଗ୍ଦେବୀ, ବିଦ୍ୟାଦାୟିନୀ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖମ୍ବେଶ୍ୱରୀପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷ କୁମାରୀ ଶତପଥୀ ଓ ସହକାରୀ ଶିକ୍ଷକ ଶିବଶଙ୍କର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ ଓ ଉତ୍ସାହ ଭରି ରହିଥିଲା ବେଳେ ଛାତ୍ରଛାତ୍ରୀମାନେ ନିର୍ମଳ ଓ ସ୍ୱଚ୍ଛ ମନରେ ନିଷ୍ଠା ଏବଂ ଶ୍ରଦ୍ଧାର ସହ ମା ବାଗ୍ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ଭକ୍ତି ପୂର୍ବକ ବିଦ୍ୟାର ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଖମ୍ବେଶ୍ୱରୀପାଟଣା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷ କୁମାରୀ ଶତପଥୀ ଓ ସହକାରୀ ଶିକ୍ଷକ ଶିବଶଙ୍କର ଜେନା ଯୋଗଦେଇ ସାହସ ଓ ଦେଶପ୍ରେମର ପ୍ରତୀକ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ୍ କ୍ରାନ୍ତିକାରୀ ଯୋଦ୍ଧା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ସାହସ, ଦୃଢ ସଂକଳ୍ପ, ଅଦ୍ୱିତୀୟ ରଣନୀତି, ଦେଶପ୍ରେମ ଓ ସ୍ୱାଭିମାନର ଚିନ୍ତାଧାରା ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ଓ ବହୁ ଅଭିଭାବକ ଉପସ୍ଥିତ ଥିବା ପରିଲକ୍ଷିତ ହୋଇଥିଲା ।


