ଅଲଣା ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା ହେବା ପରେ ଅନୁଦାନ ଖର୍ଚ୍ଚ ହୋଇପାରୁ ନଥିବା ଗ୍ରାମବାସୀଙ୍କ ବିଡିଓଙ୍କୁ ଲିଖିତ ଅଭିଯୋଗ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ଗ୍ରାମପଂଚାୟତ ଅଲଣା ଗ୍ରାମକୁ ସରକାରଙ୍କ ତରଫରୁ ଆଦର୍ଶ ଗ୍ରାମ ରୂପେ ମାନ୍ୟତା ପାଇଛି। କିନ୍ତୁ ଏହି ଗ୍ରାମକୁ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନ ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ଖର୍ଚ୍ଚ କରାଯାଇ ପାରୁ ନଥିବା ଗ୍ରାମର ଦଳିତ ପରିବାର ପକ୍ଷରୁ ସୋମବାର ବିଡିଓ ନିରଞ୍ଜନ ପରିଡାଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ଦଳିତ ପରିବାରର ଖତୁଦାସ,ଶକ୍ତି ପ୍ରସାଦ ଦାସ,ଅଜୟ ଗୋଚ୍ଛାୟତ,ତ୍ରିଲୋଚନ ଦାସ,ବିନ୍ଦୁ ଭୋଇ,ରଥ ଦାସ ଆଦିଙ୍କ ଅଭିଯୋଗ ମୁତାବକ ଆମ ଗ୍ରାମଟି ଆଦର୍ଶ ଗ୍ରାମର ମାନ୍ୟତା ପାଇବା ପରେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସହାୟତା ପାଣ୍ଠି ପ୍ରଦାନ କରାଯାଇଛି। ବିଶେଷକରି ଏହି ପାଣ୍ଠିରେ ଦଳିତ ବସ୍ତିବାସିନ୍ଦାଙ୍କ ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହିତ ପରେ ଗ୍ରାମରେ ରହିଥିବା ଅନ୍ୟ।।ନ୍ୟ ଉନ୍ନତି ମୂଳକ କାର୍ଯ୍ୟ କରାଯିବ। ପ୍ରଦାନ ପାଣ୍ଠି କିପରି ବିନିଯୋଗ କରାଯିବ ସେ ସଂକ୍ରାନ୍ତରେ ଗ୍ରାମରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଅଧ୍ୟକ୍ଷ ଭାବେ ସରପଂଚ ଓ ସଂପାଦକ ଭାବେ ଉକ୍ତ ଗ୍ରାମର ୨ଜଣ ଦଳିତ ଓାର୍ଡ ସଭ୍ୟ ରହିଥିଲେ। ତତ୍ ସହିତ ଗ୍ରାମର କିଛି ବ୍ୟକ୍ତି ବିଶେଷ ସଦସ୍ୟ ଭାବେ ରହିଥିଲେ। ଗ୍ରାମକୁ ଆସୁଥିବା ଅନୁଦାନ କିପରି ସୂଚାରୁରୂପେ ଖର୍ଚ୍ଚ କରାଯିବ ସେ ବିଷୟରେ ଆଲୋଚନା କରାଯାଇ ଏକ ବିବରଣୀ ଲେଖା ଯାଇଥିଲା। ଏହି ବିବରଣୀକୁ କମିଟିରେ ଥିବା ସମସ୍ତ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିଲା। ଆମ ଗ୍ରାମକୁ ଲାଗି ଜଗତସିଂହପୁର ବ୍ଳକର କିଛି ଗ୍ରାମ ରହିଛି। ବର୍ତମାନ ଆମ୍ଭେ ଜାଣିବାକୁ ପାଇଲୁ ଯେ ଉକ୍ତ ଗ୍ରାମର କିଛି ପିଲା ରାଜନୈତିକ ଉଦ୍ଦେଶ୍ୟ ରଖି ଆମ ଗ୍ରାମର କିଛି ଦୃଷ୍ଟ ପ୍ରକୃତିର ପିଲାଙ୍କୁ ଧରି ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ତେଣୁ ଆମ ଗ୍ରାମର ଉଭୟ ପକ୍ଷଙ୍କୁ ଡାକି କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇ ସୂଚାରୁରୂପେ କାର୍ଯ୍ୟ କରାଯାଉ। ଯଦି ଗ୍ରାମ ବାହାର ପିଲା ଏହି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ତେବେ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେବ ଓ ଉନ୍ନୟନମୂଳକ କାର୍ଯ୍ୟ କରାଯାଇପାରିବ ନାହିଁ। ତେଣୁ ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଭିଯୋଗରେ ଦର୍ଶାଯାଇଛି। ଏସଂପର୍କରେ ବିଡିଓ ନିରଞ୍ଜନ ପରିଡାଙ୍କୁ ପଚାରିବାରେ ଅଭିଯୋଗର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।


