ବିଶ୍ୱ ଯୋଗଦିବସ ଅବ୍ୟବହିତ ପୂର୍ବରୁ ଯୋଗଯାତ୍ରା
ବାଲେଶ୍ୱର (ସରୋଜ ପଣ୍ଡା): ଆଜି ପ୍ରଭାତରେ ଆନ୍ତର୍ଜାତିକ ଯୋଗଦିବସ ଜୁନ୍ ୨୧ ତାରିଖକୁ ଠିକ୍ ଏକମାସ ରହିଥିବାରୁ ଅବଗଣନା ଉତ୍ସବ ସ୍ୱରୂପ ଏକ ଯୋଗଯାତ୍ରାର ଜାଗରଣ ଲୋକମାନଙ୍କ ମଧ୍ୟରେ ଉଦ୍ରେକ କରାଇବା ପାଇଁ ହୋଲିଷ୍ଟିକ୍ ହିଲିଙ୍ଗ୍ ଯୋଗ ଶିକ୍ଷା କେନ୍ଦ୍ର, ବାଲେଶ୍ୱର ତରଫରୁ ଆୟୋଜିତ କରାଯାଇଥିଲା। ଯୋଗ କେନ୍ଦ୍ରର ସାଧକ ସାଧିକା ଏକ ଶୋଭାଯାତ୍ରାରେ ଯୋଗର ସ୍ଲୋଗାନ୍ମାନ ଦେଇ ସହର ପରିକ୍ରମା କରିଥିଲେ। ଲୋକମାନଙ୍କର ଉତ୍ସୁକତା ସ୍ୱରୂପ ସମସ୍ତଙ୍କୁ ଯୋଗ ଚିକିତ୍ସା ମାଧ୍ୟମରେ କିଭଳି ସମସ୍ତେ ସୁସ୍ଥତା ପାଇପାରିବେ ସେ ବିଷୟରେ ପଥପ୍ରାନ୍ତ ଯୋଗ ଶିବିର ମାଧ୍ୟମରେ ବୁଝାଇଥିଲେ। ସମସ୍ତ ବିଶ୍ୱବାସୀଙ୍କୁ ଯୋଗ ଯେ ଏକ ଅଦ୍ୱିତୀୟ ଚିକିତ୍ସା ପଦ୍ଧତି ଓ ଯୋଗ ମାଧ୍ୟମରେ ସମସ୍ତ ପ୍ରକାର ରୋଗର ସମାଧାନ ହେବା ସହିତ ଏକ ସୁସ୍ଥ ବିଶ୍ୱ ଗଠନରେ ସହାୟକ ହୋଇପାରିବ – ଏହି ସଚେତନତା ପାଇଁ ଜୁନ୍ ୨୧ ତାରିଖ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୁଏ। ଆଜକୁ ଆଉ ମାତ୍ର ୩୦ ଦିନ ବାକି ଥିବାବେଳେ ଆଜିଠାରୁ ଲୋକମାନଙ୍କ ମଦ୍ୟରେ ସେହି ଯୋଗୀ ହେବାର ଭାବନାକୁ ଜାଗ୍ରତ କରିବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା। ଯୋଗକେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସାଧକ ସାଧିକା ଏଥିରେ ଭାଗ ନେଇଥିଲେ।