ଯୁବଡାକ୍ତରଙ୍କୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର,(ସରୋଜ ପଣ୍ଡା) : ଫକୀରମୋହନ ମେଡିକାଲ୍ କଲେଜରୁ ୩ୟ ବ୍ୟାଚରେ କୃତିତ୍ୱର ସହ ଡାକ୍ତରୀ ଶିକ୍ଷା ସମାପ୍ତ କରିଥିବା ୯୮ଜଣ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁବାର ଦିନ ଅପରାହ୍ନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରତିରକ୍ଷା ବିଭାଗର ‘ରୋମି’ ସଭାଗୃହରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଆଇଟିଆରର ଆଡିସିନାଲ୍ ଡାଇରେକ୍ଟର ଡ. ନୀଳାଦ୍ରି ଭୂଷଣ ରାୟ ଯୋଗ ଦେଇ ଡାକ୍ତରୀ ଶିକ୍ଷା ସମାପ୍ତ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଗ ଦେବାକୁ ଯାଉଥିବା ନୂତନ ଡାକ୍ତରମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ଦୀର୍ଘଯାତ୍ରାରେ ସମାଜର ସମସ୍ତ ବର୍ଗର ଜନଗଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବେ ବୋଲି ଆଶା ପ୍ରକାଶ କରିଥିଲେ। ଆମ ରାଜ୍ୟରେ କଟକ ମେଡିକାଲ୍ କଲେଜ ପରେ ଫକୀରମୋହନ ମେଡିକାଲ୍ କଲେଜରେ ସର୍ବାଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ବାଲେଶ୍ୱରରେ ଏମ୍ସ ସେଟେଲାଇଟ୍ ସେଣ୍ଟରରେ ନିୟମିତ ସ୍ୱାସ୍ଥ୍ୟସେବାପାଇଁ ଉଦ୍ୟମ ହେଉଥିବାର ଶ୍ରୀ ରାୟ ପ୍ରକାଶ କରିଥିଲେ। କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଏହି ଉତ୍ସବର ଆୟୋଜିତ ସାଧାରଣ ସଭାରେ ଅଧ୍ୟକ୍ଷତା କରିଥିଲେ। ପ୍ରାକ୍ତନ ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନ ଓ ମମତା ମହାପାତ୍ର ଅତିଥି ଭାବେ ଯୋଗଦେଇ ନୂତନ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସାଧାରଣ ସଂପାଦକ ପ୍ରଦୀପ ଦାସ ମେଡିକାଲ୍ କଲେଜ୍ ପ୍ରତିଷ୍ଠାପାଇଁ କ୍ରିୟାନୁଷ୍ଠନ କମିଟି ନେତୃତ୍ୱରେ ଜିଲ୍ଲାବାସୀଙ୍କର ଐତିହାସିକ ସଂଗ୍ରାମର ବର୍ଣ୍ଣନା କରିଥିଲେ ଓ ବାଲେଶ୍ୱରବାସୀଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଏହି କ୍ରିୟାନୁଷ୍ଠାନକମିଟି ଅବିରତ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ନୂତନ ଡାକ୍ତରମାନଙ୍କୁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ, ସଦସ୍ୟାମାନେ ମାନପତ୍ର ଓ ଅନୁଷ୍ଠାନର ମୁଖପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ପ୍ରତିନିଧି ଡା. ଅନୁପ କୁମାର ଧଡା ବାଲେଶ୍ୱରରେ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିକୁ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ। ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇ ଅତିଥି ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅତିରିକ୍ତ ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ୍ କମିଟି ଏବଂ ବହୁ ସାମାଜିକ ସଂଗଠନ ପକ୍ଷରୁ ଇଂ. ବନମାଳୀ ନାୟକ, ନିରଞ୍ଜନ ରାଉତ, ଦିଲ୍ଲୀପ ଗିରି, ଅର୍ଚ୍ଚନା ନନ୍ଦୀ, ଡ. ଅଜିତ୍ ମହାନ୍ତି, ମାୟାଧର ନାୟକ, ସରସ୍ୱତୀ ପଣ୍ଡା, ଜଗତାନନ୍ଦ ବିଶ୍ୱାଳ, ସୀତାରାମ ପ୍ରଧାନ, ଅକ୍ଷୟ କୁମାର ତ୍ରିପାଠୀ, ଶ୍ୟାମସୁନ୍ଦର ଜେନା, ବନ୍ଦନା ପାତ୍ର, କୁମୁଦରଂଜନ ଗିରି, କମଲ ଚକ୍ରବର୍ତ୍ତୀ, ରବି ନାରାୟଣ ଭୋଳ, ଅନୁସୂୟା ନାୟକ, କନକ ପାଣିଗ୍ରାହୀ, ସଚିନ୍ଦ୍ର ଦାସ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ବେଣୁଧର ସାହୁ, ସୁଦର୍ଶନ ଜେନା, ଡା. ତାରାକାନ୍ତ ନନ୍ଦ, ଦାମୋଦର ନାୟକ, ଶଶିକାନ୍ତ ରାଉତ, ରମେଶ ଚନ୍ଦ୍ର ଜେନା, ଡା. ରୁବି ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ସଂଯୁକ୍ତା ବେହେରା, କ୍ରୀଷ୍ଣା ସାହା, ସୁକୁମାର ବେହେରା, ବେଣୁଧର ପାଳ, ଭୁବନାନନ୍ଦ ଦାସ, ପଦ୍ମଲୋଚନ ଦତ୍ତ, ମମତା ଦାସ, ଡ. କେଶବ ପଣ୍ଡା, ମିନତୀ ପାତ୍ର, ବିଜନ ଦେ, ସାଧୁଚରଣ ମଲିକ, ଯତୀନ୍ ପାତ୍ର, ପ୍ରମିତା ଦାସ, ବସ୍ ମାଲିକ ସଂଘ ପକ୍ଷରୁ ମାଧବାନନ୍ଦ ମିଶ୍ର ପ୍ରମୁଖ ଶତାଧିକ ବ୍ୟକ୍ତି ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ଯୁବ ଡାକ୍ତରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ