ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋହାଲ୍ଲା ମଚାଇଲେ ଯୁବତୀ

କେନ୍ଦ୍ରାପଡା,(ଚିତ୍ତ ରଞ୍ଜନ ଦାଶ): ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରାନଯିବା ଘଟଣାକୁ ନେଇ ଜନୈକ ଯୁବତୀ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋହଲ୍ଲା ମଚାଇବା ସହ ଜିଲ୍ଲାପାଳଙ୍କ କୋର୍ଟ ଚାମ୍ବରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଜିଲ୍ଲାପାଳ କୋର୍ଟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ କିଛି ସମୟ ଅପେକ୍ଷା କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ସଂପୃକ୍ତ ଯୁବତୀଙ୍କୁ କହିଥିଲେ। କିନ୍ତୁ ସେ କିଛି ନଶୁଣି ସେଠାରେ ହୋହାଲ୍ଲା କରିବା ସହ ଜିଲ୍ଲାପାଳଙ୍କ କୋର୍ଟ ଚାମ୍ବର ମଧ୍ୟକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ। ଫଳରେ ଜିଲ୍ଲାପାଳ ରଘୁରାମ ଆର.ଆୟାର କୋର୍ଟ କାର୍ଯ୍ୟ ଶେଷ କରି ବାହାରକୁ ଆସି ପାଟିତୁଣ୍ଡର କାରଣ ପଚାରିବାରେ ସେହି ଯୁବତୀ ଜଣଙ୍କ ଜିଲ୍ଲାପାଳଙ୍କୁ ମଧ୍ୟ ଉଚିତ ବ୍ୟ ବହାର ପ୍ରଦର୍ଶନ କରିନଥିଲେ। ପରେ ଜିଲ୍ଲାପାଳ ତାଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ମାର୍ଶାଘାଇ ତହସିଲଦାରଙ୍କୁ ପଚାରିବାରେ ସେ କହିଥିଲେ ଯେ ଯୁବତୀଙ୍କ ପରିବାର ମାର୍ଶାଯାଇ ତହସିଲ ଅଧିନରେ ରହୁଥିଲେ ମଧ୍ୟ ତାଙ୍କର ପ୍ରକୃତ ଘର ହେଉଛି ମହାକାଳପଡା ତହସିଲ ଅଧିନରେ। ତେଣୁ ମାର୍ଶାଘାଇ ତହସିଲ ଜାତିଗତ ପ୍ରମାଣପତ୍ର ଦେବା ସମ୍ଭବ ନୁହେଁ। ସେ ମହାକାଳପଡା ତହସିଲକୁ ଏଥିନିମନ୍ତେ ଆବେଦନ କରନ୍ତୁ କିମ୍ବା ମହାକାଳପଡା ତହସିଲ ଅଧିନରେ ଥିବା ତାଙ୍କ ପ୍ରକୃତ ବାସସ୍ଥାନର ସଠିକ ବିବରଣୀ ଦେଇ ମାର୍ଶାଘାଇ ତହସିଲକୁ ଆବେଦନ କରିବାକୁ ତାଙ୍କୁ ପୂର୍ବରୁ ତହସିଲଦାର ପରାମର୍ଶ ଦେଇଥିବା କହିଥିଲେ। ଜିଲ୍ଲାପାଳ ଯୁବତୀ ଜଣଙ୍କୁ ଏସମ୍ପର୍କରେ ବୁଝାଇଦେବା ସହିତ ମାର୍ଶାଘାଇ ତହସିଲଦାରଙ୍କୁ ଆବଶ୍ୟକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁଯାୟୀ ଯୁବତୀଙ୍କ ଭାଇ ଓମ୍ ସାଇଙ୍କ ନବୋଦୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାପାଇଁ ଆବେଦନ କରିବାକୁ ଜାତିଗତ ପ୍ରମାଣପତ୍ରର ଆବଶ୍ୟକ ଥିଲା। ଏଥି ନିମନ୍ତେ ଓମ୍ ସାଇଙ୍କ ପିତା ସୁବ୍ରତ କୁମାର ରାଉତ ଅନଲାଇନରେ ମାର୍ଶାଯାଇ ତହସିଲକୁ ଜାତିଗତ ପ୍ରମାଣପତ୍ର ନିମନ୍ତେ ଆବେଦନ କରିଥିଲେ। କିନ୍ତୁ ସେହି ଆବେଦନପତ୍ରରେ ପୈତୃକ ଘର ମହାକାଳପଡା ତହସିଲର ସଠିକ ଠିକଣା ଦେଇନଥିଲେ। ଫଳରେ ଆବେଦନଟି ରଦ୍ଦ ହୋଇଯାଇଥିଲା। ଏ ସମ୍ପର୍କରେ ଓମ ସାଇ ଓ ତାଙ୍କ ଭଉଣୀ ମାର୍ଶାଘାଇ ତହସିଲକୁ ଯାଇ ତହସିଲଦାରଙ୍କୁ ସାକ୍ଷାତ କରିଥିଲେ। ତହସିଲଦାର ସମସ୍ତ କଥା ଶୁଣିବା ପରେ ରେକର୍ଡ ଯାଞ୍ଚ କରି ତାଙ୍କୁ ପୁନର୍ବାର ମହାକାଳପଡା ତହସିଲର ସଠିକ ଠିକଣା ଦେଇ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ତାହା ନକରି ବୁଧବାର ଉଭୟ ଭାଇ ଓ ଭଉଣୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ମାର୍ଶାଘାଇ ରାଜସ୍ୱ ନିରୀକ୍ଷକ ତାଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ ଓମ ସାଇ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି । ତା’ର ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ଆବେଦନ ପାଇଁ ଜାତିଗତ ପ୍ରମାଣ ପତ୍ରର ଆବଶ୍ୟକତା ରହିଛି । ଏନେଇ ସେ ଅନଲାଇନରେ ଆବେଦନ କରିଥିଲେ । କିନ୍ତୁ ଆର.ଆଇ ତାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡାକି ନିରାଶ କରିଥିଲେ । ଶେଷରେ ତାଙ୍କୁ ଜାତି ପ୍ରମାଣ ପତ୍ର କରିଦେବା ପାଇଁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରେ ସେ କହିଥିଲେ ଯେ ଲାଞ୍ଚ ମାଗିବା ମିଛ। ତାଙ୍କ ଆବେଦନପତ୍ରଟି ରଦ୍ଦ ହୋଇଯିବାରୁ ସେ ଏପରି ଅଭିଯୋଗ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ