ବସ ଧକ୍କାରେ ଯୁବକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର – ବଡଡୁମ୍ବୁଳା , କରପଡ଼ା ରାସ୍ତା ର ଶ୍ରୀ ଶନିଶ୍ଚର ମନ୍ଦିର ନିକଟ ମୁଖ୍ୟରାସ୍ତା ରେ ରବିବାର ସକାଳ ପ୍ରାୟ ସାଢ଼େ ୬ ଟାରେ ବୀଣାପାଣି ନାମକ ଯାତ୍ରୀବାହୀ ବସ ନଂ. ଓଡ଼ି୦୨ ଆର – ୯୬୯୯) ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି।ମୃତକ ଜଣକ ହେଲେ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଡି. ରୋହିତ ଦୋରା(୩୫)।ରୋହିତ ଏକ ଟିଭିଏସ ଏକ୍ସଲ ମୋପେଡ ରେ ଗାଁ ରୁ ଗୋକର୍ଣ୍ଣପୁର ଯାଉଥିବା ବେଳେ ବି. ତୁରୁବୁଡ଼ି ଗ୍ରାମରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଟି ଦୃତଗତି ରେ ତାଙ୍କୁ ପଛପଟୁ ଧକ୍କା ଦେଇ ମାଡ଼ି ଯାଇଥିଲା।ଘଟଣାସ୍ଥଳରେ ରୋହିତ ଙ୍କ ମୃତ୍ୟୁ ଘଟିଥିଲା।ଖବରପାଇ ବହୁ ସଂଖ୍ୟକ ଗ୍ରାମବାସୀ ଓ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ବସ ଟିକୁ ଅଟକ ରଖିବା ସହ ମୃତଦେହ ଧରି ରାସ୍ତାରୋକ କରିଥିଲେ। ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ଥିଲା। ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ସହାୟତା ର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।ପୋଲିସ ଥାନା ମାମଲା ନଂ.୧୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ପୁଲିସ ଯାତ୍ରୀବାହୀ ବସ ଏବଂ ମୋପେଡ କୁ ଜବତ କରି ତଦନ୍ତ ଚଳାଇଛନ୍ତି।ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ମୃତକ ଙ୍କ ବାପା ଡି. କାରିଆଡୁ ଦୋରା ଙ୍କୁ ରେଡକ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି।


