ସ୍କୁଟି-ବାଇକ୍ ଧକ୍କା ରେ ଦମ୍ପତ୍ତି ମୃତ ଘଟଣା : ରେଡକ୍ରସ ପାଣ୍ଠି ରୁ ମିଳିଲା ୬୦ ହଜାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ର ଗଣିଆନାଳ ଛକ ମା ‘ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ଏକ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସାନଖେମୁଣ୍ଡି ବ୍ଲକ ଗାଙ୍ଗପୁର ପଞ୍ଚାୟତ ଦ୍ଵିତୀୟ ଢେପାଗୁଡ଼ା ଗ୍ରାମର ଦମ୍ପତ୍ତି ପ୍ରତାପ ମଲ୍ଲିକ(୩୫) ଏବଂ ତାଙ୍କ ସ୍ତ୍ରୀ ଲଳିତା ପାଇକ(୩୦) ମୃତ୍ୟୁବରଣ କରିଥିଲେ।ଦିଗପହଣ୍ଡି ଥାନା ମାମଲା ନଂ.୪୪୪/୨୫ ଅନୁଯାୟୀ ଉଭୟଙ୍କ ମୃତଦେହ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶନିବାର ଅପରାହ୍ନରେ ମୃତଦେହ ଗାଁ ରେ ପହଞ୍ଚିବା ପରେ ସମଗ୍ର ଗାଁ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ଗାଁ ସାରା ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ପ୍ରତାପ ରାଜମିସ୍ତ୍ରୀ କାମ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ।ସ୍ତ୍ରୀ ୮ ମାସର ଗର୍ଭବତୀ ଥିବା କାରଣରୁ ଶୁକ୍ରବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଆଲଟ୍ରା ସାଉଣ୍ଡ କରାଇଥିଲେ। ପରେ ହସ ଖୁସିରେ ୩ ବର୍ଷର ଝିଅ ଆରସୀ କୁ ନେଇ ସ୍କୁଟି ନଂ.(ଓଡ଼ି୩୨ଏଫ୍ -୪୨୯୩) ଯୋଗେ ଗାଁ କୁ ଫେରୁଥିଲେ।ବିପରୀତ ଦିଗରୁ ଗଜପତି ଜିଲା ଆର.ଉଦୟଗିରି ଅଞ୍ଚଳର ସୁନୀଲ ଦଳାଇ ତାଙ୍କ ପଲ୍ସର ବାଇକ ନଂ.(ଓଡ଼ି୦୭ ଏଇ -୦୩୭୩) ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ ସ୍କୁଟି କୁ ଧକ୍କା ଦେଇଥିଲେ।ଦୁର୍ଘଟଣାରେ ସମସ୍ତ ଆହାତ ଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦମ୍ପତି ଙ୍କ ମୃତ୍ୟୁ ଘଟିଥିଲା।ସୁନୀଲ ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଇଥିଲା।ଅପରପକ୍ଷରେ ପ୍ରତାପଙ୍କ ଝିଅ ଆରସୀ ଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଙ୍କ ନିର୍ଦ୍ଦେଶକ୍ରମେ ସାନଖେମୁଣ୍ଡି ତହସିଲଦାର ଦିଲ୍ଲୀପ କୁମାର ଜେନା ଏବଂ କର୍ମଚାରୀ ବୃନ୍ଦ ଗାଁ ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ରେଡକ୍ରସ ପାଣ୍ଠି ରୁ ୬୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଥିବା ଜଣାପଡିଛି।ଭାଜପା କାର୍ଯ୍ୟକର୍ତ୍ତା ଇଂ.ଉତ୍ତମ କୁମାର ପାଣିଗ୍ରାହୀ ଏବଂ ସାନଖେମୁଣ୍ଡି ଦଳୀୟ କାର୍ଯ୍ୟକର୍ତ୍ତା ବୃନ୍ଦ ଗାଁ ରେ ପହଞ୍ଚି ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ।


