ମେ ୨୬ରୁ ଯୁବ ସଂସଦ କାର୍ଯ୍ୟକ୍ରମ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆସନ୍ତା ମେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିବସୀୟ ଯୁବ ସଂସଦ କାର୍ଯ୍ୟକ୍ରମ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଆୟୋଜିତ ହେବାକୁ ନେଇ ସାମାଜିକ ସଂଗଠନ ପ୍ରୋଜେକ୍ଟ ପଏଣ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଡ. ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ନେହେରୁ ଯୁବ କେନ୍ଦ୍ର ସଂଗଠନର ପୂର୍ବତନ ନିର୍ଦ୍ଦେଶକ ତଥା ଯୁବ ସଂସଦ କାର୍ଯ୍ୟକ୍ରମର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସତ୍ଯ ପ୍ରକାଶ ପଟ୍ଟନାୟକ ଯୋଗଦେଇ ଗ୍ରାମାଞ୍ଚଳର ଯୁବକ ମାନେ ଯୁବ ସଂସଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ବିକଶିତ ଭାରତକୁ କିଭଳି ଭାବେ ଆଗକୁ ବଢିବାରେ ସହଯୋଗ କରିପାରିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ୟଙ୍ଗ ଇଣ୍ଡିଆର ଅଧ୍ୟକ୍ଷ ତଥା ରେଡ଼ିଓ ନମସ୍କାର ଅଧ୍ୟକ୍ଷ ଏନଏ ଶାହା ଅନସାରୀ ବିକଶିତ ଭାରତ କାର୍ଯ୍ୟକ୍ରମ ସମାଜର ସବୁ ବର୍ଗର ଲୋକଙ୍କ ସାମୁହିକ ସହଯୋଗ ଦେଶ ପ୍ରଗତିରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ବିକଶିତ ଭାରତ ୨୦୪୭ ପାଇଁ ଯୁବ ନେତୃତାଧୀନ ଭିଜନ ଶୀର୍ଷକ ଏହି ପାଂଚ ଦିବସୀୟ କାର୍ଯ୍ୟକ୍ରମରେ ଭାରତ ବର୍ଷର ୨୮ ଗୋଟି ରାଜ୍ୟ ଓ ୪ ଗୋଟି କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ବର୍ଗର ପ୍ରାୟ ୩୦୦ ଜଣ ଯୁବକ ଯୁବତୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଗଣତାନ୍ତ୍ରିକ ଯୋଗାଯୋଗ, ସାଂସ୍କୃତିକ ଭାବ ବିନିମୟ, ଜଳବାୟୁ ପରିବର୍ତ୍ତନ, ନିଯୁକ୍ତି ସୁଯୋଗ ସୃଷ୍ଟି, ଡିଜିଟାଲ ଉଭାବନ, ଆଦିବାସୀ ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ଆଦି ପ୍ରସଙ୍ଗରେ ଆୟୋଜିତ ହେବାକୁ ଥିବା ଯୁବ ସଂସଦ କାର୍ଯ୍ୟକ୍ରମରେ ବିଶଦ ଭାବରେ ଆଲୋଚନା କରାଯିବା ନେଇ ପ୍ରସ୍ତାବ ରହିଛି। ଏହି ଯୁବ ସଂସଦ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୋଣାର୍କ ଯୁବ ଘୋଷଣାନାମା – ୨୦୨୫ ଯାହାକୁ ନୀତି ନିର୍ଦ୍ଧାରଣରେ ବିଚାର ପାଇଁ କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ନୀତି ଆୟୋଗ ନିକଟକୁ ପଠାଯିବ ବୋଲି ସାମାଜିକ ସଂଗଠନ ପ୍ରୋଜେକ୍ଟ ପଏଣ୍ଟ ପକ୍ଷରୁ ପ୍ରକାଶ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ନିର୍ଦେଶକ ରାମକୃଷ୍ଣ ମହାନ୍ତି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ବାଧୀନ ନାୟକ, ବିକ୍ରମ କେଶରୀ ସାମନ୍ତରାୟ, ନିରଞ୍ଜନ ତ୍ରିପାଠୀ, ଅଭିନୀତ ସ୍ବାଇଁ, ରାକେଶ ମଲ୍ଲିକ, ସୁଭଦ୍ରା ସାହୁ ଓ ରାଜଶ୍ରୀ ନାଥ ପ୍ରମୁଖ ପରିଚାଳନା କରିଥିଲେ।