ଦିଗପହଣ୍ଡିରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଗପହଣ୍ଡି ସ୍ଥିତ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ପଦ୍ମନାଭପୁର ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବର ଉଦଘାଟନୀ ସମାରୋହରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥି , କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସମ୍ମାନିତ ଅତିଥି , ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ , ୨ ନଂ ୱାର୍ଡ କାଉନସିଲର ସୁଶାନ୍ତ କୁମାର ପାତ୍ର , ପଦ୍ମନାଭପୁର ସ୍ଥିତ ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ବେହେରା , ବଡଖେମୁଣ୍ଡି ହାଇସ୍କୁଲ ପ୍ରଧାନଶିକ୍ଷକ ସତ୍ୟନାରାୟଣ ଦାସ , ଦିଗପହଣ୍ଡି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନୀଲ କୁମାର ଦାସ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚାସିନ ଥିଲେ। ପଦ୍ମନାଭପୁର ଜୋନର ଆଙ୍କୋରଡା , ପଦ୍ମନାଭପୁର ଏବଂ ଦିଗପହଣ୍ଡି କ୍ଲଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୭ ବର୍ଷରୁ କମ୍ ବୟସର ୨୫୦ ପ୍ରତିଯୋଗୀ ଛାତ୍ରୀ ଛାତ୍ର ମାନଙ୍କୁ କ୍ରୀଡ଼ା ପ୍ରଦର୍ଶନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ ପ୍ରତ୍ୟେକ ଖେଳାଳି ନିଜର ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରି ଆଗକୁ ବଢିବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ । ପ୍ରତିଯୋଗିତା ର ପ୍ରଥମ ଦିବସରେ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ କବାଡି ଓ ଖୋ – ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ ସଭାକାର୍ଯ୍ୟ ରେ ସଂଯୋଜନା କରିଥିବା ବେଳେ ହାଇସ୍କୁଲ କ୍ରୀଡା ଶିକ୍ଷକ ତଥା କ୍ରୀଡ଼ା ପ୍ରତିଯୋଗିତାର ଜୋନାଲ ସମ୍ପାଦକ ଏମ୍ . ଗୌରାଙ୍ଗ ଖେଳ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସୁଜତା ପାଢୀ , ସଙ୍ଗୀତା ସାହୁ , କ୍ରୀଡା ଶିକ୍ଷକ ଏମ. ଶୁକ୍ରୁ ରେଡ୍ଡୀ, କୈଳାସ ରେଡ୍ଡୀ, ସିମାଞ୍ଚଳ ପାଢ଼ୀ, ବପୁନ ରେଡ୍ଡୀ ଙ୍କ ସମେତ ସମସ୍ତ ବିଦ୍ୟାଳୟର ବହୁ ସଂଖ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।