ଅପମିଶ୍ରିତ ନକଲି ବିଦେଶୀ ମଦ ଚୋରା ଚାଲାଣ ଜଣେ ଗିରଫ,ବିପୁଳ ମଦ ଜବତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବ୍ରହ୍ମପୁର ଅଞ୍ଚଳରୁ ନକଲି ବିଦେଶୀ ମଦ ଆଣି ହିଞ୍ଜିଳିକାଟୁ ଠାରୁ ପୁରୁଷୋତ୍ତମପୁର ସମେତ ନିକଟବର୍ତ୍ତୀ ଅଞ୍ଚଳକୁ ରପ୍ତାନୀ କରୁଥିଲେ। ଦୀର୍ଘ ୮ ମାସରୁ ଉର୍ଦ୍ଧ୍ଵ ସମୟ ଧରି କୈାଶଳ କରି ବ୍ୟବସାୟ କରି ଆସୁଥିଲେ। ଗତ କିଛି ମାସ ପୂର୍ବରୁ ହିଞ୍ଜିଳିକାଟୁ ଅଞ୍ଚଳର ଜୈନିକ ଯୁବକ ନକଲି ମଦ କାରବାରରେ ଲିପ୍ତ ଥିବା ନେଇ ଜିଲ୍ଲା ଅବକାରୀ ଅଧିକାରୀଙ୍କ ନିକଟରେ ଖବର ପହଞ୍ଚିଥିଲା। ଘଟଣାର ସତ୍ୟାସତ୍ୟ ନେଇ ବିଭାଗୀୟ ଅଧିକାରୀ ମାନେ ତିକ୍ଷଣ ନଜର ରଖିଥିଲେ। ଶନିବାର ହିଞ୍ଜିଳିକାଟୁ ପୈାରାଞ୍ଚଳର ଜଣେ ଯୁବକ କୁରକୁରି ବଡ ପ୍ୟାକେଟରେ ନକଲି ମଦ ନେଇ ଇଲେକ୍ଟ୍ରି ଯାନ ଯୋଗେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡକୁ ଆଣିଥିଲେ। ଏକ ଘରୋଇ ଯାତ୍ରୀବାହୀ ବସ ଯୋଗେ ପୁରୁଷୋତ୍ତମପୁର ଅଞ୍ଚଳକୁ ପଠାଉଥିବା ବେଳେ ପୂର୍ବରୁ ଛକି ବସିଥିବା ଅବକାରୀ ବିଭାଗୀୟ ଅଧିକାରୀ ମାନେ ସଂପୃକ୍ତ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଶନିବାର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀଣ ପ୍ରଧାନଙ୍କ ନିର୍ଦ୍ଦେଶରେ ଅବକାରୀ ଉପ ଅଧୀକ୍ଷକ ସ୍ୱାଧୀନ ସାହୁଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରୁ ଛତ୍ରପୁର, ପୁରୁଷୋତ୍ତମପୁର ଓ ହିଞ୍ଜିଳିକାଟୁ ଅବକାରୀ ଅଧିକାରୀ ମିଳିତ ଚଢାଉ କରି ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକଙ୍କ ନିକଟରୁ ୧୭ ଲିଟର ୨୮୦ ମିଲି.ଲି ଅପମିଶ୍ରିତ ନକଲି ବିଦେଶୀ ମଦ ସହ ସେ ବ୍ଯବହାର କରିଥିବା ଏକ ଇଲେକ୍ଟ୍ରି ସ୍କୁଟରକୁ ଜବତ କରାଯାଇଛି। ସ୍ଥାନୀୟ ସହରର ଏକ ଘରୋଇ ଯାତ୍ରୀବାହୀ ବସ ଯୋଗେ ବିପୁଳ ପରିମାଣର ଅପମିଶ୍ରିତ ନକଲି ବିଦେଶୀ ମଦ ଚୋରା ଚାଲାଣ ବେଳେ ଅବକାରୀ ଅଧିକାରୀ ମାନେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗିରଫ ଯୁବକ ଜଣକ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ମାଣିକ ନଗର ୩ୟ ଲାଇନ୍ ର ବାସିନ୍ଦା ସୂର୍ଯ୍ୟନାରାୟଣ ପାତ୍ର (୩୭)। ଏନେଇ ଅବକାରୀ ବିଭାଗ ପକ୍ଷରୁ ପିଆର୍ କେଶ ନଂ ୭୩/୨୪-୨୫ ରେ ଏକ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଅବକାରୀ ଉପ ଅଧିକ୍ଷକ ସ୍ଵାଧୀନ ସାହୁ ସୂଚନା ଦେଇଛନ୍ତି।
ବିଭାଗୀୟ ସୂଚନା ଅନୁଯାୟୀ, ହିଞ୍ଜିଳିକାଟୁ ପୌରାଞ୍ଚଳ ମାଣିକ ନଗର ବାସିନ୍ଦା ସୂର୍ଯ୍ୟ ନାରାୟଣ ପାତ୍ର ବହୁ ଦିନ ଧରି ଅପମିଶ୍ରିତ ନକଲି ବିଦେଶୀ ମଦ ବ୍ୟବସାୟ କରୁଥିବା ନେଇ ବହୁ ପୁର୍ବରୁ ଜିଲ୍ଲା ଅବକାରୀ ବିଭାଗ ନିକଟରେ ସୂଚନା ଥିଲା। ସ୍ଥାନୀୟ ଅବକାରୀ ଥାନା ସହକାରୀ ନୀରିକ୍ଷକ ଓ କର୍ମଚାରୀ ମାନେ ବହୁ ଦିନ ଧରି ସୂର୍ଯ୍ୟ ନାରାୟଣଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଶନିବାର ଏକ ଇଲେକ୍ଟ୍ରି ସ୍କୁଟର ଯୋଗେ ସୂର୍ଯ୍ୟ ନାରାୟଣ ନକଲି ବିଦେଶୀ ମଦ ଭର୍ତ୍ତି ଥିବା ଏକ ଜରି ବ୍ୟାଗ ଧରି ଘରୋଇ ଯାତ୍ରୀବାହୀ ବସ ନିକଟରେ ପହଁଚି ଥିଲେ। ବିଶେଷ ସୂଚନା ପାଇ ପୂର୍ବରୁ ପ୍ରସ୍ତୁତ ହୋଇ ଛକି ବସିଥିବା ମିଳିତ ଟିମ୍ ତାକୁ କାବୁ କରି ତା ନିକଟରୁ ୧୭ଲିଟର ୨୮୦ ମିଲି. ଲି ବିଦେଶୀ ମଦ ଜବତ କରିଥିଲେ। ଜବତ ବିଦେଶୀ ମଦ ମଧ୍ୟରେ ୨ବ୍ରାଣ୍ଡର ନକଲି ଓ ତାହା ଅପମିଶ୍ରିତ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି। ତଦନ୍ତ ବେଳେ ଦୀର୍ଘ ପ୍ରାୟ ୮ମାସ ଧରି ସେ ଏହି ବ୍ୟବସାୟ ଚଳାଇ ଥିବା ଅବକାରୀ ଅଧିକାରୀଙ୍କ ନିକଟରେ ସୂର୍ଯ୍ୟ ସ୍ବୀକାର କରିଛି। ଅପମିଶ୍ରିତ ନକଲି ବିଦେଶୀ ମଦ ବ୍ୟବସାୟର ପେଣ୍ଠସ୍ଥଳୀ ଭାବେ ଖ୍ୟାତି ଅର୍ଜ୍ଜନ କରିଥିବା ବ୍ରହ୍ମପୁର ଅଞ୍ଚଳରୁ ସେ ଏସବୁ ଆଣି ଘରୋଇ ଯାତ୍ରୀବାହୀ ବସ ଯୋଗେ କବିସୂର୍ଯ୍ୟ ନଗର ଓ ଏହାର ଆଖପାଖ ଅଞ୍ଚଳର କିଛି ଦୋକାନୀଙ୍କ ସହଯୋଗରେ ଅବାଧ ଭାବେ କଳା କାରବାର କରୁଥିବା ସ୍ବୀକାର କରିଛି। ଚଢାଉ ବେଳେ ପୁରୁଷୋତ୍ତମପୁର ଅବକାରୀ ନିରୀକ୍ଷକ ଅଂଶୁମାନ ଜେନା, ସହକାରୀ ନିରୀକ୍ଷକ ଦେବାଶିଷ ମହାପାତ୍ର, ହିଞ୍ଜିଳିକାଟୁ ଅବକାରୀ ଥାନା ସହକାରୀ ନିରୀକ୍ଷକ ସୁମିତ୍ରା ବିଶି, ସହକାରୀ ନିରୀକ୍ଷକ ରବିନ୍ଦ୍ର ନାଥ ବିଶ୍ଵାଳ,ଅବକାରୀ କନଷ୍ଟେବଳ ଲୋଟେଶ୍ୱର ପ୍ରଧାନ, ଏସ. ଭୀମା ରାଓ, ପ୍ରଫୁଲ୍ଲ ଶବର, ଜଗତ ପାତ୍ର, ଲିଙ୍ଗରାଜ ମଲ୍ଲିକ ପ୍ରମୁଖ ସାମିଲ୍ ହୋଇଥିଲେ।