ଅବହେଳିତ ଦୁଇ ଗାଁ ଭୋଟ ବର୍ଜନ ପରେ ବି ପ୍ରଶାସନର ନଜର ପଡୁନି
ନବରଙ୍ଗପୁର,(ୱାଇଏନଏସ): ସରକାର ଗ୍ରାମାଞ୍ଚଳର ବିକାଶ କରିବା ପାଇଁ କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଏବେ ମଧ୍ୟ ଦୁର୍ଗମ ଅଞ୍ଚଳର ଉନ୍ନତି ହୋଇପାରୁନାହିଁ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବରଡ଼ାଜୋଡ଼ି ଓ ଲଦିପଦର ଗାଁର ଚିତ୍ର ଏବେ ମଧ୍ୟ ବଦଳି ପାରିଲା ନାହିଁ । ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ଏବେ ଯାଏଁ ହୋଇପାରିଲା ନାହିଁ । ଯାହାଫଳରେ ଲୋକେ ବର୍ଷ ସାରା ଯାତାୟାତ ରେ ଅସୁବିଧା ର ସମ୍ମୁଖିନ ହେଉଛନ୍ତି । ଗାଁର ସମସ୍ୟା ଗୁଡିକୁ ନେଇ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ ଜଣାଇଥିଲେ ମଧ୍ୟ ଗ୍ରାମବାସୀ ଙ୍କ ଗୁହାରି ବଡ଼ ବାବୁ ମାନେ ଏଯାଏଁ ଶୁଣିଲେ ନାହିଁ । ସମସ୍ୟାର ସମାଧାନ ନ ହେବାରୁ ଗତ ପଞ୍ଚାୟତ ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ ଦୁଇ ଗ୍ରାମବାସୀ । ତଥାପି ପ୍ରଶାସନ ର ଚେତା ପଶିଲା ନାହିଁ । ପଞ୍ଚାୟତ ନିର୍ବାଚନ ବେଳେ ଜନ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ ସମସ୍ୟାର ସମାଧାନ କରାଯିବ କିନ୍ତୁ ପଞ୍ଚାୟତ ନିର୍ଵାଚନ ସରି ଦୁଇବର୍ଷ ବିତିବାକୁ ଗଲାଣି ଏବଂ ସାଧାରଣ ନିର୍ବାଚନ ଛଅ ମାସରୁ ଅଧିକ ହେଲାଣି କିନ୍ତୁ ଏହି ଦୁଇ ଗାଁ ପ୍ରତି କାହାର ନଜର ପଡୁନି । ଗାଁକୁ ରାସ୍ତା ନଥିବାରୁ ବର୍ଷା ଦିନେ ଲୋକେ ଗାଁ ଗୁଡିକ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହୁଛି । ଲୋକେ ନିତିଦିନିଆ କାର୍ଯ୍ୟ ପାଇଁ ଗାଁରୁ ବାହାରି ପାରୁନାହାନ୍ତି । ରାସ୍ତା ଠିକ ନଥିବାରୁ ଅନ୍ୟ ସରକାରୀ ସୁବିଧାସୁଯୋଗରୁ ବଞ୍ଚିତ ରହୁଛନ୍ତି । ଭୋଟ ବର୍ଜନ ପରେ କେବଳ ମନରେଗା ଯୋଜନା ରେ ମାଟି ରାସ୍ତା କାମ କରି ପ୍ରଶାସନ ଚୁପ୍ ରହିଯାଇଛି। ବରଡାଯୋଡି ଗ୍ରାମରେ ଛାତ୍ର ଛାତ୍ରୀଙ୍କ ଆବଶ୍ୟକ ସଂଖ୍ୟା ନ ଥିବାରୁ ବିଦ୍ୟାଳୟ ବନ୍ଦ ହୋଇଯାଇଛି। ଗାଁରେ ବିଦ୍ୟାଳୟ ପୁଣି ଖୋଲିବା ପାଇଁ ପଞ୍ଚାୟତ ସମିତି ବୈଠକ ରେ ବହୁବାର ତତ୍କାଳୀନ ବିଧାୟକ, ସାଂସଦ ଙ୍କ ଉପସ୍ଥିତି ରେ ପ୍ରସ୍ତାବ ଦେବା ସତ୍ତ୍ୱେ ଏଯାଏଁ ବିଦ୍ୟାଳୟ ଖୋଲାଯାଇ ପାରିନି। ବିଦ୍ୟାଳୟ ବନ୍ଦ ପରେ ଛାତ୍ରାବାସ ଥିବା ବିଦ୍ୟାଳୟ କୂଯାଜାନୀ ଗୁଡ଼ାକୁ ଯିବା ପାଇଁ ମଧ୍ୟ ଯାତାୟାତ ସୁବିଧା ନାହିଁ। ସେଭଳି ମଙ୍ଗରଦୋରା ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଥିବା ସତ୍ତ୍ୱେ ଗମନାଗମନ ସୁବିଧା ନଥିବା ରୁ ସ୍ୱାସ୍ଥ୍ୟସେବା ରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀମାନେ । କୌଣସି ଗୁରୁତର ରୋଗୀ ଙ୍କୁ ବହୁ କଷ୍ଟରେ ତେନ୍ତୁଳିଖୁଣ୍ଟି ମେଡିକାଲକୁ ଆଣିବାକୁ ପଡୁଛି। ଆବଶ୍ୟକ ସ୍ଥଳେ ଗମନାଗମନ ପାଇଁ ଅଟୋ ରିକ୍ସା ହିଁ ଏକ ମାତ୍ର ବିକଳ୍ପ ଯାହାକି ଆର୍ଥିକ ଦୃଷ୍ଟି କୋଣରୁ କଷ୍ଟ ଦାୟକ ହେଉଥିବା କହିଛନ୍ତି ଗ୍ରାମବାସୀ । ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ସରକାର ଆର୍ଥିକ ଅନୁଦାନ ବ୍ୟବସ୍ଥା କରିବା ସତ୍ତ୍ୱେ କାହିଁକି ଏହି ଦୁଇ ଗ୍ରାମର ରାସ୍ତା ହୋଇ ପାରୁନି ବୋଲି ପ୍ରଶ୍ନ କରିଛନ୍ତି ସମିତି ସଭ୍ୟ ମଧୁସ୍ମିତା ପାଣିଗ୍ରାହୀ । ସେପରି ଗାଁ ଗୁଡିକରେ ପାନୀୟ ଜଳ ପାଇଁ କିଛି ନଳକୂପ ରହିଥିଲେ ମଧ୍ୟ ତାହା ଗ୍ରାମବାସୀ ଙ୍କ ପାଇଁ ପାର୍ଯ୍ୟାପ୍ତ ହୋଇପାରୁନାହିଁ। ବିଦ୍ୟୁତ୍ ସେବା ଥିଲେ ମଧ୍ୟ ଠିକ୍ ରୂପେ ପହଞ୍ଚିନି ଏହି ଗ୍ରାମ ଗୁଡିକୁ । କିଛି ସ୍ଥାନରେ ସୋଲାର ଲାଇଟ୍ ବ୍ୟବସ୍ଥା କରି ଚୁପ୍ ବସିଛି ବିଭାଗ। ଗାଁର ସବୁ ସମସ୍ୟାର ସମାଧାନ ଲାଇନ ବାରମ୍ବାର ଦାବି କଲେ କେହି ଶୁଣୁନଥିବାରୁ ଆଗାମୀ ଦିନରେ ପଡୋଶୀ କଳାହାଣ୍ଡି ଜିଲ୍ଲାରେ ମିଶିଯିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଗ୍ରାମ ର ବିର ସିଂ ଜାନି, ଧନ ସିଂ ଜାନି , ମାଳତୀ ମାଝୀ, ଘାସିରାମ ଜାନି , ମନ୍ ସିଂ ଜାନୀ ଏବଂ ପୂରଣ ଜାନୀ ।ତେବେ ସରକାରୀ ସ୍ଥରରେ ଅନେକ ଯୋଜନା ରହିଥିଲେ ମଧ୍ୟ ବ୍ଲକ ପ୍ରଶାସନ କାହିଁକି ଏହି ଦୁଇ ଗାଁ ପ୍ରତି ନଜର ଦେଉନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।