ଆନ୍ତଃ ରାଜ୍ୟ ଟ୍ରକ ଚୋରି ରାକେଟ ଠାବ, ୮ ଗିରଫ,୩ ଟ୍ରକ ଜବତ୍
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଆନ୍ତଃ ରାଜ୍ୟ ଟ୍ରକ ଚୋରି ରାକେଟ ଠାବ କରିବାରେ କେନ୍ଦୁଝର ଟାଉନ ଥାନାକୁ ଏକ ବଡ ସଫଳତା ମିଳିଛି। କେନ୍ଦୁଝର ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୨ଟି ଟ୍ରକ ଏବଂ ଡମ୍ପର ଚୋରି ହୋଇଥିବା ନେଇ ବିଭିନ୍ନ ଥାନାରେ ଏତଲା ହୋଇଥିଲା। ଏହି ସବୁ ଟ୍ରକ ଚୋରି ମାମଲାରେ ସୋମବାର ଟାଉନ ଥାନା ପୁଲିସ କେସ ନମ୍ବର ୫୧୬/୨୦୨୪,୫୧୯/୨୦୨୪,୫୩୨/୨୦୨୪,୫୭୧/୨୦୨୪,୫୭୨/୨୦୨୪,୫୭୪/୨୦୨୪,୫୭୬/୨୦୨୪,୫୭୭/୨୦୨୪,ସଦର ଥାନା କେସ ନମ୍ବର ୩୬୭/୨୦୨୪,୫୩୪/ ୨୦୨୪, ୬୦୩/୨୦୨ରେ ୮ଜଣଙ୍କୁ ଗିରଫ କରିବା ସହ ୩ଟି ଟ୍ରକ ଜବତ୍ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସିଲୁ ମଲ୍ଲିକ ସୂଚନା ଦେଇଛନ୍ତି। ଗିରଫମାନେ ହେଲେ ତେଲକୋଇ ଥାନା ଅଞ୍ଚଳର କାଳିମା ଗ୍ରାମର ଝାଡେଶ୍ୱର ମହାନ୍ତ(୪୬), ସୁନ୍ଦରଗଡ଼ ଜିଲାର ଟାଙ୍ଗରପାଲି ଥାନା ଅଞ୍ଚଳ ଗୋପବନ୍ଧୁନଗର ଗ୍ରାମର ରଜତ କୁମାର ମହାନ୍ତ(୪୮),ସୁନ୍ଦରଗଡ଼ ଜିଲାର ଝିରପାଣି ଥାନା ଜରଦା ଗ୍ରାମର ସୁକାନ୍ତ କୁମାର କୁଶଲ(୩୯), ସୁନ୍ଦରଗଡ଼ ଜିଲାର ପ୍ଲାଣ୍ଟ ସାଇଡ ଥାନାର ଗାନ୍ଧୀରୋଡ ଅଞ୍ଚଳର ରାଜେନ୍ଦ୍ର ପ୍ରସାଦ ବାରି(୫୨), ମୟୁରଭଞ୍ଜ ଜିଲା ଟାଉନ ଥାନାର ଗୌଡଗାଁ ର ଅଚ୍ୟୁତ୍ କୁମାର ସାହୁ(୨୦),ଯାଜପୁର ଜିଲା ବିଂଝାରପୁର ଅଞ୍ଚଳର ରଜତ କୁମାର ପାଣ୍ଡବ(୨୯),ଯାଜପୁର ଜିଲା ଦାନଗଦି ଅଞ୍ଚଳର ସେକ ସଫିଉଦ୍ଦିନ(୩୮), ଭଦ୍ରକ ଜିଲା ଧାମନଗର ଅଞ୍ଚଳର ସାଜନ ବାବୁ (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଭିଡ ହସ୍ପିଟାଲ ସମ୍ମୁଖରେ ଥିବା ମହାନ୍ତ ପାର୍କିଂ ୟାର୍ଡରୁ ଗତ ୧୮ ତାରିଖ ସନ୍ଧ୍ୟାରେ ଏକ ୧୨ଚକିଆ ଟ୍ରକ ଚୋରି ହୋଇଥିଲା। ଏ ନେଇ ଗାଡି ମାଲିକ ସନ୍ତୋଷ କୁମାର ବେଜ୍ ଟାଉନ ଥାନାରେ ୨୦ ତାରିଖ ଏତଲା ଦେବା ପରେ ପୁଲିସ ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ ପରେ ଟ୍ରକଟି ଜାତୀୟ ରାଜପଥ ୪୯ ଦେଇ ଯାଇଥିବା ଜାଣି ପାରିଥିଲା। ଏହାପରେ ପୁଲିସ ଦେବଗଡ଼ ଜିଲା ବାରକୋଟ ନିକଟ କଲା ଟୋଲଗେଟରେ ସିସିଟିଭି ଯାଞ୍ଚ ପରେ ଏହି ୧୨ ଚକିଆ ଟ୍ରକଟି ଜାଲ ନମ୍ବର ଲଗାଇ ରାଉରକେଲା ଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ତଦନ୍ତ ବେଳେ ରାଉରକେଲା ପାନପୋଷ ପାଖରେ ଗାଡି ଥିବା ଠାବ କରିବା ପରେ ଗାଡି ଚୋରି କରିଥିବା ଝାଡେଶ୍ୱର ମହାନ୍ତ(୪୬)ଙ୍କୁ ଗିରଫ କରିଥିଲା। ତାଙ୍କ ବାପାଙ୍କ ନାମ ଗୁରୁଚରଣ ମହାନ୍ତ ଏବଂ ତାଙ୍କ ଘର ତେଲକୋଇ ଥାନା ଅଞ୍ଚଳର କାଳିମା ଗ୍ରାମରେ ବୋଲି ଜଣାପଡ଼ିଥିଲା। ଝାଡେଶ୍ୱର ମହାନ୍ତଙ୍କୁ ଜେରା ବେଳେ ଅଚ୍ୟୁତ୍ କୁମାର ସାହୁ ଏବଂ ସୁକାନ୍ତ କୁମାର କୁଶଲଙ୍କୁ ଗାଡି ଦେଇଥିବା କହିଥିଲା। ତଦନ୍ତ ବେଳେ ଝାଡେଶ୍ୱର ମହାନ୍ତ ଟାଉନ ଏବଂ ସଦର ଥାନା ଅଞ୍ଚଳରୁ ୧୧ଟି ଟ୍ରକ ଏବଂ ଡମ୍ପର ଚୋରି କରିଥିବା ସ୍ୱୀକାର କରିଥିଲା। ସେଥିମଧ୍ୟରୁ ୫ଟି ଟ୍ରକ ରାଉରକେଲା ଅଞ୍ଚଳର ସ୍କ୍ରାପ ବ୍ୟବସାୟୀ ରାଜେନ୍ଦ୍ର ପ୍ରସାଦ ବରୀ(୫୨)ଙ୍କୁ ଦେଇଥିଲା। ସେ ଏହି ଟ୍ରକ ଗୁଡିକୁ କାଟି ଦେଇଥିଲେ। ଗୋଟିଏ ଟ୍ରକ ରଜତ ଏବଂ କୁଶଲ ପାଖରୁ ରାଉରକେଲା ଫଟିଲାଇଜର ଅଞ୍ଚଳରୁ ପୁଲିସ ଜବତ୍ କରିଛି। ଅନ୍ୟ ୩ଟି ୧୦ ଚକିଆ ଟ୍ରକ ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ସ୍କ୍ରାପ ବ୍ୟବସାୟୀ ସାଜନ ଏବଂ ସଫିଉଦ୍ଦିନଙ୍କୁ ଝାଡେଶ୍ୱର ମହାନ୍ତ ଚୋରି କରି ବିକ୍ରି କରିଥିଲା। ପୁଲିସ ଏହି ୨ଜଣ ସ୍କ୍ରାପ ବ୍ୟବସାୟୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ କଟର ମେସିନ,ଗ୍ୟାସ ସିଲିଣ୍ଡର,ଜାଲ ନମ୍ବର ପ୍ଲେଟ,୬ଟି ମୋବାଇଲ ଫୋନ୍କୁ ଜବତ୍ କରିଛି। ଅନ୍ୟ ୨ଟି ଟ୍ରକ ଝାଡଖଣ୍ଡରେ ବିକ୍ରୀ ହୋଇଛି। ଏହି ଚୋରୀରେ ସଂପୃକ୍ତ ଝାଡଖଣ୍ଡ ଅଞ୍ଚଳର ଜଣେ ଅଭିଯୁକ୍ତ ଫେରାର ଥିବା ପୁଲିସ ସୂଚନା ଦେଇଛି।