ଆସିକାର ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆଜି ଥିଲା ଧର୍ମର ମାସ କାର୍ତ୍ତିକର ଦ୍ୱିତୀୟ ସୋମବାର । ଆସିକାର ପୁଡୁଗେଶ୍ୱର, ସୁବର୍ଣ୍ଣେଶ୍ୱର, ରାମେଶ୍ୱର, ବାଲୁଙ୍କେଶ୍ୱର, ତ୍ରିବିଦ୍ଧେଶ୍ୱର, ନର୍ମଦେଶ୍ୱର, ସ୍ୱପ୍ନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ଥିବା ଶୈବପୀଠ ଗୁଡିକରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ । ଭୋର୍ ସମୟରୁ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା ବେଳେ କେତେକ ଭକ୍ତ ୧୦୮ ବେଲପତ୍ର ଚଢାଇବା ସହ ଦୀପଦାନ କରୁଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ଭକ୍ତ ମାନେ ମନରେ ଉତ୍ସାହ ତଥା ପ୍ରବଳ ଭକ୍ତି ସହ ମନ୍ଦିର ନିକଟରେ ରୋଷେଇ କରି ପରିବାର ବନ୍ଧୁ ବାନ୍ଧବଙ୍କ ସହ ପ୍ରସାଦ ସେବନ କରୁଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା । ଓଁ ନମଃ ଶିବାୟ ମନ୍ତ୍ର ଧ୍ୱନିରେ ଶୈବପୀଠ ଗୁଡିକ ପ୍ରକମ୍ପିତ ହୋଇ ପଡିଥିଲା ବେଳେ ହବିଷ୍ୟାଳୀ, ଶିବ ଭକ୍ତ ମାନେ ବେଲପତ୍ର, ନଡିଆ, କଦଳୀ, ଫୁଲ, କଞ୍ଚାକ୍ଷୀର ଧରି ଶୈବପୀଠ ମୁହାଁ ହୋଇଥିଲେ । ଶୈବପୀଠ ଗୁଡିକୁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ବେଳେ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ କଦଳୀ ପତ୍ର ସହ ଆବଶ୍ୟକୀୟ ଗୋବର୍ଦ୍ଧନ ଝଟା, କଞ୍ଚା ପଦଳୀ, କାକୁଡି, ଶାଗ, ଦହି ବିକ୍ରୀ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଦୋକାନ ମାନ ଖୋଲିଥିବା ଦେଖିବାକୁ ମିଳିଥିଲା । କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗି ରହିଥିଲା । ପୁଣ୍ୟ ଅର୍ଜନର ମାସ, ଭାଗବାତ ଆରଧନାରେ ସମୟ ବିତାଇବାର ମାସ ହେଉଛି କାର୍ତ୍ତିକ ସେଥିପାଇଁ ବିଶେଷ କରି ମହିଳା ମାନେ ଚଳଚଞ୍ଚଳ ଥିବା ଲକ୍ଷ୍ୟ କରାଯାଉଛି । କାର୍ତ୍ତିକ ମାସରେ ଦ୍ୱିତୀୟ ସୋମବାରରେ ଦେବଦର୍ଶନ ପାଇଁ ଦେଖିବାକୁ ମିଳିଛି ତତ୍ପରତା । କାର୍ତ୍ତିକ ବ୍ରତ କରୁଥିବା ହବିଷ୍ୟାଳୀ ମାନେ ଗୋଟିଏ ବେଳା ଭୋଜନ କରିଥାନ୍ତି । ଅନ୍ୟଦିନ ଅପେକ୍ଷା ଏହାଠାରୁ ଭିନ୍ନ । ଭାତ, ଗୋବର୍ଦ୍ଧନ ଝଟା, କଞ୍ଚାକଦଳୀ ଭଳି ପରିବା ମିଶିଥିବା ମୁଗଡାଲି, କାକୁଡି, ଶାଗ, ଗଜାମୁଗ, କୟାଁ ପାଣି, ଦହି ଆଦି ସାଧାସିଧା ଭୋଜନ ତାହା ପୁଣି କଦଳୀ ପତ୍ରରେ ଖାଇବାର ବିଧି ବ୍ୟବସ୍ଥା ରହିଛି । କାର୍ତ୍ତିିକ ମାସର ଦ୍ୱିତୀୟ ସୋମବାର ଅବସରରେ ଶୈବପୀଠ ଗୁଡିକରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କୁ ସ୍ନାନ କରାଯାଇ କ୍ଷୀର, ପଇଡ ଓ ଚନ୍ଦନରେ ମାର୍ଜଣା କରାଯିବା ସହ ୧୦୮ ବେଲପତ୍ର ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ