ଇନଚାର୍ଜ ତହସିଲଦାରରେ ଚାଲିଛି ହାଟଡ଼ିହି ତହସିଲ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ତହସିଲ କାର୍ଯ୍ୟାଳୟଟି କେନ୍ଦୁଝର ଜିଲ୍ଲାର ସର୍ବବୃହତ ତହସିଲ କାର୍ଯ୍ୟାଳୟ ଅଟେ। ଏହି ତହସିଲ ଅଧିନରେ ୩୧ଗୋଟି ଗ୍ରାମ ପଞ୍ଚାୟତ ରହିଥିଲା ବେଳେ ପାଖାପାଖି ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହା ଉପରେ ନିର୍ଭର କରିଥାନ୍ତି। ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ସ୍ଥାନରୁ ଶହ ଶହ ଲୋକ ବିଭିନ୍ନ କାର୍ଯ୍ୟ ନେଇ କାର୍ଯ୍ୟାଳୟକୁ ଆସିଥାନ୍ତି । ତେବେ ବିଭିନ୍ନ ସମୟରେ ତହସିଲଦାର ଅନୁପସ୍ଥିତ ରହୁଥିଲା ବେଳେ ଅନେକ ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟ ଠୁଁ ଆରମ୍ଭ କରି ଲୋକଙ୍କ ଅନେକ ଜରୁରୀ କାର୍ଯ୍ୟ ହୋଇନପାରୁ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥାଏ । ଏହି କାର୍ଯ୍ୟାଳୟ ସ୍ଥାପିତ ହେବା ଦିନ ଠାରୁ ଆଜିଯାଏଁ ସମ୍ପୂର୍ଣ୍ଣ ଅଧିକାରୀଙ୍କ ପଦବୀ ପୂରଣ ନହେବା ଏକ ପ୍ରକାର ଦୁର୍ଭାଗ୍ୟ କହିଲେ ବି ଅତ୍ୟୁକ୍ତି ହେବନାହିଁ। ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସଙ୍କ ବଦଳି ପର ଠାରୁ କାର୍ଯ୍ୟାଳୟରେ ଦୁଇ ଦୁଇଟି ଅତିରିକ୍ତ ତହସିଲଦାରଙ୍କ ପଦବୀ ଶୁନ୍ୟ ହୋଇପଡ଼ିଥିଲା ବେଳେ ତାହା ପୂରଣ ଦିଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଦେଇନାହିଁ। ଏକ ମାସ ତଳେ ତହସିଲଦାର ହାବିଲ ଖାଖାଙ୍କ ବଦଳି ହେବା ପରେ ଘସିପୁରା ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ମନୋଜ କେରକେଟା ବର୍ତମାନ ଭାରପ୍ରାପ୍ତ ତହସିଲଦାର ଭାବେ ଦାୟିତ୍ୱ ବହନ କରୁଛନ୍ତି । ହାଟଡ଼ିହି ତହସିଲ କାର୍ଯ୍ୟାଳୟଟି ଜିଲ୍ଲାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ଅଞ୍ଚଳ ବିଶିଷ୍ଟ ତହସିଲ ଭାବେ ପରିଚିତ ଥିଲାବେଳେ ଏହା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜସ୍ୱ ଜିଲ୍ଲାରେ ଅବସ୍ଥିତ। ଅନେକ ସମୟରେ ତହସିଲଦାରଙ୍କ ପଦବୀ ଶୁନ୍ୟ ରହୁଥିଲା ବେଳେ ଅତିରିକ୍ତ ତହସିଲଦାରଙ୍କ ପଦବୀ ପୂରଣ ପାଇଁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ । ସେହିପରି ହାଟଡିହି ତହସିଲର ତହସିଲଦାର ତହସିଲର ଦାୟିତ୍ଵ ସହିତ ହାଟଡିହି ଉପକୋଷାଗାର ଓ ହାଟଡିହି ଉପ ନିବନ୍ଧକ ଦାୟିତ୍ୱରେ ରହିଥାନ୍ତି। ତେଣୁ ଜଣେ ଅତିରିକ୍ତ ତହସିଲଦାରଙ୍କ ଦ୍ଵାରା ଏତେ ସବୁ କାର୍ଯ୍ଯ ସମ୍ପାଦନ କଷ୍ଟକର ହୋଇପଡୁଛି। ଲୋକମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ଏହି ତହସିଲ ପ୍ରତି ଦୃଷ୍ଟିଦେଇ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଯୁକ୍ତି କରାଇବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ