କବି, ସାମ୍ବାଦିକ ଓ ସାମାଜିକ କର୍ମୀ ବିରଜା ନାୟକଙ୍କର ପରଲୋକ
ବାଲେଶ୍ବର, (ସରୋଜ ପଣ୍ଡା):କବି, ସାମ୍ବାଦିକ ତଥା ସାମାଜିକ କର୍ମୀ ବିରଜା ପ୍ରସାଦ ନାୟକଙ୍କର ଆଜି ୫ଟା ୧୫ ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ତାଙ୍କର ଦୁଇଟି ଯାକ କିଡନି ଅଚଳ ହେବା ପରେ ସେବିଶେଷ ଭାବରେ ଅସୁସ୍ଥ ହୋଇପଡ଼ିବା ସଙ୍ଗେ ସଙ୍ଗେ ମୃତ୍ୟୁ ସହିତ ସଙ୍ଗ୍ରାମ କରୁଥିଲେ । କିଛିମାସ ଧରି ସେ ଡାୟଲିସିସରେ ଥିଲେ । ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଛାତ୍ରାବସ୍ଥାରୁ ଜଣେ ଛାତ୍ରନେତା ଭାବରେ ପରିଚିତ ବିରଜା ନାୟକ ଏକଦା ପୂର୍ବତନ ବିଧାୟକ ଅରୁଣ ଦେଙ୍କର ଘନିଷ୍ଠ ସହଯୋଗୀ ଭାବରେ ମଧ୍ୟ ପରିଚିତ ଥିଲେ । ବାଲେଶ୍ବର ଷ୍ଟେସନ୍ ଛକ ଅଞ୍ଚଳରେ ଥିବା ମାର୍କେଟ୍ କଂପ୍ଲେକ୍ସ ନିର୍ମାଣ ଓ ଉଠାଦୋକାନୀମାନଙ୍କୁ ଥଇଥାନ କରିବାରେ ତାଙ୍କ ବିଶେଷ ଭୂମିକା ଥିଲା । ଓଟିରୋଡ଼୍ ମାର୍କେଟ କଂପ୍ଲେକ୍ସ ବ୍ୟବସାୟୀ ସଙ୍ଘର ସାଧାରଣ ସଂପାଦକ ଭାବରେ ସେ ଅଦ୍ୟାବଧି ଦୋକାନୀମାନଙ୍କର ସ୍ବାର୍ଥପାଇଁ ଲଢ଼ି ଆସୁଥିଲେ । ଏଥି ସହିତ ‘ଦି ଟେଲିଗ୍ରାଫ୍’ର ବାଲେଶ୍ବର ପ୍ରତିନିଧି ତଥା ସ୍ବପ୍ରତିଷ୍ଠିତ ‘୨୪×୭’ ନାମରେ ଏକ ସାପ୍ତାହିକ ସମ୍ବାଦପତ୍ର ମଧ୍ୟ ସେ ସମ୍ପାଦନା କରୁଥିଲେ । ଜଣେ କବି ତଥା ସାରସ୍ବତ ସଂଗଠକ ଭାବରେ ମଧ୍ୟ ସେ ବେଶ୍ ପରିଚୟ ପ୍ରତିଷ୍ଠା କରିଥିଲେ । ବାରିପଦାରେ କିଛିକାଳ ଅବସ୍ଥାନ କରୁଥିଲା ସମୟରେ ‘ଆମେ ମଣିଷ’ ଏବଂ ‘ଓ୍ବେଲନେସ୍ ସେଣ୍ଟର’ ଭଳି କେତେକ ଅନୁଷ୍ଠାନ ମାଧ୍ୟମରେ ସମାଜସେବା କାର୍ଯ୍ୟ କରି ଆସୁଥିଲେ । ଗତ ବର୍ଷ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ଠାରେ ‘ଫେରିଆସ ପକ୍ଷୀ’ ନାମରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରି ସେ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ଭିନ୍ନ ‘ଓ୍ବାଇଡ଼୍ ଏଙ୍ଗେଲ୍’ ନାମରେ ଆଡ଼ଭାଟାଇଜିଂ ଏବଂ ପ୍ଲେସମେଣ୍ଟ ଏଜେନ୍ସି ପ୍ରତିଷ୍ଠା କରି ବାଲେଶ୍ବର ଓ ମୟୂରଭଞ୍ଜ ଅଞ୍ଚଳର ବହୁ ଲୋକଙ୍କୁ ଚାକିରୀ ଦେବାରେ ସହଯୋଗ କରିଥିଲେ । ତାଙ୍କର ପରଲୋକରେ ବାଲେଶ୍ବର ଏବଂ ମୟୂରଭଞ୍ଜରେ ବହୁଲୋକ ଶୋକାଭିଭୂତ ହେବା ସଙ୍ଗେସଙ୍ଗେ ତାଙ୍କୁ ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।