କାମ ସମ୍ପୁର୍ଣ୍ଣ ହୋଇଥିଲେ ବିି କାର୍ଯ୍ୟକ୍ଷମ ହେଉନି ପାନୀୟ ଜଳ ପ୍ରକଳ୍ପ
ହାଟଡିହି, (ବିକାଶ ବିଶ୍ୱାଳ):ଲୋକମାନଙ୍କ ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ସରକାର ଏଥିପ୍ରତି ଆନ୍ତରିକତା ଦେଖାଉ ନାହାନ୍ତି। କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ତିନି ତିନଟି ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେବାରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ହାଟଡିହି ବ୍ଲକ ଧନୁଜୟପୁର ପଞ୍ଚାୟତର ସିଆଡିମାଳିରେ ପ୍ରକଳ୍ପ ଗତ ବର୍ଷେ ହେଲା କାମ ସରିଥିଲେବି ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ। ଏହି ପ୍ରକଳ୍ପରୁ ଆଦିବାସୀ ବହୁଳ କେ ବାଲିପାଳ ପଞ୍ଚାୟତର ବିଭିନ୍ନ ଗାଁକୁ ପାଣି ଯୋଗାଣ ପାଇଁ ବ୍ୟବସ୍ଥା ହୋଇଥିଲା ବେଳେ ଏ ଯାଏ ପାଣି ଟୋପାଏ ଲୋକେ ପାଇପାରି ନାହାନ୍ତି। ଧନୁଜୟପୁର ପଞ୍ଚାୟତ ଓ କେ ବାଲିପାଳ ପଞ୍ଚାୟତର ୯୦ଭାଗରୁ ଊର୍ଦ୍ଧ୍ବ ଆଦିବାସୀ ଓ ଗରିବ ଶ୍ରେଣୀର ଲୋକ ବାସ କରନ୍ତି। ଏଠାରେ ବର୍ଷ ସାରା ପାନୀୟ ଜଳର ଘୋର ଅଭାବ ଦେଖା ଦେଇଥାଏ। କିନ୍ତୁ ଏଯାବତ୍ କେ ବାଲିପାଳ ପଞ୍ଚାୟତର କୌଣସି ଗାଁକୁ ପାଣି ଯୋଗାଣ ହୋଇପାରିନାହିଁ। ଫଳରେ ଲୋକମାନେ ପାଣିପାଇଁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି।କାମ କରୁଥିବା ଠିକା ସଂସ୍ଥା କାମ ବନ୍ଦ କରି ପଳାଇ ଥିବାରୁ କେବେ ପକଳ୍ପ କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ମେଗା ପ୍ରକଳ୍ପ ଠିକାସଂସ୍ଥା କାର୍ଯ୍ୟ ସମ୍ପୁର୍ଣ୍ଣ ହେବା କହି ଆସୁଥିବାବେଳେ ଏହି ପଞ୍ଚାୟତକୁ ପାଣି କିନ୍ତୁ ଯାଉ ନାହିଁ। ଫଳରେ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହୋଇଛି। ସମସ୍ୟା ନେଇ ସରପଞ୍ଚ କୁନ୍ତଳା ନାଇକ ବାରମ୍ବାର ଦାବି କରୁଥିଲେ ବି ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଭାଗୀୟ ଯନ୍ତ୍ରୀ ଉତ୍ସବ ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ରାସ୍ତା ଖୋଳିବାକୁ ଅନୁମତି ନମିଳିବାରୁ କାର୍ଯ୍ୟ ଟିକେ ବିଳମ୍ବ ଘଟିଛି, ଅଳ୍ପଦିନ ମଧ୍ୟରେ ପାଣି ଯୋଗାଣ ଆରମ୍ଭ ହେବ।