କୋମଳମତି ଶିଶୁଙ୍କୁ ଘାରିଛି ମୋବାଇଲ୍‍ ନିଶା

ଆସିକା, (ଯୁଗାବ୍ଦ ନ୍ୟୁଜ):ଏବେ ମୋବାଇଲ୍‍ ମାନିଆ ଏତେ ମାତ୍ରାରେ ବଢିଯାଇଛି ଯେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଏଥିରେ ବ୍ୟସ୍ତ ରହୁଛନ୍ତି । ବିଶେଷକରି କମ୍‍ ବୟସର କୋମଳମତି ଶିଶୁ, ପିଲା ଓ ଯୁବବର୍ଗ ଏହି ମୋବାଇଲରେ ଏତେ ପରିମାଣରେ ସଂପୃକ୍ତ ରହୁଛନ୍ତି ଯେ ସେମାନଙ୍କ ଆଚାର ଓ ବ୍ୟବହାର ବି ଦିନକୁ ଦିନ ବଦଳିବାରେ ଲାଗିଛି । ଯେଉଁ ବୟସରେ ଛୋଟ ଛୋଟ ପିଲାମାନେ ଖେଳକୁଦ ସାଙ୍ଗକୁ ପରିବାରର ସ୍ନେହ ମମତା ଭିତରେ ବାନ୍ଧି ହୋଇ ରହିବା କଥା ସେହି ସମୟରେ ବହୁ ଶିଶୁ ସାମାଜିକ ଜୀବନରେ ଦୂରରେ ରହି ଘଣ୍ଟା ଘଣ୍ଟା ମୋବାଇଲରେ ସମୟ ବିତାଉଥିବା ଦେଖିବାକୁ ମିଳୁଛି । ପିଲାମାନଙ୍କ ଅଝଟକୁ ବନ୍ଦ କରିବା ପାଇଁ ବିଗତ କିଛି ବର୍ଷ ହେଲା ମୋବାଇଲ ଏକ ମାଧ୍ୟମ ପାଲଟିଛି । କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ରହୁଥିବା ଅଭିଭାବକ ଓ ବାପା ମା ନିଜ ପିଲାଙ୍କ ହାତରେ ପ୍ରାୟତଃ ମୋବାଇଲ୍‍ ଖଣ୍ଡିଏ ଧରାଇ ସେମାନଙ୍କୁ ଶାନ୍ତ କରାଉଥିବା ବେଳେ କ୍ରମଶଃ ମୋବାଇଲ ଦେଖା କୋମଳମତି ଶିଶୁଙ୍କ ଏକ ନିଶାରେ ପରିଣତ ହୋଇଗଲାଣି । ଏପରିକି ବହୁ ଶିଶୁ ଖାଇବା ସମୟରେ ମଧ୍ୟ ମୋବାଇଲ୍‍ ଦେଖି ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି । ଏହା ଛୋଟ ଛୋଟ ପିଲାଙ୍କ ମାନସିକ ସ୍ଥିତି ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରା ପ୍ରକାଶ କରିଛନ୍ତି । ୫ ବର୍ଷ ବୟସରୁ ୧୬ ବର୍ଷ ବୟସର ପିଲାଙ୍କ ପାଇଁ ଏହି ମୋବାଇଲ୍‍ ପ୍ରାୟତଃ ଏକ ନିଶାରେ ପରିଣତ ହୋଇଗଲାଣି । ମୋବାଇଲ୍‍ ନିଶାର ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡୁଥିବା ବେଳେ ସେମାନେ ପାଠପଢାରେ ଦୁର୍ବଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି ଏବଂ ଶାରୀରିକ ଦକ୍ଷତା ଉପରେ ମଧ୍ୟ ପ୍ରଭାବ ପକାଉଛି । ଏଥିପାଇଁ ବହୁ କୋମଳମତି ଶିଶୁଙ୍କ ଅଭିଭାବକ ସଂପୁର୍ଣ୍ଣ ରୂପେ ଦାୟୀ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଶିଶୁମାନେ ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଦ୍ୱାରା ଚକ୍ଷୁବାଧିତ ରୋଗରେ ଆକ୍ରାନ୍ତ ହେବା ସାଙ୍ଗକୁ ଅଳ୍ପ ବୟସରୁ ଆଖିକୁ କମ୍‍ ଦେଖାଯିବା, ଆଖିରୁ ଲୁହ ବୋହିବା, ଆଖି କୁଣ୍ଡାଇବା, ସୁନିଦ୍ରା ନହେବା ଭଳି ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏହି ନିଶା କେବଳ ପିଲାଙ୍କ କ୍ଷେତ୍ରରେ ନୁହେଁ ଯୁବ ବର୍ଗଙ୍କୁ ବି ମୋବାଇଲ୍‍ ନିଶା ଘାରିଥିବା ଦେଖିବାକୁ ମିଳୁଛି । ଏହା କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳକୁ ବି ବ୍ୟାପିବାରେ ଲାଗିିଛି । ଘଡିଏ ମୋବାଇଲ୍‍ ନଦେଖିଲେ ଆଜିିକାଲି କୋମଳମତି ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି । ଏହାର କୁପ୍ରଭାବ ଚକ୍ଷୁ ଉପରେ ପଡୁଥିବାରୁ ସାଂପ୍ରତିକ ପରିସ୍ଥିତିରେ ସଚେତନ ହେବାର ନିତାନ୍ତ ଆବଶ୍ୟକତା ରହିଛି । ମୋବାଇଲ୍‍ ମାନିଆ ଯୋଗୁଁ ବହୁ ଶିଶୁଙ୍କ ଦୃଷ୍ଟିଶକ୍ତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଶିଶୁମାନଙ୍କ ସମୀପ ଦୃଷ୍ଟି ଓ ଦୂର ଦୃଷ୍ଟି ଗଭୀର ଭାବେ ମୋବାଇଲ ଯୋଗୁଁ ପ୍ରଭାବିତ ହେଉଛି । ଅଭିଭାବକମାନେ ନିଜ ପିଲାଙ୍କୁ ଯଥା ସମ୍ଭବ ମୋବାଇଲ୍‍, ଟିଭି ଓ କମ୍ପ୍ୟୁଟର ଠାରୁ ଦୂରେଇ ରଖିବା ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ