ଚାଉଳ କାଟିନେଲେ ବୋଲି ଥାନାରେ ଅଭିଯୋଗ କଲେ ହିତାଧିକାରୀ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତରେ ମଲା ଲୋକଙ୍କ ନାମରେ ବର୍ଷ ବର୍ଷ ଧରି ଚାଉଳ ଉଠାଣ ହେଉଥିବା ଜଣା ପଡ଼ିଛି। ତେବେ ଜଣେ ହିତାଧିକାରୀଙ୍କ ଚାଉଳ ରିଟେଲର କାଟିବାରୁ ଏପରି ଘଟଣା ସାମନାକୁ ଆସିଛି। ହିତାଧିକାରୀ ଜଣକ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ବାପିନ ରାଉତଙ୍କ ଅଭିଯୋଗ ଅନୁଯାଇ ତାଙ୍କ ମା ମୀନତି ରାଉତ ଙ୍କ ନାମରେ ଥିବା ରାସନ କାର୍ଡ ନମ୍ବର ୧୮୦୭୧୫୧୦୪୫୦ରେ ସେ ନିୟମିତ ଚାଉଳ ଉଠାନ୍ତି। ତାଙ୍କ ଭଉଣୀ ଗତ ୨୦୨୦ ମସିହାରୁ ମୃତ୍ୟୁ ବରଣ କରିଛନ୍ତି। କିନ୍ତୁ ତାଙ୍କ ନାମରେ ଆଜି ପର୍ଯ୍ୟନ୍ତ ଚାଉଳ ଉଠାଣ ହେଉଛି। ତାଙ୍କୁ ପ୍ରତି ୩ମାସରେ ୯୦କିଲୋ ଚାଉଳ ତାଙ୍କୁ ଦିଆ ଯାଇଥିବା ବେଳେ ଖାତାରେ ୧୦୫କିଲୋ ଲେଖାଏଁ ଲେଖିଥାନ୍ତି। ଗତକାଲି ସେ ଚାଉଳ ପାଇଁ ଯାଇଥିବା ବେଳେ ଗହମକୁ ବାଦ କରି ୬୩ କିଲୋ ଚାଉଳ ପାଇଁ ଆଖି ସ୍କାନକରିଥିଲେ। କିନ୍ତୁ ସରପଞ୍ଚଙ୍କ ପ୍ରତିନିଧି ତାଙ୍କ ଚାଉଳରୁ ୯କିଲୋ କାଟି ରଖିଲେ। ଆପତ୍ତି କରିବାରୁ ସେ ପାଟିତୁଣ୍ଡ କରି ଫେରାଇ ଦେଇଥିଲେ। ଏ ନେଇ ସେ ପୋଲିସର ଦ୍ବାରସ୍ଥ ହୋଇଥିବା ବାପିନ କହିଛନ୍ତି। ତାଙ୍କ ମୃତ ଭଉଣୀ ନାମରେ ୪ବର୍ଷ ହେଲା ଉଠୁଥିବା ଚାଉଳ କିଏ ନେଉଥିଲା ତାହାର ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚଙ୍କ ପ୍ରତିନିଧି କହିଛନ୍ତି ଯେ ପୂର୍ବରୁ ଚାଉଳ ବଣ୍ଟନ ଏସ ଏସ ଜି ଗ୍ରୁପ କରୁଥିଲା। ମଲା ଲୋକଙ୍କ ନାମରେ ଯଦିଓ ଚାଉଳ ଉଠୁଛି ତେଣୁ ଏସ ଏସ ଜି ଗ୍ରୁପ କର୍ତ୍ତୃପକ୍ଷ କହିପାରିବେ କିଏ ତାଙ୍କ ଚାଉଳ ନେଉଥିଲା ବୋଲି। କିନ୍ତୁ ଏବେ ବାପିନ ରାଉତଙ୍କ ପତ୍ନୀ ଅଲଗା ରହୁଥିବାରୁ ତାଙ୍କ ଚାଉଳ ଅଲଗା ନେବେ ବୋଲି ଲିଖିତ ଭାବେ ଜଣାଇବା ପରେ ତିନି ମାସର ୯କିଲୋ ଚାଉଳ ତାଙ୍କ ପାଇଁ ରଖା ଯାଇଛି ବୋଲି କହିଛନ୍ତି।