ଚାଷୀଙ୍କ ଆକାଉଣ୍ଟକୁ ଗଲା ୭୧,୩୪,୫୬, ୩୪୩ ଟଙ୍କା
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ଗତ ୧୬ ତାରିଖରେ ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଶୁଭାରମ୍ଭ କରି ଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ। ଗତ ୧୭ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ୧୧୮୭୯ ଜଣ ଚାଷୀଙ୍କ ଠାରୁ ୩,୯୪,୦୮୫ କୁଇଣ୍ଟାଲ ଧାନ କ୍ରୟ ହୋଇ ସାରିଲାଣି। ଇତି ମଧ୍ୟରେ ୯୩୯୧ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାରେ ୭୧,୩୪,୫୬, ୩୪୩ ଟଙ୍କା ଜମା ହୋଇ ଥିବାର ଜଣାପଡିଛି । ସରକାରଙ୍କ ନୂଆ ନୀତି ଓ ଅତ୍ୟାଧୁନିକ ଗ୍ରେନ ଆନାଲାଇଜର ଯନ୍ତ୍ର ଚାଷୀଙ୍କ ପାଇଁ ହୋଇଛି କାଳ। ସରକାର ଧାନ କିଣାରେ ସ୍ଵଚ୍ଛତା ରକ୍ଷା କରିବାକୁ ଅନେକ ନିୟମ କରିଛନ୍ତି। କିନ୍ତୁ ଚାଷୀଙ୍କ ପାଇଁ ଏହି ନିୟମ ବର୍ତ୍ତମାନ ସମସ୍ୟା ସୃଷ୍ଟି କରିଛି। କେତେ ଦିନ ଧରି ଧାନକୁ ଖଳାରେ ଶୁଖାଇବୁ, ବର୍ଷା ଦାଉ ସାଜିଛି, ଧାନ ଚୋରି ସହ ଗାଈଗୋରୁ ପଶିବାର ସମ୍ଭାବନା ରହିଛି। ସରକାର କରିଥିବା ନିୟମକୁ ଦେଖିଲେ ଗୋଟିଏ ଦିନରେ ମାତ୍ର ୨ରୁ ୩ଜଣ ଚାଷୀ ଧାନ ବିକ୍ରି କରି ପାରିବେ। ମାଲକାନଗିରି ଜିଲ୍ଲାରେ ଅଧିକାଂଶ ସମୟରେ ଲିଙ୍କ୍ ଫେଲ୍ ସମ୍ଭାବନା ରହୁ ଥିବାରୁ ମଣ୍ଡିକୁ ଗଲେ ସୁଦ୍ଧା ଧାନ ବିକ୍ରି ହୋଇ ପାରି ନାହିଁ। ଏମିତି ସ୍ଥିତିରେ ପୁରୁଣା ନିୟମ ଅନୁସାରେ, ଧାନ ଉଠାଇବା ପାଇଁ ଚାଷୀ ଦାବି କରିଛନ୍ତି। ଜିଲ୍ଲାରେ ୧୬ ତାରିଖ ଠାରୁ ମଣ୍ଡି ଆରମ୍ଭ ହୋଇଛି, ଜିଲ୍ଲାରେ ୨୭ମିଲର ଯୋଗାଣ ବିଭାଗ ସହ ଚୁକ୍ତି କରି ମଣ୍ଡିରୁ ଧାନ ଉଠାଇବା ଆରମ୍ଭ କରି ଦେଇଛନ୍ତି, ପ୍ରଥମ ପର୍ଯ୍ୟାୟ ୮ଲକ୍ଷ ୭୩ ହଜାର ୬୧୮ କୁଇଣ୍ଟାଲ ଧାନ ମଣ୍ଡିରେ କ୍ରୟ ହେବାର ଟାର୍ଗେଟ ଥିବା ବେଳେ, ଇତି ମଧ୍ୟରେ ୩ ଲକ୍ଷ ୯୪ ହଜାର ୮୫କୁଇଣ୍ଟାଲ ଧାନ ମଣ୍ଡିରେ ୧୧ ହଜାର ୮୭୯ ଜଣ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇଛି। ୩ଲକ୍ଷ ୪୦ହଜାର ୩୯୩ କୁଇଣ୍ଟାଲ ଧାନ ମଣ୍ଡିରୁ ମିଲର ମାନେ ଉଠାଇ ସାରିଛନ୍ତି, ୫୩ହଜାର ୬୯୧ କୁଇଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ ପଡି ରହି ଥିବାର ଜିଲ୍ଲା ଯୋଗାଣ ବିଭାଗ ସୂତ୍ରରୁ ଜଣା ପଡିଛି।