ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ବିହନ ନିଗମର ସଭାପତି ଅଶୋକ କୁମାର ବରାଳ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପହଞ୍ଚିଥିଲେ। ଗୁମ୍ମା ବ୍ଲକରେ ଗାଇବା ପଞ୍ଚାୟତ ପରିଦର୍ଶନ କରିବା ପରେ ପାରଳାଖେମୁଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ ଡାକବଙ୍ଗଳା ଠାରେ ଗଜପତି ଜିଲ୍ଲା କୃଷକ ସଂଘ ଓ ବିହନ ଉତ୍ପାଦନକାରୀ କୃଷକମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା କୃଷକମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ ହେବା ସହ ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ଚଳିତବର୍ଷ ରାଜ୍ୟ ସରକାର କୃଷକମାନଙ୍କୁ ଦ୍ବିଣ୍ଟାଲ ପିଚ୍ଛା ୩,୧୦୦/- ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ସ୍ଥିର କରିଥିବା ବେଳେ ବିହନ ଉତ୍ପାଦନକାରୀ କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ଥିବା ନେଇ ଆଲୋଚନା ହୋଇଥିଲା. ବିହନ ନିଗମର କହିବା ଅନୁସାରେ ସର୍ବନିମ୍ନ ସହାୟକ ମୂଲ୍ୟ ୩,୧୦୦/- ଟଙ୍କା ମଣ୍ଡିରେ ହିଁ ଦିଆଯିବ । କିନ୍ତୁ ବିହନ ଉତ୍ପାଦନକାରୀ କୃଷକମାନଙ୍କୁ ଦିଆଯିବ ନାହିଁ। ପୂର୍ବ ନିୟମ ଅନୁସାରେ ଦେଖିବାକୁ ଗଲେ ପୂର୍ବରୁ ସର୍ବନିମ୍ନ ସହାୟକ ମୂଲ୍ୟର ୨୭ ପ୍ରତିଶତ ଅଧିକା ଦିଆଯାଉଥିଲା । ଚଳିତବର୍ଷ ତାକୁ ହିସାବ କଲେ ବିହନ ଉତ୍ପାଦନକାରୀ କୃଷକ ମାତ୍ର ୨,୯୦୦/-ଟଙ୍କା ହିଁ କ୍ଵିଣ୍ଟାଲ ପିଛା ପାଉଛନ୍ତି. ମଣ୍ଡିରେ ୩,୧୦୦ ଟଙ୍କା ପାଉଥିବା ସମୟରେ କାହିଁକି ୨୦୦/-ଟଙ୍କା କମ୍ ଦରରେ ସେ ପାଇବ, ସେ ନେଇ ଗଜପତି ଜିଲ୍ଲାର କୃଷକମାନେ ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରିଥିଲେ । ଏ ସମ୍ପର୍କରେ ଏକ ଦାବିପତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ସଭାପତିଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ସର୍ବନିମ୍ନ ସହାୟକ ମୂଲ୍ୟର ୨୭ ପ୍ରତିଶତ ଅଧିକ ଦର ଦେଲେ ବିହନ ଉତ୍ପାଦନକାରୀ କୃଷକମାନେ ବିହନ ନିଗମକୁ ବିହନ ଯୋଗାଇ ଦେବେ ବୋଲି କୁହାଯାଇଛି। ନଚେତ୍ ଆଗମୀ ଦିନରେ ବିହନ ଯୋଗାଣକୁ ନେଇ ବ୍ୟତିକ୍ରମ ଘଟିଲେ, ସେଥିପାଇଁ ନିଗମ ଦାୟୀ ରହିବ ବୋଲି ଜିଲ୍ଲା କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।