ଛେଳି ଫସଲ ଖାଇବାକୁ  କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଅଭିଯୁକ୍ତ ୨ ନାବାଳକ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଖମାରି ଗାଁ ପଞ୍ଚାୟତ କାମରାଖାଲ ଗ୍ରାମରେ ନୃଶଂସ ହତ୍ୟାକାଣ୍ଡ ଘଟିଛି। କାନ୍ଦୁଲ ବାଡ଼ ରେ ଛେଳି ଫସଲ ଖାଇବାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ଗ୍ରାମର ସୁରେନ୍ଦ୍ର ଶବର।  ହତ୍ୟା ରେ ସମ୍ପୃକ୍ତ  ୨ ନାବାଳକ ଙ୍କୁ ଶନିବାର କେ.ନୂଆଗାଁ ପୁଲିସ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିବା ପରେ ଉଭୟଙ୍କୁ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହ କୁ ପଠାଇ ଦିଆଯାଇଛି। ବୁଧବାର  ସୁରେନ୍ଦ୍ରଙ୍କ କାନ୍ଦୁଲ ବାଡ଼ରେ ଜଣେ ନାବାଳକ ନିଜ ଛେଳି ପଲକୁ ଚରାଇବା ପାଇଁ ଛାଡ଼ି ଦେଇଥିଲେ । ଫସଲକୁ ଛେଳି ଖାଇଥିବା ଦେଖି ସୁରେନ୍ଦ୍ର ନାବାଳକ  ଙ୍କୁ ଗାଳିଗୁଲଜ କରିଥିଲେ । ଏହାପରେ ସେ ଛେଳିପଲକୁ ଧରି ସେଠାରୁ ଚାଲି ଯାଇଥିଲେ । ପରେ ନାବାଳକ ଜଣକ ସୁରେନ୍ଦ୍ରଙ୍କ ଗାଳିକୁ ସହ୍ୟ ନ କରି ତାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ । ପରଦିନ ଅର୍ଥାତ ଗୁରୁବାର ସକାଳୁ ନାବାଳକ ଜଣକ ତାର ଅନ୍ଯ ଜଣେ ସାଙ୍ଗ ଙ୍କ ସହ ମିଶି ସୁରେନ୍ଦ୍ରଙ୍କ ଘରକୁ ଯାଇ ତାଙ୍କ ପୁତୁରା ସୁଦର୍ଶନ ଶବରଙ୍କୁ ସୁରେନ୍ଦ୍ରଙ୍କ ବିଷୟରେ ପଚାରିଥିଲେ । ସେ ଘରେ ନ ଥିବା ଜାଣିବା ପରେ ସେଠାରୁ ଚାଲି ଯାଇଥିଲେ । ଏପଟେ ବିଳମ୍ବିତ ରାତି ଯାଏଁ ସୁରେନ୍ଦ୍ର ଘରକୁ ନ ଫେରିବାରୁ ଘର ଲୋକେ ବହୁ ଖୋଜାଖୋଜି କରିଥିଲେ । ଏହାପରେ ଗ୍ରାମର ପ୍ରାୟ ୫୦ ମିଟର ଦୂରରେ ରହିଥିବା ଏକ ଖୋଲା ପଡିଆ ରେ ସୁରେନ୍ଦ୍ରଙ୍କ ମୃତଦେହ ପଡିଥିବା ଜାଣିବାକୁ ପାଇଥିଲେ । ଖବରପାଇ କେ . ନୂଆଗାଁ ଥାନା ଆଇଆଇସି କିଶୋର ଚନ୍ଦ୍ର ସାମଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ ଶୁକ୍ରବାର ସକାଳୁ ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ ଙ୍କ ସମେତ ପୋଲିସ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଖୋଳତାଡ଼ କରିଥିଲେ । ଅନ୍ୟପକ୍ଷରେ ମୃତକଙ୍କ ପୁତୁରା ସୁଦର୍ଶନ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ  ଥାନା ମାମଲା ନଂ. ୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା । ସନ୍ଦେହରେ ପୋଲିସ ଦୁଇ ନାବାଳକଙ୍କୁ ଜେରା କରିବ ପରେ ସେମାନେ ସୁରେନ୍ଦ୍ର ଙ୍କୁ ଏକ ଶୀତବସ୍ତ୍ର ସାହାଯ୍ୟ ରେ  ଶ୍ୱାସରୁଦ୍ଧ କରିବା ପରେ ଏକ ବାଉଁଶ ଠେଙ୍ଗା ରେ ବାଡେଇ ବାଡେଇ ମାରିଥିବା ସ୍ବୀକାର କରିଥିଲେ । ପୋଲିସ ଘଟଣାରେ ବ୍ୟବହୃତ ଶୀତବସ୍ତ୍ର ଓ ବାଉଁଶ ଠେଙ୍ଗା ଜବତ କରିଥିବା ଜଣାପଡିଛି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ