ଜଗତସିଂପୁର ସାଂସଦଙ୍କ ଦ୍ବାରା ବିକାଶମୂଳକ କାର୍ଯ୍ୟକ୍ରମ ନେଇ ସାମ୍ବାଦିକ ସମ୍ମିଳନୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଜଗତସିଂପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇଙ୍କ ପ୍ରଭାବଶାଳୀ ଉଦ୍ୟମରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ନୂଆଗଡ ମାଛଧରା ବନ୍ଦରର ଉନ୍ନତିକରଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନିର୍ମାଣ ନିମନ୍ତେ ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ କେନ୍ଦ୍ର ମତ୍ସ୍ୟ ବିଭାଗ ଦ୍ବାରା ୧୭୯ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଅଛି । ଏହି ଯୋଜନାକୁ ପୂର୍ଣାଙ୍ଗ କରିବା ପାଇଁ ଏହାର କାର୍ଯ୍ୟକାଳକୁ ୨୯ ନଭେମ୍ବର ୨୦୧୫ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଅଛି। ଏହି ନୂଆଗଡ ମାଛଧରା ବନ୍ଦରର ଉନ୍ନତିକରଣ ଦ୍ବାରା ଅସ୍ତରଙ୍ଗ ଅଂଚଳର ୨୦ ହଜାର ମତ୍ସ୍ୟଜୀବି ମାନଙ୍କର ଜୀବନ ଜୀବିକାର ବିକାଶ ହେବା ସହିତ ପୁରୀ,ପାରାଦ୍ଵୀପ ଓ ବାଲେଶ୍ବର ଅଞ୍ଚଳରେ ମାଛଧରା ବୋଟ ଗୁଡିକର ରହଣି ସୁବିଧାଜନକ ହୋଇପାରିବ । କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପ ଓ ଜଗତସିଂପୁର ସାଂସଦ ବିଭୁ ତରାଇଙ୍କ ଉଦ୍ୟମ ମତ୍ସ୍ୟଜୀବି ମହଲରେ ଖୁସିର ଲହରୀ ଖେଳାଇ ଦେଇଛି। ବିକଶିତ ଭାରତ ୨୦୪୭ ର ପର୍ଯ୍ୟଟନ ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ଦ୍ବାରା ମଞ୍ଜୁର କରାଯାଇଥିବା ୨୫୪୧ କୋଟି ଟଙ୍କା ବଜେଟରେ ଐତିହାସିକ,ସଂସ୍କୃତି ସଂପନ୍ନ ପୁରୀ ଓ କୋଣାର୍କର ପର୍ଯ୍ୟଟନ ବିକାଶକୁ ସାମିଲ କରିବା ପାଇଁ ମାନନୀୟ ସଂସଦଙ୍କର ସଂସଦରେ ବଳିଷ୍ଠ ଦାବୀ ଆମ ସଂସଦୀୟ କ୍ଷେତ୍ର ପାଇଁ ଅତ୍ୟକ୍ତ ଗୌରବର ବିଷୟ ହୋଇଛି। ଜଗତସିଂପୁର ସଂସଦୀୟ କ୍ଷେତ୍ରର ସାଂସଦ ଡା. ଶ୍ରୀ ବିଭୁ ପ୍ରସାଦ ତରାଇ ନିଜ ଅଞ୍ଚଳ ଜନ ସମସ୍ୟା ସହିତ ରହି ସମସ୍ୟାର ସମାଧାନ ଓଉନ୍ନତି କରଣ ପାଇଁ ଅବ୍ୟାହିତ ରଖୁଥୁବା ଉଦ୍ୟମ ଜଣେ ଜନ ପ୍ରତିନିଧୂର କର୍ତ୍ତବ୍ୟକୁ ଯଥାର୍ଥତା ପ୍ରତିପାଦନ କରିବା ସହିତ ଜନ ସାଧାରଣରେ ଅତ୍ୟନ୍ତ ପ୍ରଶଂସନୀୟ ଓ ଉତରଦାୟୀ ହୋଇ ପାରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କ ପୁରୀ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ବାଇଁ ସୁଚନା ଦେଇଛନ୍ତି।