ଜଳବାୟୁ ପରିବର୍ତନର ଆହ୍ୱାନ

ୟୁରୋପୀୟ ୟୁନିୟନର କୋପରନିକସ୍ କ୍ଳାଇମେଟ ଚେଞ୍ଜ ସର୍ଭିସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ଶତାବ୍ଦୀରେ ୨୦୨୩ ପରି ୨୦୨୪ ବର୍ଷ ଅତ୍ୟନ୍ତ ଉତପ୍ତ ଥିଲା । ଗତ ୨୦୨୪ ବର୍ଷରେ ହାରାହାରୀ ତାପମାତ୍ରା ୧.୬ ଡିଗ୍ରୀ ସେଲସିୟସ୍ ଥିଲା । ଯାହାକି ପ୍ରି- ଇଣ୍ଡିଷ୍ଟ୍ରିଆଲ ରିଭୋଲେସନ ବର୍ଷ (ଯୁଗ)ଠାରୁ ଅଧିକ । କେବଳ ଏତିକି ନୁହେଁ ୨୦୨୩ ମସିହା ତୁଳନାରେ ୦.୧ ପ୍ରତିଶତ ଅଧିକ ବୋଲି ରିପୋର୍ଟରେ ଉଲ୍ଳେଖ କରିଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲସିୟସ୍‌ରେ ସିମୀତ ରଖିବା ଲାଗି ପ୍ୟାରିସ ଜଳବାୟୁ ରାଜିନାମାରେ ଯେଉଁ ଘୋଷଣା କରାଯାଇଥିଲା, ୨୦୨୪ର ହାରାହାରି ତାପମାତ୍ରା ତାହାକୁ ଟପିଯାଇଛି । କୋପରନିକସ ଆହୁରି ସର୍ତକ କରାଇଦେଇଛି ଯେ, ଯଦି ତାପମାତ୍ରା ବୃଦ୍ଧି ଏହି ଧାରାରେ ଅବ୍ୟାହତ ରହେ ଏବଂ ରାଷ୍ଟ୍ରଗୁଡିକ ମିଳିତ ଭାବେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱ ବୈଶ୍ୱିକ ତାପମାତ୍ରା ୩ଡିଗ୍ରୀ ସେଲସିଅସ୍‌କୁ ଅତିକ୍ରମ କରିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଅନ୍ୟପକ୍ଷରେ ଆସନ୍ତା ୧୦ବର୍ଷ ମଧ୍ୟରେ ବିଶ୍ୱତାପମାତ୍ରାକୁ ୧.୫ ଡିଗ୍ରୀ ସେଲସିଅସରେ ସୀମିତ ରଖିବା ପାଇଁ ପ୍ୟାରିସ ରାଜିନାମା ଯେଉଁ ସୀମା ଧାର୍ଯ୍ୟ କରିଛି, ଗତ ବର୍ଷ ଯେଉଁଭଳି ଭାବେ ବୃଦ୍ଧି ପାଇଛି ତା’ର ମୂଳକାରଣ ହେଉଛ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ ବୃଦ୍ଧି । ଇତିମଧ୍ୟରେ ପ୍ୟାରିସ ଘୋଷଣାନାମାକୁ ୧୦ବର୍ଷ ପୁରି ଯାଇଥିଲେ ମଧ୍ୟ ବିଶ୍ୱ ସମୁଦାୟ ଏ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିଥିବା ଭଳି ମନେହୁଏ ନାହିଁ । ଅପରପକ୍ଷରେ ବିଶ୍ୱର ବୃହତ ଶକ୍ତି ଭାବେ ପରିଚିତ ଆମେରିକା ପୁଣି ଥରେ ପ୍ୟାରିସ ଘୋଷଣାନାମାରୁ ଓହରି ଯାଇଛି, ଯାହାକି ବିଶ୍ୱ ଜଳବାୟୁ ପରିବର୍ତନ ନିୟନ୍ତ୍ରଣ ପାଇଁ ଆଦୌ ଶୁଭଙ୍କର ନୁହେଁ । ୨୦୨୫ର ଜଳବାୟୁ ତଥା ତାପମାତ୍ରା ସମ୍ପର୍କରେ ବିଶ୍ୱର ଅଧିକାଂଶ ପାଣିପାଗ ସଂସ୍ଥା କୌଣସି ପୂର୍ବାନୁମାନ କରିନଥିବାବେଳେ ବିଟ୍ରେନର ସରକାରୀ ପାଣିପାଗ କାର୍ଯ୍ୟାଳୟ ଯେଉଁ ଭବିଷ୍ୟବାଣୀ କରିଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ଭବିଷ୍ୟବାଣୀରେ କୁହାଯାଇଛି ଯେ, ୨୦୨୫ କ୍ରମାଗତ ତୃତୀୟ ବର୍ଷ ପାଇଁ ସବୁଠୁ ଉତପ୍ତ ବର୍ଷ ହୋଇପାରେ । ଏହା ନିସନ୍ଦେହ ଯେ, କ୍ରମାଗତ ତାପମାତ୍ରା ବୃଦ୍ଧି ବା ବିଶ୍ୱ ଜଳବାୟୁ ପରିବର୍ତନ ସମଗ୍ର ପ୍ରାଣୀଜଗତ ପାଇଁ ଅତ୍ୟନ୍ତ ଚିନ୍ତାର କାରଣ ହୋଇଛି । ଏଥିଯୋଗୁଁ ହିମଖଣ୍ଡ ତରଳିବା, ସମୁଦ୍ର ପତନ ବୃଦ୍ଧି ପାଇବା, ଅସହ୍ୟ ଗ୍ରୀଷ୍ମ ପ୍ରବାହ, ପାରଦ ଖସିବା, ଅନିୟମିତ ବର୍ଷା, ବାତ୍ୟା, ବନ୍ୟ ଭଳି ପ୍ରକୃତିର ତାଣ୍ଡବର କାରଣ ହୋଇଛି । ଏହାର ପ୍ରଭାବ ଏବେ ଜନ୍ମଠାରୁ ମୃତ୍ୟୁ, ଚାଷ ଠାରୁ ଜୀବନଜୀବିକା ଉପରେ ପରଲଖିତ ହୋଇଛି । ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ୟାସ ଏବଂ ତାପମାତ୍ରା ବୃଦ୍ଧି ମଣିଷର ସ୍ୱାସ୍ଥ୍ୟ ପ୍ରତି ଗୁରୁତର ପ୍ରଭାବ ପକାଇଥିବା ବେଳେ ଋତୁ ଚକ୍ରରେ ପରିବର୍ତନ ତଥା ଅନିୟମିତ ବର୍ଷା ଚାଷ, ଅତ୍ୟାଧିକ ତାତି ଜୀବନଜୀବିକାକୁ ପ୍ରଭାବିତ କରିଛି । ଜଳବାୟୁ ପରିବର୍ତନ ପାଇଁ ଆମ ଦେଶରେ ଧାନ ଓ ଗହମର ଉତ୍ପାଦନ ୬ରୁ ୧୦ପ୍ରତିଶତ ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି । ଏନଆଇସିଆରଏର ଆକଳନ ଅନୁଯାୟୀ ଆସନ୍ତା ୨୧୦୦ ମସିହା ସୁଦ୍ଧା ଦେଶରେ ଗହମ ଉତ୍ପାଦନ ୨୫ପ୍ରତିଶତ ହ୍ରାସ ପାଇପାରେ । ସେହିପରି ୨୦୮୦ ମସିହା ସୁଦ୍ଧା ଧାନ ଉତ୍ପାଦନ ୧୦ ପ୍ରତିଶତ ହ୍ରାସ ପାଇପାରେ ଗୋଟିଏ ପଟେ ଜନସଂଖ୍ୟା ବଢିଚାଲିଥିବାବେଳେ ଚାଷ ଜମି ହ୍ରାସ ପାଇବା ଏବଂ ଅନିୟମିତ ପାଣିପାଗ ଯୋଗୁଁ ଉତ୍ପାଦନ ହ୍ରାସ ପାଇବା, ଯାହାର ପରିଣତ ସ୍ୱରୁପ ଦେଶରେ ଗୁରୁତର ଖାଦ୍ୟ ସଂକଟ ସୃଷ୍ଟି ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ୨୦୨୧ରେ ଦେଶରେ ଗହମ ଉତ୍ପାଦନ ହ୍ରାସ ପାଇବା, ମାର୍ଚ୍ଚ ମାସରେ ଅସହ୍ୟ ଉତାପ ଯୋଗୁଁ ଦେଶରେ ଗହମ ଉତ୍ପାଦନ ପ୍ରଭାବିତ ହୋଇଥିଲା । କେବଳ ଚାଷ ନୁହେଁ, ଦେଶରେ ଗୁରୁତର ଜଳସଂକଟକୁ ମଧ୍ୟ ଅଣଦେଖା କରାଯାଇନପାରେ । ୨୦୫୦ ମସିହା ସୁଦ୍ଧା ଦେଶରେ ଜଳସଂକଟ ଦେଖାଦେଇପାରେ ବୋଲି ପାଣିପାଗ ବିଶାରଦମାନେ ସତର୍କ କରାଇସାରିଲେଣି । ଗୋଟିଏ ପଟେ ଭୂତଳ ଜଳସ୍ତର ପ୍ରତିବର୍ଷ ହ୍ରାସ ପାଉଥିବା ସମୟରେ ଅନ୍ୟପଟେ ଶୀତଦିନରୁ ନଦୀ, ନାଳ, ଗାଡିଆ, ଜଳଭଣ୍ଡାର ଗୁଡିକ ଶୁଖିଲା ପଡିଲାଣି । ଏହା ନିସନ୍ଦେହ ଯେ, ବିଶ୍ୱ ତାପମାତ୍ରା ବୃଦ୍ଧି ତଥା ଜଳବାୟୁରେ ଦ୍ରୃତ ପରିବର୍ତନ ଏବେ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଜଳବାୟକୁ ସୁରକ୍ଷିତ ରଖିବା ଏବେ ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ, ଏହା ଭୁଲିଯିବା ଅନୁଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ