ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ରକ୍ତର ବିକଳ୍ପ ନାହିଁ। ରକ୍ତଦାତା ସୃଷ୍ଟି ହେଲେ ହିଁ ରକ୍ତର ଅଭାବ ପୂରଣ ହୋଇପାରିବ। ଆବଶ୍ୟକ ହେଉଥିବା ରକ୍ତ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସରକାରୀ ସଂସ୍ଥା, ଧାର୍ମିକ ଓ ଶିକ୍ଷାନୁଷ୍ଠାନ ଦ୍ୱାରା ଆୟୋଜିତ ଶିବିରରୁ ସଂଗୃହୀତ ହୋଇଥାଏ। ଭଞ୍ଜନଗର ରକ୍ତ ଭଣ୍ଡାର ଉପରେ ଗଞ୍ଜାମ ଜିଲ୍ଲା ସହିତ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ରୋଗୀମାନେ ମଧ୍ୟ ନିର୍ଭର କରିଥାନ୍ତି। ଦିନକୁ ଦିନ ଅଧିକରୁ ଅଧିକ ରକ୍ତ ଆବଶ୍ୟକ ପଡ଼ୁଛି। ବର୍ଷକୁ ପ୍ରାୟ ୪ହଜାର ୟୁନିଟ୍ ରକ୍ତ ସଂଗ୍ରହ ହେଉଛି। କିନ୍ତୁ ସେହି ପରିମାଣରେ ରକ୍ତ ଭଣ୍ଡାରର ସୁବିଧା ନାହିଁ। ରକ୍ତ ଭଣ୍ଡାରକୁ ବୃଦ୍ଧି କରିବା ସହିତ କର୍ମକର୍ତ୍ତାକୁ ବୃଦ୍ଧି କରିବାକୁ ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ବିଧାୟକଙ୍କୁ ଅନୁରୋଧ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ଚିକିତ୍ସାଳୟ ସଭାଗୃହରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଡ଼. ସୀତାଂଶୁ ଶେଖର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥିଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀ ଉପସ୍ଥିତ ଥିଲେ। ମେଡ଼ିକାଲର ମ୍ୟାନେଜର ବିଚିତ୍ର କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଚଳିତ ବର୍ଷ ଆୟୋଜିତ କରିଥିବା ରକ୍ତଦାନ ଶିବିରର ୪୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା।