ଜିଲ୍ଲା କୃଷକ ସଂଗଠନର ଆନ୍ଦୋଳନ ଚେତାବନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରାଯାଉନାହିଁ. ଗତ ୧ ବର୍ଷ ତଳେ ଚାଷୀମାନଙ୍କୁ କ୍ଷୟକ୍ଷତିଜନିତ ବୀମା ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଥିଲା. ହେଲେ ବିତିଲା ୧ ବର୍ଷ, ତଥାପି ଚାଷୀଙ୍କୁ ମିଳିଲାନି ବୀମା ଟଙ୍କା. ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଚାଷୀମାନଙ୍କୁ କ୍ଷୟକ୍ଷତିଜନିତ ବୀମା ଟଙ୍କା ପ୍ରଦାନ ନ କଲେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଗଜପତି ଜିଲ୍ଲା କୃଷକ ସଂଘର ସଭାପତି କହିଛନ୍ତି. ଲଗାତର ୩ବର୍ଷ ହେଲା ଗଜପତି ଜିଲ୍ଲାରେ ସ୍ଵାଭାବିକ ଠାରୁ କମ୍ ବର୍ଷା ହେବା ଏକ ଚିରାଚରିତ ପ୍ରକ୍ରିୟା ହୋଇଗଲାଣି। ଚଳିତ ବର୍ଷ ସେପ୍ଟେମ୍ବର ଅକ୍ଟୋବରରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥିଲା। ହେଲେ, ଗତବର୍ଷ ସେପ୍ଟେମ୍ବର ମାସରେ ସବୁକିଛି ଶୁଖିଲା ପଡ଼ିଯାଇଥିଲା। ଯ’ଦ୍ବାରା ଉଚ୍ଚ ଜମି ଓ ମଧ୍ୟମ ଉଚ୍ଚ ଜମିକୁ ମିଶାଇ ଜମି ମରୁଡ଼ି ପ୍ରଭାବିତ ହୋଇଥିଲା ଧାନ ସବୁ ଅଗାଡ଼ି ହୋଇଗଲା ଏବଂ କିଛି ପୋଡ଼ିଗଲା। ଏ ନେଇ ଜିଲ୍ଲା କୃଷକ ସଂଘ, କୃଷି ବିଭାଗ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦ୍ଵାରସ୍ତ ହୋଇଥିଲେ । ବାରମ୍ବାର ଅଭିଯୋଗ ପରେ ଜିଲ୍ଲା କୃଷି ବିଭାଗର ଏକ ତଦନ୍ତକାରୀ ଦଳ ଏବଂ କେନ୍ଦ୍ରରୁ ଆସିଥିବା ଏକ ଦଳ ମିଳିତ ଭାବେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ l କୃଷକ ସଂଘ ତରଫରୁ ମରୁଡି଼ଜନିତ କ୍ଷୟକ୍ଷତିର କାରଣ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଥିଲା । ପରେ ଏକ ଉଚ୍ଚସ୍ତରୀୟ ବୈଠକ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ବସିଥିଲା। ସେଠାରେ ତଥ୍ୟ ଆଧାରରେ କୃଷକମାନଙ୍କର ହୋଇଥିବା କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା କଥା କୁହାଯାଇଥିଲା। ବୀମା ଜରିଆରେ କୃଷକମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥଲା। ଇତିମଧ୍ୟରେ, ଦୀର୍ଘ ଏକ ବର୍ଷ ବିତିଗଲାଣି ଅକ୍ଟୋବର ମାସରେ ଜିଲ୍ଲାର କିଛି ଅଞ୍ଚଳର କୃଷକଙ୍କୁ ବୀମାଜନିତ ଅର୍ଥରାଶି ମିଳିଥିବା ଖବର ମିଳିଥିଲା ସେହି ବୀମା ଟଙ୍କା ମଧ୍ୟ ସମବାୟ ବ୍ୟାଙ୍କରୁ ଋଣ ନେଇଥିବା କୃଷକମାନଙ୍କୁ ହିଁ ମିଳିଥିଲା। କିନ୍ତୁ, ସେହି ଅଞ୍ଚଳର ରାଷ୍ଟ୍ରାୟାତ୍ତ ବ୍ୟାଙ୍କରୁ ଋଣ ନେଇଥିବା କୃଷକମାନଙ୍କୁ ବୀମା ଟଙ୍କା ମିଳିଲା ନାହିଁ । କହିବାକୁ ଗଲେ ଜିଲ୍ଲାର କ୍ଷତିଗ୍ରସ୍ତ ହୋଇଥିବା କୃଷକଙ୍କ ମଧ୍ୟରୁ ମାତ୍ର 2 ପ୍ରତିଶତ କୃଷକଙ୍କୁ ହିଁ ବୀମା ଟଙ୍କା ମିଳିଛି। ଜିଲ୍ଲାର ଆଉ ୯୮ ପ୍ରତିଶତ ଚାଷୀଙ୍କୁ ବୀମା ରାଶି ମିଳି ପାରିଲା ନାହିଁ। ବୀମା କମ୍ପାନିର ଏହି ନୀତିକୁ କୃଷକ ସଂଗଠନ ବିରୋଧ କରିବା ସହ ବଳକା ୯୮ ପ୍ରତିଶତ କୃଷକଙ୍କୁ ଯଥା ଶୀଘ୍ର ବୀମା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଯଦି କୃଷକମାନଙ୍କୁ ବୀମା ରାଶି ପ୍ରଦାନ କରାନଯାଏ ତା’ହେଲେ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ