ଡା. ବୈଷ୍ଣବ ପରିଡା ମେମୋରିଆଲ ଓପନ ଚେସ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨ରେ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ଚତୁର୍ଥ ଡାକ୍ତର ବୈଷ୍ଣବ ପରିଡା ମେମୋରିଆଲ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ନଭେମ୍ବରମାସ ୨ ଓ ୩ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମମାନେ ଅଂଶଗ୍ରହଣ କରିବେ । ଏଥିସହିତ ଜିଲ୍ଲାର ଯେକୈାଣସି ଚେସ୍ ଖେଳାଳୀ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ ବୋଲି ଜିଲ୍ଲା ଚେସ ଆସୋସିଏସନର ସମ୍ପାଦକ ଭବେଶ ମହାନ୍ତି ସୂଚନା ଦେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟର କୃତି ପ୍ରତିଯୋଗୀମାନଙ୍କୁ ୨୫ଟି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯିବାକୁ ଥିବାବେଳେ ଟ୍ରଫି ଓ ନଗଦ କ୍ୟାସ ପ୍ରାଇଜ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହାବ୍ୟତିତ ଚଳିତମାସ ୨୬ତାରିଖରେ ଏକ ସଚେତନତା ଓ ପ୍ରଶିକ୍ଷଣ ଶିବିର ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଆସନ୍ତା ନଭେମ୍ବରମାସରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଅଂଶଗ୍ରହଣକାରୀ ଚେସ ଖେଳାଳୀମାନଙ୍କୁ ସଚେତନ କରାଯିବା ସହ ପ୍ରଶିକ୍ଷଣ ପ୍ରଦାନ କରାଯିବ । ପ୍ରଶିକ୍ଷଣ ଶିବିରରେ ଜାତୀୟ ଇନଷ୍ଟ୍ରକ୍ଟର ସ୍ୱୟାଂଶୁ ଓ ସତ୍ୟକାମଙ୍କ ସହିତ ସର୍ବପରିଚିତ ଅନ୍ତର୍ଜାତୀୟ ମାଷ୍ଟର ରାକେଶ କୁମାର ଜେନା ପ୍ରମୁଖ ଯୋଗଦେଇ ଚେସ ଖେଳାଳୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ଜିଲ୍ଲା ଚେସ ଆସୋସିଏସନର ସଭାପତି ଦେବବ୍ରତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକରେ କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂ, ଉପସଭାପତି ଲଲାଟକେଶରୀ ସାମଲ ଓ ଧରଣୀଧର ସେଠୀ, ଯୁଗ୍ମ ସମ୍ପାଦକ ନାରାୟଣ ଦାସ, କୋଷାଧ୍ୟକ୍ଷ ପିଙ୍କି ମହାପାତ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ହିମାଂଶୁ ନାୟକ ଏବଂ ପ୍ରତାପ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ