ଦୀର୍ଘଦିନ ହେବ ନଳକୂପ ପ୍ଲାଟଫର୍ମ ଭାଙ୍ଗି ହୋଇ ପଡିରହିଛି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତ ଗଙ୍ଗଦା (ମଝିପଡା)ଗ୍ରାମର ବାରିକସାହି ନିକଟରେ ଥିବା ନଳକୂପର ପ୍ଲାଟଫର୍ମଟି ଦୀର୍ଘଦିନ ହେବ ଭାଙ୍ଗି ଯାଇଥିବାରୁ ୧୦ରୁ ଉର୍ଦ୍ଧ୍ୱ ପରିବାର ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମାଂଚଳରେ ନଳକୂପ ବସାଇବା ସହିତ ତାହାର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇବେ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ପାନୀୟ ଜଳ ପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ଳାଟଫର୍ମଟି ଦୀର୍ଘ ଦିନ ହେବ ଭୁଷୁଡି ପଡିବାରୁ ନଳକୂପ ନିକଟକୁ ଯାଇ ହେଉନାହିଁ । ଏପରିକି ଅବଶିଷ୍ଟ ଯେଉଁ ପ୍ଳାଟଫର୍ମ ରହିଛି ତାହା ଫାଟି ଯାଇଥିବାରୁ ତା ଉପରକୁ ଯାଇ ପାଣି ଆଣିବା ବିପଦଜନକ ଅଟେ । ଉକ୍ତ ନଳକୂପ ଉପରେ ନିର୍ଭର କରି ରହୁଥିବା ପରିବାରମାନେ ପାଣି ପାଇଁ ଅନ୍ୟ ନଳକୂପ ଉପରେ ନିର୍ଭର କରୁଛନ୍ତି । ତେଣୁ ଭଙ୍ଗା ପ୍ଳାଟଫର୍ମକୁ ତୁରନ୍ତ ନିର୍ମାଣ କରିବା ପାଇଁ ଗ୍ରାମର ମନୋରଂଜନ ବାରିକ, ବିଦ୍ୟାଧର ବାରିକ, ଶଙ୍କର ବାରିକ, ଶିବ ଜେନା ଆଦି ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହାରକୀ ଯନ୍ତ୍ରୀ ରଶ୍ମିରଂଜନ ଦାସଙ୍କୁ ପଚାରିବାରେ ଉକ୍ତ ପଂଚାୟତର ସରପଂଚଙ୍କୁ ଏବିଷୟରେ ଅବଗତ କରାଯାଇଛି । ଯଥା ଶୀଘ୍ର ଉକ୍ତ ପ୍ଳାଟଫର୍ମର କାର୍ଯ୍ୟ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।