ନରେନ୍ଦ୍ରପୁର ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଗତ ଶନିବାର ସନ୍ଧ୍ୟାରେ ଦିଗପହଣ୍ଡି ଥାନା ନରେନ୍ଦ୍ରପୁର ଗ୍ରାମରେ ଗ୍ୟାସ୍ ସିଲିଣ୍ଡର ପାଇପ ରୁ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଗୋଟିଏ ପରିବାରର ସ୍ବାମୀ , ସ୍ତ୍ରୀ ଓ ପୁଅ ଅଗ୍ନିକାଣ୍ଡରେ ଜଳି ଯାଇ ଗୁରୁତର ଆହାତ ହୋଇଥିଲେ । ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଥିବା ସ୍ବାମୀ ଜି . ବୁଡୁ ରେଡ୍ଡୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ଦିନ ସନ୍ଧ୍ୟା ପ୍ରାୟ ସାଢେ ୬ ଟା ରେ ସ୍ତ୍ରୀ ଜି . ବବି ରେଡ୍ଡୀ ରୁଟି ବେଲୁଥିବା ବେଳେ ସ୍ବାମୀ ବୁଡ଼ୁ ଲାଇଟର ଧରି ଗ୍ୟାସ ଚୁଲା ଜଳାଇଥିଲେ। ସିଲିଣ୍ଡର ପାଇପ ରୁ ଗ୍ୟାସ୍ ନିର୍ଗତ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ସ୍ବାମୀ ବୁଡୁ , ସ୍ତ୍ରୀ ବବି ଏବଂ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ ଜି . କାହ୍ନା ଜଳି ଯାଇଥିଲେ। ଚିତ୍କାର ଶୁଣି ସାହି ପଡୋଶୀ ଲୋକେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବା ରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ବୁଡୁ ଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା । ଦୀର୍ଘ ୬ ଦିନର ଚିକିତ୍ସା ପରେ ଶେଷରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଅପରପକ୍ଷରେ ସ୍ତ୍ରୀ ଓ ପୁଅ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଉଭୟଙ୍କୁ ଘରକୁ ଛଡାଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ରୁ ସ୍ଥାନୀୟ ସରପଞ୍ଚ ଲିଙ୍ଗରାଜ ଦୋରା ଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ସ୍ଥାନୀୟ ତହସିଲଦାର ଅନୀତା ସାହୁଙ୍କୁ ସାକ୍ଷାତ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।