ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ନାବାଳିକାଙ୍କୁ ଶନିବାର ଦିନ ସେହି ଗ୍ରାମର ଜଣେ ଯୁବକ ଅପହରଣ କରି ନେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧୪୧/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନାଙ୍କ ସୂତ୍ରରୁ ପ୍ରକାଶ । ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ନାବାଳିକା ହିଞ୍ଜିଳିକାଟୁ ଅଞ୍ଚଳର ଏକ ମହାବିଦ୍ୟାଳୟରେ +୨ ବାଣିଜ୍ୟ ବିଭାଗ ପ୍ରଥମ ବର୍ଷ ଛାତ୍ରୀ ଅଟନ୍ତି। ଶନିବାର ଦିନ ନାବାଳିକା ଜଣଙ୍କ କଲେଜକୁ ଯିବା ପାଇଁ କହି ଘରୁ ଆସିଥିଲେ। ସନ୍ଧ୍ୟା ସୁଦ୍ଧା ନାବାଳିକା ଜଣଙ୍କ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ଘଟଣା ନେଇ ରବିବାର ନାବାଳିକାଙ୍କ ମା’ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ସେହି ଗ୍ରାମର ହରିଜନ ସାହିର ଜଣେ ଯୁବକ ତାଙ୍କ ନାବାଳିକା ଝିଅକୁ ଅପହରଣ କରିଥିବା ସନ୍ଦେହ କରି ଅଭିଯୋଗରେ ଦର୍ଶାଇଛନ୍ତି।