ନିଶିଦ୍ଧ ଇଲାକା
ୟୁନିଭରସିଟି ଛାତ୍ରୀମାନେ ଯୋଡି ଯୋଡି ହୋଇ କୃଷ୍ଣଚୁଡା ଗଛ ମୂଳେ ହେଉ ବା ନିଛାଟିଆ ପାର୍କରେ ହେଉ ବା ବାଲକୋନି ଠୁ ଆରମ୍ଭ କରି କରିଡରରେ,କଣ ଯେ ଏତେ ଗପନ୍ତି ବୁଝିପାରେନା ଆନି. ତା ସହ ଦିବ୍ୟା ଯେବେ ଆସି ତାଙ୍କ ଗାଁର ଝିଅ ତା ତଳ ବ୍ୟାଚରେ ନାମ ଲେଖାଇ ସ୍କୁଲରେ ଯେମିତି ତା ଛାଇ ପରି ପାଖେ ପାଖେ ବୁଲୁଥିଲା ପୁଣି ସେମିତି ଆରମ୍ଭ କରିଦେଲା ଭାବ . କେବେ ଛାଇ ହୋଇ ଖରାରେ ତ କେବେ ଛତା ହୋଇ ବର୍ଷାରେ ତ କେବେ ଶାଲଟିଏ ପରି ଶୀତରେ. ଦିବ୍ୟାର ଏହି ଗୁଣ ପାଇଁ ଗାଁଟା ସାରା ପଡେ ଉଠେ. ନିଶି ଖୁଡି କହନ୍ତି ହାଇକୋର୍ଟ ତ ନିୟମ କରି ସ୍ୱୀକୃତି ଦେଲାଣି ତୁମେ ଦୁହେଁ କଣ ସେମିତି ସାରା ଜୀବନ ସହସାଥି ହୋଇ ରହିବ ନା କଣ? ଉଲ୍ଲସିତ ହୁଏ ଦିବ୍ୟା କହେ ହଁ ଖୁଡି. ଆନି କିନ୍ତୁ କହେ ଏମିତି କଣ କହୁଛ ଖୁଡି ସାନଭଉଣୀଟା ମୋର ସିଏ. ତା ବାହାଘରକୁ ମୁଁ ତାକୁ ମୋ ନିଜ ହାତରେ ସଜାଇ ବେଦୀକୁ ପଠେଇବି. ଦିବ୍ୟା ରୁଷେ କହେ ତୁମକୁ ଛାଡ଼ି ମୁଁ କାହାକୁ ବାହା ହେବିନି ସତ କହୁଛି. ଆନି ହସି ହସି ଗାଡିଯାଏ. ହେଲେ ସ୍କୁଲ ଜୀବନ ପରେ ଆନି ଯେବେ ସହରରେ ସାମିଲ ହେଲା. ୟୁନିଭରସିଟିରେ ପାଠ ପଢିଲା, ତା ଚାରିପଟେ ଅନେକ ପୁଅ ପ୍ରଜାପତି ପରି ଉଡି ବୁଲୁଥିଲେ ବି ସେ କାହା ହାତରେ ଧରା ଦିଏନି, ଭାବୁଥାଏ ଦିବ୍ୟା କଥା. ତା ଚାହାଣୀ ଗୁଲୁଗୁଲିଆ କଥା, ବେଣୀ,ଠାଣୀ ତାକୁ ଖୁବ ମନେପଡେ. କାଁହିକିର ଉତ୍ତର ପାଉନଥିବା ବେଳେ ଦିବ୍ୟା ଯେବେ ପରବର୍ଷ ସ୍କୁଲ ପାଠ ସାରି ସେହି ଏକା ସହରର ଏକା କଲେଜରେ ନାମ ଲେଖାଇ, ଏକା ହଷ୍ଟେଲରେ ଏକା ରୁମରେ ରହିଲା ଆନି ପାଖରେ,ସତରେ ଆନି ଓ ଦିବ୍ୟାଙ୍କ ଭିତରେ ଗଢିଉଠିଲା ପୁଣି ଗୋଟେ କେମିତି ଅଜବ ସମ୍ପର୍କ. ଅଜବ ଏଇଥିପାଇଁ ଯେ ଜଣଙ୍କ ବିନା ଅନ୍ୟ ଜଣେ ଗୋଟେ ମୁହୂର୍ତ୍ତ ବି ଅଲଗା ରହିପାରନ୍ତିନି. ଏଣିକି ଦେଖାଯାଏ ଆନି ଓ ଦିବ୍ୟା ସାଙ୍ଗ ହୋଇ ଆଖିପାଉନଥିବା ଏକୁଟିଆ ରାସ୍ତାରେ ଯାଉଥାଆନ୍ତି ଦୁଇ ସାଥି କଲେଜର ବହୁ ଦୂର ଯାଏଁ. ଜୁଡୋ କରାଟେ ଶିଖିଥିବା ଦିବ୍ୟାର ଭୟ ନଥାଏ କାହାକୁ.ସେମାନେ ବିସ୍ଲେସଣ କରନ୍ତି ଫୁଲର ସୌନ୍ଦର୍ଯ୍ୟକୁ, ଆକାଶର ଶୂନ୍ୟତାକୁ, ପକ୍ଷୀର ଉଡାଣକୁ ଓ ତା ସହ ସମାଜର କଟକଣାକୁ.ମନପକ୍ଷୀ ଯାହା ଚାହେଁ ତା କରିବାକୁ. ପଚାରେ ଦିବ୍ୟା, ତୁ ମତେ ଛାଡ଼ି କେବେ ଚାଲିଯିବୁନିତ ଆନି? କୁଆଡେ ଆଉ ଯିବି ଦିବ୍ୟା, ତୁ ତ ମୋ ଜୀବନ, ଧନ, ସ୍ବପ୍ନ ଓ ବାସ୍ତବ. ସତ କହୁଛୁ ଆନି, କହି ଦିବ୍ୟା ସେଦିନ ସର୍ବସମ୍ମୁଖରେ ଆନିକୁ ଯୋଉ ଆଲିଙ୍ଗନ ଭିତରେ ଭୁମ୍ବନ ଦେଲା, ସ୍ତବ୍ଧ ହୋଇଗଲା କଲେଜ ପରିସର. କେମିତି କେମିତି ଦୃଷ୍ଟିରେ ଝିଅମାନେ ଦେଖୁଥିବା ବେଳେ, ଅସହଣି ପୁଅଗୁଡା ଆଖି ମିଟିକା ମାରି ଗୋଟେ ଦିଟା କମେଣ୍ଟ ମାରିବାକୁ ପଛେଇଲେନି. ଡରିଗଲା ଆନି. ବାରଣ କଲା ଦିବ୍ୟାକୁ. ଆମକୁ ପ୍ରଥମେ ପାଠ ପଢି ମଣିଷ ପରି ମଣିଷ ହେବାକୁ ପଡିବ. ତୁମେ ମଣିଷ ହେଇଯାଅ ଆନି ମୁଁ ନାରୀ ହେଇକି ରହୁଛି. ତା ଗାଲ ଚିପି ଦେଇ ଚାଲିଯାଏ ଆନି. କିନ୍ତୁ ଏଣିକି ଦୁହେଁ ମନଦେଇ ପାଠ ପଢୁଥିଲେ. ଯୋଗ୍ୟ ନହେଲେ ତାଙ୍କ ସ୍ବପ୍ନ ସତ ହେବ କେମିତି??
ଆନିର ବହୁତ ବିବାହ ପ୍ରସ୍ତାବ ଆସୁଥିଲା, ତାର ଗୋଟିଏ ଉତ୍ତର ଥିଲା ପାଠ ପଢି ନିଜ ଗୋଡ଼ରେ ଠିଆ ହେଲା ପରେ ଯାହା. ଦିବ୍ୟା କିନ୍ତୁ ସଫା ସଫା ଶୁଣେଇଦେଇଥିଲା ବାହା ହେବିତ ଆନିକୁ. କିଏ କହୁଥିଲା ଅଳଜୁକି ତ କିଏ କହୁଥିଲା ଅଳଜୁକି କଣ ଗଛରେ ଫଳନ୍ତି?ପୁଣି କିଏ କହୁଥିଲା ଉଦଣ୍ଡି ସୀତା. ଦିବ୍ୟା ଡରିନଯାଇ କହୁଥିଲା ଆନି ରାଜି କି କରିବ କାଜି. ଡରୁଥିଲେ ଆନିର ବାପା ମାଆ. ଦିବ୍ୟା ବାପା ମାଆ କିନ୍ତୁ ଭାବୁଥିଲେ ଦିବ୍ୟାକୁ ଚଗଲି ଝିଅଟି ତାଙ୍କର.ଦୁହିଁଙ୍କ ପରିବାର ଖୋଜୁଥିଲେ ମାନପସନ୍ଦର ବରଘର. ଦୁନିଆଁ ଯାହା ହେଲାଣି? ଦେଲା ନାରୀ ହେଲା ପାରି. ଗୋଟେ ସମୟ ଥିଲା ବଧୂହତ୍ୟା ଜନିତ ଅପରାଧ ବଢିଚାଲିଥିଲା. ପୁଣି ଗୋଟେ ସମୟ ଆସିଲା ଦୁଷ୍କର୍ମ. ଏସବୁ ଯୋଗୁଁ କନ୍ୟା ସନ୍ତାନ ଜନ୍ମ ଦେବାକୁ ଅନିଛୁକ ପିତା ମାତା ତ ଜନଗଣନା କହୁଛି ପୁଅ ତୁଳନାରେ ଝିଅ ସଂଖ୍ୟା କମ. ସେଥିରେ ଏ ଯେଉଁ ସାମାଜିକ ସ୍ରୋତରେ କେବେ ଜୁଆର ପୁଣି କେବେ ଭଟ୍ଟା, ଆନି ଆଉ ଦିବ୍ୟା ଯଦି ଏକାଠି ରୁହନ୍ତି!ଏମିତି ସବୁ ହେଲେ ଏ ସମାଜ ଆଗକୁ ବଢିବ କେମିତି, ଆନି ବାପା ବୋଉ ବ୍ୟସ୍ତ ହୋଇ ପଡନ୍ତି ଆଶଙ୍କାରେ.
ଆନି କହେ ରହ ବ୍ୟସ୍ତ କାହିଁକି ବାହାଘର ତ ହେବ ମୁଁ ଆଗ ଚାକିରୀ ପାଏ.ଚାକିରୀ ମଧ୍ୟ ପାଇଗଲା ଆନି. କେତେ କେତେ ମାନସିକ ପୁରଣ କରି ଦେବା ଦେବୀ ପୂଜା, ଭୋଗ ରାଗ ଭିତରେ ଆନିର ଦେଖା ନାହିଁ. କେବେ କହେ ଛୁଟି ନାହିଁ, କେବେ କହେ ବହୁତ କାମ ଅଫିସରେ. କେବେ କହେ ଗଣେଷ ପୂଜାକୁ ଗାଁକୁ ଯିବି ହେଲେ ଏବର୍ଷ ଗଣେଷ ପୂଜା ସରି ଆରବର୍ଷ ଗଣେଷ ପୂଜା ଆସିଲାଣି ହେଲେ ଆନି କାହିଁ. ଯେତେ ଦୂର ହେଉ ଏଥର ସେ ଆନି ପାଖକୁ ନିଶ୍ଚୟ ଯିବେ. ତାକୁ ବୁଝେଇ ଘରକୁ ଆଣି ହାତକୁ ଦି ହାତ କରିବେ. ଏଇ ହାତରେ ତାକୁ ପାଳି ପୋଷି ମଣିଷ କରିଛନ୍ତି. ତାଙ୍କ ଝିଅ ହିଁ ଝିଅଟିଏ, ପୁଅ କାହିଁକି ହେବ? ସତକୁ ମିଛ କରୁଥିବା ଗାଁ ଲୋକଙ୍କ ମୁହଁରେ ନିଆଁ ଦେଇ ଝିଅକୁ ତାଙ୍କର ବାହା ଦେବେ. ନଯାଆନ୍ତୁ ବାପା. ସେ କୁଆଡେ ଶ୍ରାଦ୍ଧ କରିବେ ଝିଅର !ମାଆ ହୋଇ ସେ ସହିବେ କେମିତି. ଦଉଡି ଆସିଥିଲେ ମାଆ, ଆଶା ଭରସା ଓ ବିଶ୍ୱାସରେ. ଟ୍ରେନରେ ଅଢେଇ ଦିନର ଯାତ୍ରା ପରେ ସେ ଯେବେ ଓଲ୍ହେଇଲେ ତାଙ୍କୁ ଆନି ବଦଳରେ ଦିବ୍ୟା ନେବାକୁ ଆସିଥିଲା ଷ୍ଟେସନ. ଆଖି ମଳି ମଳି ଚାହିଁଲେ ମାଆ. ହଁ ସେ ଠିକ ଦେଖୁଛନ୍ତି ଦିବ୍ୟାହିଁ ତାଙ୍କ ଜିନିଷ ପତ୍ର ଉଠାଇ ରିକ୍ସାରେ ରଖୁଥିଲା. ମାଆ ତରତର ହୋଇ ଉଠେଇନେଲେ ବ୍ୟାଗ ରିକ୍ସାରୁ, ବୁଝୁଥିଲେ କାଉଣ୍ଟରରେ ଫେରିବା ଟ୍ରେନ କେତେବେଳେ. ଆଉ ଦଶ ମିନିଟରେ ପହଞ୍ଚିବ ଶୁଣି ଆଶ୍ୱସ୍ତ ହୋଇ ଫେରିବା ଟ୍ରେନକୁ ଅପେକ୍ଷା କଲାବେଳକୁ ଦିବ୍ୟା ପୁଣି ଆସି ଜିନିଷ ପତ୍ର ଉଠେଇ ଚାଲନ୍ତୁ ମାଆ କହିଲା ବେଳେ ଟ୍ରେନ ଆସିଯାଇଥିଲା. ଟିକେଟ କାଟି ଉଠୁଥିଲେ ମାଆ ଫେରିବାକୁ ଆନି ଜୀବନରୁ ସବୁଦିନପାଇଁ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ