ପଟ୍ଟାମୁଣ୍ଡାଇ ମହିଳା କଲେଜରେ ଶ୍ରୀଧର ବେହେରା ନୂତନ ଅଧ୍ୟକ୍ଷ ନିଯୁକ୍ତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ନିଯୁକ୍ତି ବିବାଦର ଅନ୍ତ ଘଟିଛି । ବରିଷ୍ଠତା ଭିତ୍ତିରେ ମହାବିଦ୍ୟାଳୟର ଓଡିଆ ବିଭାଗ ଅଧ୍ୟାପକ ଶ୍ରୀଧର ବେହେରାଙ୍କୁ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ବର୍ତ୍ତମାନ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଇତିହାସ ବିଭାଗର ଅଧ୍ୟାପକ ରମେଶ ଚନ୍ଦ୍ର ଦେଠୀଙ୍କୁ ନୂତନ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀ ଦେଠୀଙ୍କ ନିଯୁକ୍ତି ତାରିଖ ଓ ଯୋଗଦାନ ରିପୋର୍ଟକୁ ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରାଯିବାରୁ ତାହା ଜାଲ ବୋଲି ଜଣାପଡିଥିଲା । ଶ୍ରୀ ଦେଠୀ ତାଙ୍କର ଯୋଗଦାନ ରିପୋର୍ଟକୁ ନେଇ ପୃଥକ ପୃଥକ ଦିବସ ଦର୍ଶାଇଥିବାରୁ ସନ୍ଦେହ ଉପୁଜିଥିଲା । ବରିଷ୍ଠତା ଦର୍ଶାଇବାକୁ ଯାଇ ସେ ପିଛିଲା ତାରିଖରେ ଯୋଗଦାନ ରିପୋର୍ଟ ଦାଖଲ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଏସଂକ୍ରାନ୍ତ ଅଭିଯୋଗ ଉପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା-୩୫୩୯୫ ତା ୧୦. ୦୯. ୨୦୨୪ ରିଖ ଏବଂ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ପତ୍ର ସଂଖ୍ୟା- ୨୫୧ ତା ୨୩. ୧୨. ୨୦୨୪ ରିଖ ଅନୁଯାୟି ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଓଡିଆ ବିଭାଗର ଅଧ୍ୟାପକ ଶ୍ରୀଧର ବେହେରାଙ୍କୁ ସଂପୃକ୍ତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହାକୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ନଂ-୧୩୭୫ ତା୨୭. ୧୨. ୨୦୨୪ ରିଖରେ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ନିର୍ଦେଶନାମା ପାଇବା ପରେ ଅଧ୍ୟାପକ ଶ୍ରୀ ବେହେରା ଶୁକ୍ରବାର ନୂତନ ଅଧ୍ୟକ୍ଷ ଭାବେ ଯୋଗଦାନ କରିଛନ୍ତି ।