ପାଷାଣ କଥା

ଗୋଟେ ପଥରରେ
ମଣିଷ ତିଆରି କରିଛି
ଅବିକଳ ମଣିଷର
ପ୍ରତିରୂପ ପ୍ରତିକ୍ରିୟା !

ତା’ ଆଖି କାନ ନାକ
ଦାନ୍ତ ପାଟି ମୁଣ୍ଡ
ଅବିକଳ ମଣିଷପରି
ଯେତେ ସୁନ୍ଦର ଦିଶୁ
ସମସ୍ତେ କହିବେ
ପଥର ହିଁ ପଥର ।

ନା’ ଏ ପଦେ କଥା କହିପାରିବ
କେବେ ରାଗିପାରିବ, ଋଷିପାରିବ
କାହାକୁ ଆଖିପୂରେଇ ଦେଖିପାରିବ
ନିଜ ପାଇଁ ଟୋପେ ଲୁହ ଗଡେଇପାରିବ
କାହା ହୃଦୟର ସ୍ପନ୍ଦନ ଶୁଣିପାରିବ
କାହାରି ମଙ୍ଗଳ ମନାସିପାରିବ
କାହା ମନ କଥା ବୁଝିପାରିବ
ନିଜେ ନିଶ୍ବାସ ପ୍ରଶ୍ବାସ ନେଇପାରିବ
ଜୀବନ୍ତ ମଣିଷଙ୍କ ପରି ?

ହେଲେ କ’ଣ ହେଲା
ମଣିଷ ତ ଆଙ୍କିଛି
ପଥର ଦେହରେ ତା’ ନିଜ କଥା
ପରିସ୍ଥିତିକୁ ସାମ୍ନାକରି କରି
କେମିତି ସେ ପଥର ହୋଇଛି
ଥରକୁ ଥର ଅନେକ ଥର
ସେଥି ପାଇଁ ଏବେ ବି ଆଙ୍କି ଚାଲିଛି
ତା’ ମନ ଗହନର ଅସରନ୍ତି କଥା କାହାଣୀ
କଠିନ ମସୃଣ ପଥର ଛାତିରେ
ପ୍ରତିରୂପ ପ୍ରତିକ୍ରିୟା ଅନନ୍ତ କାଳରୁ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ