ପୁରୀରେ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ମତି
ଭୁବନେଶ୍ୱର : ସୁପ୍ରିମକୋର୍ଟରେ ଚାଲିଛି ରଥଯାତ୍ରାର ଶୁଣାଣୀ । ପୁରୀରେ ରଥଯାତ୍ରା ହେବ କି ନାହିଁ ସେନେଇ ଚୂଡ଼ାନ୍ତ ନିଷ୍ପତି ଶୁଣାଇବେ ସୁପ୍ରିମକୋର୍ଟ । ରଥଯାତ୍ରା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଛନ୍ତି । ବିନା ଭକ୍ତରେ ରଥଯାତ୍ରା ନିମନ୍ତେ ରାଜ୍ୟ ସରକାର ଗଜପତିଙ୍କ ପରାମର୍ଶ ଆଧାରରେ ସତ୍ୟପାଠ ଦାଖଲ କରିଛନ୍ତି । ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି । ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବୋଲି ସଲିସିଟର ଜେନେରାଲ କହିଛନ୍ତି । ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାକୁ ବନ୍ଦ କରାନଯାଉ । କେବଳ ନେଗେଟିଭ ଟେଷ୍ଟ ହୋଇଥିବା ସେବାୟତମାନଙ୍କୁ ଏଥିରେ ସାମିଲ କରାଯାଉ ବୋଲି ସଲିସିଟର ଜେନେରାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ କହିଛନ୍ତି । ପୂର୍ବ ଶୁଣାଣୀ ବେଳେ ରାଜ୍ୟ ସରକାର ରଥଯାତ୍ରା କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ଫଳରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ନେଇ ରାୟ ଶୁଣାଇଥିଲେ । କିନ୍ତୁ ଏବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବଦଳି ଯାଇଥିବାରୁ ରଥଯାତ୍ରା ହେବାର ସମ୍ଭାବନା ବୃଦ୍ଧି ପାଇଛି ।