ପୁରୁଣା ଚିଠି

ବୋଉଲୋ ମୋ ଭୂମିଷ୍ଠ ପ୍ରଣତି ଘେନା କରିବୁ .ତୁ ତ ବାପା ଚାଲିଯିବାପରେ ତାଙ୍କୁ ଝୁରି ଝୁରି ବାୟାଣୀ ହେଇଗଲୁ ,ଡାକ୍ତର ତତେ ଆଲଜାଇମର ପସେଣ୍ଟ କହୁଛନ୍ତି .ତୁ ଆମକୁ କେତେବେଳେ ଚିହ୍ନୁଛୁ ତ କେତେବେଳେ ମତେ ତୋ ନଣନ୍ଦ କମଳିଆପ ବୋଲି ଡ଼ାକୁଛୁ ,କେତେ ଦିଅଁ ଦେବତା କରି ପୁଅ ପାଇଥିଲୁ ଯେ ତାକୁ ଭାଇ ବୋଲି ଡାକି ପ୍ରମାଣ କରିଦେଉଛୁ ଯେ ଝିଅଟିଏ ସବୁ ଭୁଲିଗଲେ ବି ତା ବାପା ମାଆ ଭାଇ ଭଉଣୀ ଙ୍କୁ ଭୁଲି ନଥାଏ ,ତଥାପି ଆମ ମନ ଦୁଃଖ ହେଉଛି ,ଯେ ସନ୍ତାନମାନଙ୍କ ଉର୍ଦ୍ଧରେ ତୋ ବାପା ମାଆ ଭାଇ ଭଉଣୀ ,ଏମିତିକି ତାଙ୍କ ପିଲାମାନଙ୍କ କଥା ମନେ ପକେଇ କହୁଛୁ .ଖାଲି ସେତିକି ନୁହେଁ ତୋ ମାମୁଁଙ୍କୁ ମଧ୍ୟ ନାମ କହି ବେଳେ ବେଳେ ତାଙ୍କ ଘରକୁ ଯିବାକୁ କହୁଛୁ .ଆମକୁ ସବୁ ଚିହ୍ନିଲେ ବି ବେଳେ ବେଳେ ଅନ୍ୟ କିଏ ସବୁ ଭାବିନେଇ ସେହିଭଳି କଥା କହୁଛୁ କିନ୍ତୁ ବାପାଙ୍କୁ ସବୁବେଳେ ଖୋଜୁଛୁ .କୋଉଠି ଅଛନ୍ତି ,କେତେବେଳ ଫେରିବେ ,ତାଙ୍କ ପାଇଁ କଣ ଖାଇବାକୁ ଅଛି କି ନାହିଁ ପଚାରିଚାଲିଛୁ .ତୋର ବାପାଙ୍କ ପ୍ରତି ଥିବା ସ୍ନେହ ପ୍ରେମ ,ଭଲପାଇବା ,ସମ୍ମାନବୋଧକୁ ନେଇ ମୁଁ ଅନେକ ଗୀତ ,କବିତା ,ଗଳ୍ପ ଲେଖିଛି ବୋଉ ,ତା ଭିତରୁ ,”ପ୍ରେମରମଣିଷ “ଗଳ୍ପ ଟି ବହୁ ଆଦୃତ ଲାଭ କରିଛି ,ତୁ ଥରେ ପଢିନିଅନ୍ତୁନି ବୋଉ ??ତଥାପି କେହି ପଢାଇ ଶୁଣେଇ ଦେବ ,ଦଉଛି ଶୁଣିବୁ ଟିକେ ଦଉଛି .
ଗଳ୍ପ – ବୋଉ ସବୁବେଳେ ବାପାଙ୍କ ଉପରେ ଚିଡି ଚିଡି ହୁଏ ,କାରଣ ଅବସର ପରେ ,ପିଲାମାନଙ୍କ ଉପରେ ବୋଝ ନହୋଇ ନିଜ ପେନସନ ଗଣ୍ଡାକ ରେ ନିଜ ହାତ ଗୋଡ଼ ଚାଲିଲା ପର୍ଯ୍ୟନ୍ତ ଚଳିଯିବାକୁ ବୋଉ ର ଇଚ୍ଛା ,ହେଲେ ବାପା ଏଵେ ଭକ୍ତି ପୁଷ୍ପ ଭଜନ ମାଳା ବୋଲି ବହିଟିଏ ର ପ୍ରଥମ ,ଦ୍ୱିତୀୟ ,ତୃତୀୟ ଭାଗ ପ୍ରକାଶିତ କରି ଚତୁର୍ଥ ସଂସ୍କରଣ ପାଇଁ ଲେଖି ଚାଲିଛନ୍ତି ,ସେଥିରେ ଅବଶ୍ୟ ବୋଉର ସଦିଚ୍ଛା ଅଛି ,କିନ୍ତୁ ନିଜ ସହରର ବହୁ ଅନୁଷ୍ଠାନରେ କୋଉଥିରେ ସଭାପତି ,କୋଉଥିରେ ସମ୍ପାଦକ କୋଉଥିରେ କୋଷାଧକ୍ଷ ତ କୋଉଥିରେ ସଭ୍ୟ ହେବା ଦ୍ୱାରା ମାସିକ ,ତ୍ରୟମାସିକ ତଥା ବାର୍ଷିକ ଚାନ୍ଦା ଦେବା ନେଇ ବୋଉର ଆପତ୍ତି କ୍ରମେ ଆମ ଭାଇ ଭଉଣୀଙ୍କୁ ସଂକ୍ରମିତ କରେ ,ଆଉ ବୋଉ ସହ ତାଳ ମିଳାଇ ବାପାଙ୍କ ଅଯଥା ଖରଚ ପାଇଁ ବାପାଙ୍କୁ ଦୋଷୀ ମଣୁ l
ଭାଗ୍ୟର ଘୋର ବିପର୍ଯ୍ୟୟ ବଶତଃ ବାପା ଚାଲିଗଲେ,ଭକ୍ତି ପୁଷ୍ପ ଭଜନ ମାଳାର , ଚତୁର୍ଥ ସଂସ୍କରଣ ପୁର୍ବରୁ ,ଆଉ ବୋଉ ଭାଙ୍ଗି ପଡିଲା ,ସେଦିନ ଆମ ଘରେ ଛୋଟ କାଟିଆ ବସନ୍ତ ସାହିତ୍ୟ ଆସରରେ ,ଯୋଗ ଦେଇଥାନ୍ତି ମୋ ବାପାଙ୍କ ଜନ୍ମିତ ତଥା ମୋ ସହର ପୁରୀ ର ବହୁ ବିଶିଷ୍ଠ ପ୍ରତିଭା ,ଯେଉଁମାନେ ବାପାଙ୍କୁ ଜାଣିଥାନ୍ତି ,ଆଉ ମୋ ପିତୃ ପରିଚୟ ପାଇ,ବାପାଙ୍କର ବିଭିର୍ଣ୍ଣ ଅନୁଷ୍ଠାନ ସହ ସୁସମ୍ପର୍କ ତଥା ଆର୍ଥିକ ଅବଦାନର କଥା କହୁଥିଲେ ପ୍ରତ୍ୟକ ,ସେମାନଙ୍କ ବକ୍ତୃତା ର ପ୍ରାରମ୍ଭରେ ତ ମୋ ଘରକୁ କିଛି ଦିନ ପାଇଁ ବୁଲିବାକୁ ଆସିଥିବା ମୋ ବୋଉ କାନରେ ସବୁ ପଡିଥିଲା l
ତା ପରଠୁ ବୋଉ ଗୁମସୁମ ରହୁଥିଲା ଆଉ ମୁଁ ଯେବେ ଛୋଟ ମୋଟ କଥାରେ ମୋ ସ୍ୱାମୀଙ୍କୁ ଦୋଷ ଦେଇ ଚିଡି ଯାଉଥିଲି ,ବୋଉ ପାଟି ଖୋଲି ମତେ କହିଥିଲା ,ତାକୁ କିଛି କହନା ଝିଅ ,ସେ ହିଁ ତୋର ଏକମାତ୍ର ସାହା ,ଭରସା ,ବନ୍ଧୁ ତଥା ଜୀବନର ପ୍ରତି ଟି ସନ୍ଧିକ୍ଷଣ ମୁହୂର୍ତ୍ତ ର ସାଥି ,ଯିଏ କି ତୋ ସପକ୍ଷରେ ପଦେ କହିବ ,ତୋ ମନ ହୃଦୟ ହାଲକା କରି ,କହିବା ସହ ବୋଉ ତା ଦୁଇ ଆଖିରୁ ଗଡି ଆସୁଥିବା ଦୁଇଧାର ଲୁହ କୁ ପୋଛି ନେଉଥିଲା ,ମୋ ଅଜଣାତରେ ,ଆଉ ସେଦିନ ବି ମୁଁ ବୁଝିପାରିଥିଲି ,ସ୍ୱାମୀହିଁ ,ପ୍ରକୃତରେ ସ୍ତ୍ରୀ ର ସବୁଠାରୁ ପ୍ରେମର ମଣିଷ .ଗଳ୍ପ ଶେଷ l
ବୋଉଲୋ ଗଳ୍ପ ଲେଖି ତୋ ନାମରେ ମନ ଶାନ୍ତି କରିଦେଉଛି ସିନା ,ତୋ କଥା ,ସେଇ ପିଲାଦିନ ,ତୋ ସ୍ନେହ ଆଦର ହୃଦୟରେ ଲେଖି ହେଇଯାଇଛି .କେମିତି ପରକୁ ଆପଣାର କରିନେଉ ଗୋଟେ ମିନିଟରେ ,ଗରୀବ ଦୁଃଖିଙ୍କୁ ଦାନ କରୁ ସାମର୍ଥ୍ୟ ଅନୁସାରେ ,ଛଅଛଟା ପିଲାଙ୍କ ଅଳି ଅର୍ଦ୍ଧଳି ବୁଝିଥାଉ ,ବାପାଙ୍କ ସହ ଅନ୍ୟାନ୍ୟ ଗୁରୁଜନଙ୍କୁ ଯଥାମାନ୍ୟ ଦେବା ,ବନ୍ଧୁବାନ୍ଧବମାନଙ୍କୁ ଠିକ ଭାବେ ସ୍ନେହ ଶ୍ରଦ୍ଧା ଓ ଆନ୍ତରିକତା ଦେଖାଇବାରେ କେବେ କାର୍ପଣ୍ୟ କରିନୁ ତୁ ବୋଉ .ଖାଲି ବାପଘର ନୁହେଁ ଶାଶୁଘର ଲୋକ ମାନଙ୍କ ପ୍ରତି ଉପଯୁକ୍ତ କର୍ତ୍ତବ୍ୟ କର୍ମ କରି ତୁ ତ ଅପରାଜିତା .ପିଇସୀ ଅପାଙ୍କଠୁଁ ବଡ ଝିଆରୀ ହିସାବରେ ଗଳ୍ପରେ ଗଳ୍ପରେ ସବୁ ଘର କଥା ଶୁଣିଥିଲେ ବି ତୁ କେବେ ବି ପାଟି ଖୋଲି ନିଜ ପ୍ରତି ହୋଇଥିବା ନିଯ୍ୟାତନା କଥା କହିନୁ କି ଆମେ ଚାରିଭଉଣୀ ବାହା ଶାହା ହୋଇ ଶାଶୁ ଘର ବିଷୟରେ କିଛି କହିଲେ ତୁ ବାରଣ କରି ତୋ ମହନୀୟତାର ପରିଚୟ ଦେଇ କହୁ ଭାଗ୍ୟରେ ଯାହା ଅଛି ତାକୁ ମାନି ନେଇ ସୁଖରେ ଚଳିବାକୁ ଚେଷ୍ଟା କଲେ ସୁଖୀ ହେବ ,ତୋଠୁ ଏଇ ଚରମ ବାଣୀ ଶୁଣି ଆମେ ସଜାଡି ହେଇ ଯିବା ସଙ୍ଗେ ଘରକୁ ଆସିଥିବା ଦୁଇ ସୁନ୍ଦରୀ ଚାକିରିଆ ବୋହୁ ମଧ୍ୟ ଦେଖେଇଛନ୍ତି ତାଙ୍କ କର୍ତ୍ତବ୍ୟପରାୟଣତା ତଥା ଦାୟିତ୍ୱବୋଧତା .
ତୋ ଠାରୁ ବହୁତ ଶିଖିବାର ଅଛି ବୋଉ ,ଉଦାହରଣ ଦେଇ ସେସବୁ ଲେଖିଲେ ହଜାରେ କଣ ପାଞ୍ଚହଜାର ଶବ୍ଦ ମଧ୍ୟ ଟପିଯିବ ମୋ ଚିଠି .ତୋଠୁ ଶିଖିଛି ଧର୍ଯ୍ୟ, ସାହସ ,ଶାହନଶୀଳତା ,ଖାପଖୁଆଇ ଯେ କୌଣସି ସ୍ଥାନ କାଳ ପାତ୍ର ରେ ଚାଲିଯିବାକୁ ଶିଖିଥିବା ତୋ ବଡ଼ ଝିଅ ମୁଁ ,ତୋ ଝିଅ ବୋଲି ଗର୍ବ କରେ ,ତୋ ଆଦର୍ଶ ଶିକ୍ଷାକୁ ପାଥେୟ କରି ବାଟ ଚାଲୁଛି ଓ ଚାଲୁଥିବି ବୋଉ .
ତୁ ବାପାଙ୍କ ପ୍ରେରଣା ,ତୁ ବାପାଙ୍କ ପ୍ରେମ ତୁ ବାପାଙ୍କ ଦଦରା ନାଆ ର ନାଉରୀ ,କିନ୍ତୁ ଅସମୟରେ ତତେ ଛାଡି ବାପା ଚାଲିଯିବା ପରେ ତୁ କେମିତି ଭାଙ୍ଗି ପଡ଼ିଲୁ ବୋଉ ?ବାପାଙ୍କ ପ୍ରତି ତୋର କର୍ତ୍ତବ୍ୟ ,ଦାୟିତ୍ବ ,ସରିଗଲା ପରେ ତୁ ଜଗା ପ୍ରେମରେ ବୁଡି ଯାଇ ଜୀବନକୁ ସରଳ ସରସ ସୁନ୍ଦର କରି ଅନ୍ୟ ପାଞ୍ଚଜଣଙ୍କ ପରି ବଞ୍ଚିନପାରି ,ତୋ ପ୍ରେମ କୁ ଝୁରି ବାୟାଣୀ ହେଇଗଲୁ ,ତ କାହିଁ ଗଲା ତୋ ପୂର୍ବ ସାହସ ,ଧର୍ଯ୍ୟ ,ସୌନ୍ଦର୍ଯ୍ୟ ଓ ବୁଦ୍ଧିମତ୍ତା ???
ସେଦିନ ତୋ ହାତରୁ ନାଲି ନାଲି ଶଙ୍ଖା ସବୁ ଉତୁରି ଗଲା ପରେ ,ତୁ ଯେଉଁ ବିକଳରେ ଲୁଗା ପଣତ ତଳେ ଖାଲି ହାତକୁ ଘୋଡେଇ ପକାଉଥିଲୁ ,ସେ ଦୃଶ୍ୟ ମୁଁ ଭୁଲିନି ,ହୃଦୟ ଭିତରେ ତୋ ପାଇଁ କିଛି କରିପାରିନଥିବା ଗ୍ଳାନିରେ ମୁଁ ସଦା ଛଟପଟ ,ମୁଁ ତୋ ପାଇଁ କେତେ କଣ କରିବି ଭାବି କିଛି କରିପାରିନଥିବା ଭିତରେ ତୁ ଭଲରେ ଅଛୁ ,ତୋ ଦୁଇ ପୁଅଙ୍କ ପାଖରେ ,ଆଉ ପ୍ରମାଣ କରିଦେଇଛୁ ପୁଅ ପାଖେ ରହିଲେ ଦାଣ୍ଡ ସୁନ୍ଦର , ତୁ ଏହିକଥା ଅନେକ ଥର କହୁ ଆଉ ସେଇଥି ପାଇଁ କି କଣ ଜମା ରାଜି ହେଉନି ଆମ ପାଖକୁ ଆସିବାକୁ .
ସବୁଠୁ ବଡ଼ କଥା କଣ ଜାଣୁ ବୋଉ ,ତୋର ଏ ଭୁଲା ପଣ ଯୋଗୁଁ ତୁ ଆହୁରି ଅନେକ ଦୁଃଖ କୁ ପାଖରୁ ଦେଖିବି ଜାଣିପାରିଲୁନି ,ସେଥିପାଇଁ ତୋର ବାପାଙ୍କ ପ୍ରତି ଥିବା ପ୍ରେମ ହିଁ ତତେ ରକ୍ଷା କରିଦେଇଛି ବୋଉ ,ନହେଲେ ତୁ କଣ ସହିପାରିଥାନ୍ତୁ ଶାରଦା ,ତୋ ଦ୍ୱିତୀୟ ଜୋଇଁଙ୍କର କ୍ୟାନ୍ସସରରେ ମୃତ୍ୟୁ ହେବାର ଦୁଃଖ ,ନା ତୁ ସାହିପାରିଥାନ୍ତୁ ,ତୋ ଭଣଜାର ବିବାହ ବିଚ୍ଛେଦ ଦୁଃଖ ନା ତୁ ସାହିପାରିଥାନ୍ତୁ ତୋ ବଡଭାଇର ବଡ ପୁଅ ,ରୁବାଭାଇର ହୃଦଘାତ ମୃତ୍ୟୁ ତୁ ସାହିପାରିଥାନ୍ତୁ ବୋଉ ,ତେଣୁ ତୋରି ଖଣ୍ଡ ବାକ୍ୟ ,ଯାହା କରନ୍ତି ସାଇଁ ,ତାହା ସବୁରି ମଙ୍ଗଳ ପାଇଁ ,ଆଜି ତୋରି ପାଖେ ପ୍ରମାଣିତ ହୋଇ ସାରିଥିଲେ ବି ,ତୁ କିଛି ନକହି ବି ସବୁବେଳେ କହୁ ଯେ ତୋ ଜୀବନରେ ତୁ ଯୋଉ ଦୁଃଖ କଷ୍ଟ ସହିଛୁ ,ଆଉ ଅଧିକ କି ଦୁଃଖ ଦେବେ ଭଗବାନ ?
ବୋଉଲୋ ,ଏ ସଂସାର ପରା ଦୁଃଖମୟ ,ତୁ ଜାଣିଲୁନି ମହାମାରୀ ,କରୋନା ର ପ୍ରକୋପ ,କେତେ କିଏ ଉଜୁଡି ଗଲେ .ତୁ ବି ଦେଖିଲୁନି କି ଶୁଣିବି ଜାଣି ପାରୁନୁ ଯୁଦ୍ଧର ଭୟଭୟତା ,ସେଇଥିପାଇଁ କି କଣ ଭଗବାନ ତତେ ,ତୋ ଠାରୁ ତୋ ପ୍ରେମ ଛଡେଇ ନେଇ ଆଲଜାଇମର ରୋଗୀ କରିଦେଲେ କି ବୋଉ ?ଆମେ ଅନ୍ତତଃ ଅନାଥ ହେବୁନି,ତୁ ବସିଥିବୁ ,ହସିଦେଉଥିବୁ ,ପାନ ଖିଆ ଦାନ୍ତ ଦେଖାଇ ଏଣୁ ତେଣୁ ଗପୁ ଥିବୁ କିନ୍ତୁ ନିଜ ପରିବାର ,ସମାଜ ,ରାଜ୍ୟ କି ଦେଶର ଦୁଃଖ ଦେଖି ପାରୁନଥିବୁ ,ତୋଠୁ ବଳି ଧର୍ମ ପରାୟଣ ମହିଳା କେତେ ଜଣ ଅଛନ୍ତି ବୋଉ ?
ବୋଉ ,ତୋର କାଳିଆ କଥା ମନେ ପଡ଼େନି ?ତାଙ୍କୁ ଛାଡି ତୁ ଭୁବନେଶ୍ୱର ଯିବୁନି ବୋଲି କହୁ ,ଏଵେ ତ ପୁରୀ ଭୁବନେଶ୍ୱର ,ସବୁ ଜାଗା ତୋ ପାଇଁ ସମାନ ନା ବୋଉ ,ଏଇଥିପାଇଁ ରହିଯାଇଛୁ ତୋ ପ୍ରେମର ଠାକୁର ଜଗନ୍ନାଥଙ୍କୁ ଛାଡି ,ନା ଅଭିମାନ କରିଛୁ ବୋଉ ,ବାପାଙ୍କୁ ଛଡାଇ ନେଇ ତୋ ପ୍ରତି ଅନ୍ୟାୟ କରିଥିବାରୁ ,ଭୁଲିଗଲୁକି ଜଗାଙ୍କୁ ଆଉ ଏ ନିଜ ହାତ ଗଢ଼ା ସଂସାରକୁ ?କାହିଁ ଭୁଲିନୁ ତ ବାପାଙ୍କୁ ,ପଚାରୁଛୁ ତୋ ପ୍ରେମର ସନ୍ତକ ତୋ ଝୁଣ୍ଟିଆ କୁଆଡେ ଗଲା ବୋଲି ,ଖୋଜୁଛୁ ବାପାଙ୍କୁ ,କୋଉଠି ଅଛନ୍ତି ,ତଥା କେତେବେଳେ ଫେରିବେ ବୋଲି .ହଉ ବୋଉ ଏମିତି ବସିଥା ଆଉ ତୋ ପ୍ରେମକୁ ଝୁରୁଥା କିନ୍ତୁ ଆମକୁ ଅନାଥ କରେନାହିଁ. ଏବେ ତୁ ଦୁଇମାସ ହେଲା ବାପାଙ୍କ ପାଖକୁ ଫେରିଗଲୁଣି ଆଖିରେ ଆଖିଏ ଲୁହ ନେଇ ଚିଠି ପଢୁଛି ନିଜେ .ରହିଲି .ଇତି
ତୋ ବଡ଼ଝିଅ ରେବା
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ