ପୋଲିସ ଉପସ୍ଥିତିରେ ମ୍ୟାଜିଷ୍ଟେଟଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୋଲିସ ଉପସ୍ଥିତିରେ ଜଣେ ଦଳିତ ବର୍ଗର ମ୍ୟାଜିଷ୍ଟେଟଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରାଯିବା ସହ ଆକ୍ରମଣ କରାଯାଇଥିବା ବେଳେ ପୋଲିସ ଦର୍ଶକ ସାଜିଥିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ଯେଉଁଠି ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଯାଇ ଜଣେ ଦଳିତ ବର୍ଗର ମ୍ୟାଜିଷ୍ଟେଟ୍ ସୁରକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି ସେଠି ସାଧାରଣ ଜନତା କେତେ ସୁରକ୍ଷିତ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବାବର ବଜାରରେ ଗତ ୯.୧୧. ୨୦୨୪ ରିଖ ଅପରାହ୍ନରେ ରାସ୍ତାରୋକ କରାଯାଇଥିବା ସମ୍ପର୍କରେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ଠାରୁ ଟେଲିଫୋନ ଯୋଗେ ଖବର ପାଇବା ପରେ ମହାକାଳପଡା ତହସିଲଦାର ତଥା ଏକଜିକ୍ୟୁଟିଭ ମ୍ୟାଜିଷ୍ଟେଟ ଶିବ ମଲ୍ଲିକ ଘଟଣାସ୍ଥଳକୁ ଏକ ଭଡା ଗାଡିରେ ଯାଇଥିଲେ । ସେଠାରେ ପହଞ୍ଚି ଏକଜିକ୍ୟୁଟିଭ ମ୍ୟାଜିଷ୍ଟେଟ ଶ୍ରୀ ମଲ୍ଲିକ ଦେଖିଲେ ଯେ ବହୁ ସଂଖ୍ୟାରେ ଲୋକମାନେ ରାସ୍ତାରୋକ ସ୍ଥଳରେ ଉପସ୍ଥିତ ଥିବା ବେଳେ କେତେକ ଅସାମାଜିକ ବ୍ୟକ୍ତି ବିଭିନ୍ନ ହତିଆର ଓ ମାରଣାସ୍ତ୍ର ସହ ସେହି ସାଧାରଣ ଜନତାଙ୍କ ମଧ୍ୟରେ ଉପସ୍ଥିତ ରହି କୈାଣସି ଏକ ଅଘଟଣ ଘଟାଇବା ପାଇଁ ଅପେକ୍ଷାରେ ରହିଛନ୍ତି । ରାସ୍ତାରୋକ ଦ୍ୱାରା ଟ୍ରାଫିକ ଗୁରୁତ୍ତର ଭାବେ ବ୍ୟାହତ ହୋଇଥିବା ବେଳେ ସେମାନେ ଆମ୍ବୁଲାନ୍ସକୁ ମଧ୍ୟ ସେହି ରାସ୍ତାରେ ଛାଡୁନଥିବା ଦେଖାଯାଇଥିଲା । ମହାକାଳପଡା ତହସିଲଦାର ତଥା ଏକଜିକ୍ୟୁଟିଭ ମ୍ୟାଜିଷ୍ଟେଟ୍ କିଛି ବୁଝିବା ପୂର୍ବରୁ ସେହି ଅସାମାଜିକ ବ୍ୟକ୍ତିମାନେ ତାଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ମଧ୍ୟରେ କେତେକ ବାରମ୍ବାର ଅପରାଧରେ ଲିପ୍ତ ଥିବା ବ୍ୟକ୍ତି ମଧ୍ୟ ରହିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ସଞ୍ଜୟ କୁମାର ଜେନା ପୋଲିସ ଫୋର୍ସ ସହିତ ଉପସ୍ଥିତ ଥିଲେ ବି କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ମହାକାଳପଡା ତହସିଲଦାର ତଥା ମ୍ୟାଜିଷ୍ଟେଟ୍ ଶ୍ରୀ ମଲ୍ଲିକ ଗତ ୧୦.୧୧.୨୦୨୪ରିଖରେ ତନ୍ତିଆପାଳ ସାମୁଦ୍ରିକ ଥାନାରେ ୧୬ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ପୋଲିସ ମ୍ୟାଜିଷ୍ଟେଟ୍ ଶ୍ରୀ ମଲ୍ଲିକଙ୍କ ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର ୧୫୯/୨୦୨୪ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୨୯୬, ୧୧୫(୨), ୧୩୨, ୩୫୧(୨), ୩(୫), ଅନୁସୂଚିତ ଜାତି ଜନଜାତି ନିର୍ଯ୍ୟାତନା ସୁରକ୍ଷା ଆଇନର ୩(୧)(ଆର), ୩(୧)(ଏସ) ଓ ୩(୨)(ଭିଏ)ଦଫାରେ ଏକ ମାମଲା ରୁଜୁ କରିଛି । କିନ୍ତୁ ଅଦ୍ୟାବଧି ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରିନଥିବା ଜଣାପଡିଛି । କେତେକ ଅସାମାଜିକ ବ୍ୟକ୍ତି ବେଆଇନ ଭାବେ ଏହି ରାସ୍ତାରୋକ କଲେ । ରାସ୍ତାରୋକ ଫଳରେ ଯେଉଁ ସମସ୍ୟା ସୃଷ୍ଟି ହେଲା ସେଥିପାଇଁ ତନ୍ତିଆପାଳ ଥାନା ପୋଲିସ ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରି ବରଂ ସେମାନଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଛି । ବେଆଇନ ରାସ୍ତାରୋକ କରିଥିବା ସେହି ଅସାମାଜିକ ବ୍ୟକ୍ତିମାନଙ୍କୁ ପୋଲିସ ଗିରଫ କରିନଥିବା ବେଳେ ମ୍ୟାଜିଷ୍ଟେଟ୍ ଶ୍ରୀ ମଲ୍ଲିକଙ୍କୁ ଗାଳିଗୁଲଜ ଓ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୁକ୍ତମାନଙ୍କୁ ମଧ୍ୟ ପୋଲିସ ଗିରଫ ନକରି ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ସେହି ଅଞ୍ଚଳର ବାସୁଦେବ ମଣ୍ଡଳ, ସୁଲୋଚନା ନାୟକ, କରୁଣାକର ନାୟକ, ପ୍ରସନ୍ନ ସେଠୀ, ପଞ୍ଚାନନ ଖୁଣ୍ଟିଆ, ହେମନ୍ତ ନାୟକ ପ୍ରମୁଖ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, କେନ୍ଦ୍ରାଞ୍ଚଳ ଆଇଜି, ପୋଲିସ ମହାନିର୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ