ବଣିକ ସଂଘ ପକ୍ଷରୁ ଆସିକାରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ
ଆସିକା, (ଯୁଗାବ୍ଦ ନ୍ୟୁଜ):ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷା ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଟପ୍ପର ହୋଇଥିବା ୫ଜଣ ବିଦ୍ୟାର୍ଥୀଙ୍କୁ ଆସିକା ବଣିକ ସଂଘ ଏକ ସ୍ୱତନ୍ତ୍ର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ଆସିକା ବଣିକ ସଂଘର ଏକ ସାଧାରଣ ବୈଠକ କଳିଙ୍ଗ ରୋଡ ସ୍ଥିତ ଓମ୍ ଶାନ୍ତି ଭବନ ନିକଟସ୍ଥ ସଂଘର ନିଜସ୍ୱ ଗୃହ ପରିସରରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆସିକା ବଣିକ ସଂଘର ସଭାପତି ଅରୁଣ କୁମାର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆସିକା ବଣିକ ସଂଘର ଉପଦେଷ୍ଟା ଇ. ଅରୁଣ କୁମାର ପାତ୍ର, ବଣିକ ସଂଘର ସଂପାଦକ ସିମାଞ୍ଚଳ ପରିଡା, କୋଷାଧ୍ୟକ୍ଷ ମନୋଜ କୁମାର ମୁନି, ଉପସଭାପତି ୟୁ.ସଂଜୟ କୁମାର ପାତ୍ର ଓ ଶ୍ୟାମସୁନ୍ଦର ପାଢୀ, ଯୁଗ୍ମ ସଂପାଦକ କେ.ସତ୍ୟନାରାୟଣ ପାତ୍ର ପ୍ରମୁଖ ଯୋଗଦେଇ ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷା ୨୦୨୨ ରେ ସାରା ରାଜ୍ୟରେ ୬୮ତମ ର୍ୟାଙ୍କରେ କୃତିତ୍ୱ ହାସଲ କରିଥିବା ଆସିକା ଏନ୍ଏସି ଅଧିନସ୍ଥ ବାଣିବିହାର ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ମିହିରକାନ୍ତ ମହାପାତ୍ର ଓ ହରିହର ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସବିତା ତ୍ରିପାଠୀଙ୍କ ସୁକନ୍ୟା ରଚିତା ମହାପାତ୍ର ଏବଂକେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିବା ଆସିକା ଲାଲାଶାସନ ଗ୍ରାମର ପ୍ରଦୀପ କୁମାର ଶତପଥୀ ଓ ଗୃହିଣୀ ସୁଜାତା ଶତପଥୀଙ୍କ ସୁକନ୍ୟା ତଥା ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସାଇନା ଶତପଥୀ ଏବଂ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ପ୍ରାତିଚି ସେଠୀ ଏବଂ ଆଲୋକ କୁମାର ପାଣିଗ୍ରାହୀ ଓ ସରକାରୀ ଏନ୍ଏସି ନୋଡାଲ୍ ହାଇସ୍କୁଲର ଛାତ୍ରୀ ଦୀପିକାରାଣୀ ମୁନିଙ୍କ ଉଦ୍ଦେଶ୍ୟରେ ଇ. ଅରୁଣ କୁମାର ପାତ୍ର ଟ୍ରଫି ଫର୍ ଏକ୍ସେଲେନ୍ସି ସମ୍ମାନରେ ସମ୍ମାନିତ କରାଯିବା ସହ ସିଲ୍ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆସିକା ବଣିକ ସଂଘର ଉପଦେଷ୍ଟା ଇ.ଅରୁଣ କୁମାର ପାତ୍ର ନିଜ ବକ୍ତବ୍ୟରେ କହିଲେ ଯେ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜୀବନରେ ସଫଳତା ପାଇଥାନ୍ତି । ଏଥିପାଇଁ ଧୈଯ୍ୟ ଓ ନିଷ୍ଠାର ଆବଶ୍ୟକତା ହୋଇଥିବା ବେଳେ ପିତାମାତାଙ୍କ ସେବା ଓ ଗୁରୁଜନମାନଙ୍କ ଆଶୀର୍ବାଦକୁ ପାଥେୟ କରି ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ ପୂର୍ବକ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ବଣିକ ସଂଘର ସକ୍ରିୟ ସଦସ୍ୟ ପି.ରାଜା ପାତ୍ର, ପି.ଶ୍ରୀନିବାସ ପାତ୍ର, ଟି.ଅଶୋକ କୁମାର ପାତ୍ର, ଶଙ୍କର ସାହୁ, ଶଙ୍କର ମୁନି, କ୍ଷୀରାବ୍ଦି ପାତ୍ର, ଅଜିତ୍ କୁମାର ଦାଶ, ଧିରେଶ ପାତ୍ର, ଗୋପାଳକୃଷ୍ଣ ପାତ୍ର, ଜନାର୍ଦ୍ଦନ ପାତ୍ର, ଦେବାଶିଷ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ସଂଘର ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବଣିକ ସଂଘର ଏହି ସାଧାରଣ ବୈଠକରେ ଏକ୍ସିସ୍ ବ୍ୟାଙ୍କ ଆସିକା ଶାଖାର ପରିଚାଳକ ବିଶ୍ୱଜିତ ରାୟ ଯୋଗଦେଇ ଛାତ୍ରଛାତ୍ରୀମାନେ ଉଚ୍ଚତର ପାଠ ପଢିବା ଏବଂ ବ୍ୟବସାୟୀମାନଙ୍କୁ ବିଭିନ୍ନ ସ୍କିମ୍ ଜରିଆରେ ଦିଆଯାଉଥିବା ଋଣ ଉପରେ ଗୁରୁତ୍ୱାରୋପ କରିଥିଲା ବେଳେ ଅଗ୍ରଣୀ କମ୍ପ୍ୟୁଟର ସଂସ୍ଥା ଟାଲି ପକ୍ଷରୁ ବି.ମୋହନ ରାଓ ଯୋଗଦେଇ କମ୍ପ୍ୟୁଟରର ବ୍ୟବହାର ସଂକ୍ରାନ୍ତରେ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।