ବସ ଧକ୍କାରେ ମୃତ୍ୟୁ ଘଟଣା ପୂର୍ବତନ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାସ୍ତା ରୋକ ହଟିଲା

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ଥାନା ଅନ୍ତର୍ଗତ ରାଆଣ୍ଡି ନିକଟରେ ଘଟିଥିବା ମୁଖ୍ୟମନ୍ତ୍ରୀ ସରକାରୀ ବସ ଓ ବାଇକ୍ ଦୁର୍ଘଟଣା ଘଟଣାରେ ଦୁଇ ଜଣକ ମୃତ୍ୟୁ ଘଟିବା ଯୋଗୁଁ କ୍ଷତି ପୁରଣ ଦାବିରେ ଗ୍ରାମବାସୀ ବୃନ୍ଦ ପୋଲସରା ବ୍ଲକ ଛକରେ ରାସ୍ତାରୋକ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ହସ୍ତକ୍ଷେପ ପରେ ରାସ୍ତାରୋକ ହଟିଥିଲା । ଗତ ନଭେମ୍ବର ୫ ତାରିଖ ଦିନ ଲକ୍ଷ୍ମୀ ବସ ଧକ୍କାରେ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଆହତ ହୋଇଥିଲେ। ଚିକିତ୍ସା ପରେ ଡକ୍ଟରଖାନାରୁ ଫେରିବା ପରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଦୁଇ ମୃତକ ଯୁବକ ହେଉଛନ୍ତି ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବଡପଦର ଆଦିବାସୀ ଗ୍ରାମର ବିନୟ ଶବର ଓ ମନୁ ଶବର । ସରକାରୀ ବସ ଧକ୍କାରେ ଜଣଙ୍କ ମୃତ୍ୟୁ ବରଣ ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅଞ୍ଚଳବାସୀ ପୋଲସରା ବ୍ଲକ୍ କାର୍ଯ୍ୟାଳୟ ଅଭିମୁଖେ ଆସୁଥିବା ବେଳେ ପ୍ରଶାସନ ସେମାନଙ୍କୁ ଲୁଣିଘାଟି ପଡିଆ ନିକଟରେ ଅଟକାଇ ବିକ୍ଷୋଭକାରିଙ୍କ ସହ ଆଲୋଚନା କରିଥିଲେ । ସମାଧାନ ନହେବାରୁ ଅଧିକ କ୍ଷତିପୂରଣ ଦାବି କରି ପୋଲସରା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଧାରଣା ଦେଇଥିଲେ । ଯାହା ଫଳରେ ପୋଲସରା-ବୁଗୁଡ଼ା ମୁଖ୍ୟ ସଡ଼କ ପ୍ରାୟ ଅଧଘଣ୍ଟା ଧରି ଅବରୋଧ ହୋଇଥିଲା। ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନର ସୂତ୍ର ବାହାର କରିଥିଲେ । ଦୁଇ ମୃତକଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫୦ ହଜାର ଓ ଓ.ଏସ୍.ଆର.ଟି.ସି ପକ୍ଷରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଉତ୍ତେଜନା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ଉପଖଣ୍ଡ ଅଧିକାରୀ ରଜନୀକାନ୍ତ ସାମଲ, ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର, ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନି, ପୋଲସରା ଆଇଆଇସି କୌଶିକ ମାଝୀ, ପାଣ୍ଡିରୀପଡା ସରପଞ୍ଚ ରଘୁନାଥ ଭୂୟାଁ, ପୂର୍ବତନ ସରପଞ୍ଚ କୈଳାଶ ମହାରଣା ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ