ବାଂଲା ହାସିନା ଯୁଗର ଅବସାନ
ଦେଶର ଯୁବଗୋଷ୍ଠୀର ରୋଷର ଶିକାର ହୋଇ ବଙ୍ଗଳା ଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶ ଛାଡି ଚାଲିଯିବାକୁ ବାଧ୍ୟ ହେବା ଦେଶର ରାଜନୈତିକ ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ ବୋଲି କୁହାଯାଇପାରିବ । ତେବେ ବଙ୍ଗଳା ଦେଶର ରାଜନୈତିକ ଇତିହାସରେ ରାଜନୈତିକ ଅସ୍ଥିରତା, ସାମରିକ ବିଦ୍ରୋହ, ଅଶାନ୍ତି କିଛି ନୂଆ ନୁହେଁ । ୧୯୭୧ ମସିହାରେ ବଙ୍ଗଳାଦେଶ ଏକ ସ୍ୱାଧୀନ, ସାର୍ବଭୌମତ୍ୱ ଗଣତାନ୍ତ୍ରୀକ ରାଷ୍ଟ୍ରରେ ପରିଣତ ହେବା ପରେ ଗତ ୫୩ବର୍ଷର ଇତିହାସରେ ଦେଶ ବହୁବାର ସାମରିକ ବିଦ୍ରୋହ ଦ୍ୱାରା ସେନା ଶାସନର ସମ୍ମୁଖୀନ ହୋଇଛି । ଏପରିକି ବଙ୍ଗଳାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହେମାନଙ୍କୁ ପରିବାରର ୪ଜଣ ସଦସ୍ୟଙ୍କୁ ବିଦ୍ରୋହ ଦ୍ୱାରା ହତ୍ୟା କରିଥିଲେ, ଯେଉଁଥିରୁ ହାସିନା ଏବଂ ତାଙ୍କ ଭଉଣୀ ଭାରତରେ ଥିବାରୁ ଅଳ୍ପକେ ବର୍ତିଯାଇ ଥିଲେ । କିନ୍ତୁ ଦେଶରୁ କ୍ଷମତାରେ ଥିବା ଜଣେ ପ୍ରଧାନମନ୍ତ୍ରୀ ଦେଶ ଛାଡି ଚାଲିଯିବା ବା ସେନା ଦ୍ୱାରା ବିତାଡିତ ହେବା ଦେଶରେ ପ୍ରଥମ ଘଟଣା । ଶେଷ ହାସିନାଙ୍କ ୧୫ବର୍ଷର ଶାସନରେ କେବଳ ଅବସାନ ଘଟି ନାହିଁ, ଅୱାମୀ ଲିଗ୍ ଦଳର ଯୁଗ ଶେଷ ହୋଇଛି ବୋଲି କୁହାଯାଇଛି । ଏହା ନିସନ୍ଦେହରେ ଶେଖ ହାସିନା ନିଜ ଗୋଡରେ ନିଜ କୁରାଢୀ ହାଣିଛନ୍ତି । ଗତ ୨୦୦୮ ରୁ ୨୦୨୪ ମଧ୍ୟରେ ଲଗାତାର ୧୫ବର୍ଷର ଶାସନ କାଳରେ ବାଂଲାର ଅର୍ଥନୀତି ସମେତ ବିଭିନ୍ନ କ୍ଷେତ୍ରରେ ବିକାଶ ଲାଭ କରିଛି । ଏପରିକି ୨୦୨୬ ସୁଦ୍ଧା ବିକଶିତ ରାଷ୍ଟ୍ର ଗୋଷ୍ଠୀରେ ସାମିଲ ହେବା ଅଭିମୁଖେ ଅଗ୍ରସର ହେଉଥିଲା । କେବଳ ଏତିକି ନୁହେଁ, ଦକ୍ଷିଣ ଏସିଆ ମହାଦେଶରେ ବାଂଲା ଏକ ଏସିଆନ ଷ୍ଟାର ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ସମର୍ଥ ହୋଇଥିଲା । କିନ୍ତୁ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି, ଯାହାକି ତାଙ୍କ ଶାସନ ପତନର ମୁଖ୍ୟକାରଣ ହୋଇଛି । ବେକାରୀ ସମସ୍ୟା ଏବଂ ଦେଶର ସଂରକ୍ଷଣ ବ୍ୟବସ୍ଥାର ଉଚ୍ଛେଦ ଲାଗି ଗତ ଏକ ମାସରୁ ଉର୍ଦ୍ଧ୍ୱ ଧରି ଲାଗି ରହିଥିବା ଛାତ୍ର, ଯୁବ ଆନ୍ଦୋଳନ ଶେଷରେ ଗଣ ଆନ୍ଦାଳନରେ ପରିଣତ ହୋଇଥିଲା । ଯେଉଁଥିରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ର, ଯୁବକ, ନିରୀହ ନାଗରିକ ଏବଂ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଛି । ଶେଷରେ ମଧ୍ୟ ଦେଶର ସେନା ଆନ୍ଦୋଳନକୁ ସମର୍ଥକ କରିବା ସହ ୪୫ ମିନିଟ୍ ମଧ୍ୟରେ ଦେଶଛାଡି ଚାଲିଯିବା ଲାଗି ସେନାମୁଖ୍ୟ ନିର୍ଦ୍ଦେଶ ଦେଇଥିଲେ । କହିବା ବାହୁଲ୍ୟ ଯେ, ୨୦୦୮ରୁ ଲଗାତାର କ୍ଷମତାସୀନ ଥିବା ହାସିନାଙ୍କ ସମୟରେ ୨୦୧୪, ୨୦୧୮ ଏବଂ ୨୦୨୪ର ନିର୍ବାଚନ ବିବାଦ ମୁକ୍ତ ନଥିଲା । ୨୦୨୪ ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ଉଠିଥିଲା । ଏଥି ସହ ତାଙ୍କର କେତେକ ବିବାଦୀୟ ନୀତି ଏବଂ ଏକଛତ୍ରବାଦୀ ଆଭିମୁଖ୍ୟ ତାଙ୍କର ଲୋକପ୍ରିୟତାକୁ ହ୍ରାସ କରିଥିଲା । ୨୦୧୮ ମସିହାରେ ଏକ କଳା ଆଇନ ଦ୍ୱାରା ଗଣମାଧ୍ୟମ, ସାମାଜିକ ଗଣମାଧ୍ୟର କଣ୍ଠରୋଧ କରିବା ସହ ସ୍ୱାଧୀନ ମତବାଦ ଉପରେ ଅଙ୍କୁଶ ଲଗାଇଥିଲେ । କେବଳ ଏତିକି ନୁହେଁ, ବିକ୍ଷୋଭ, ପ୍ରତିବାଦ ନିଷିଦ୍ଧ କରିବା ସହ ବିରୋଧି ଦଳକୁ ମଧ୍ୟ ଏକ ପ୍ରକାର ନିସ୍ତେଜ କରିଦେଇଥିଲେ । ଯାହାକି ତାଙ୍କ ବିରୁଦ୍ଧରେ ଜନତାଙ୍କ କ୍ରୋଧକୁ ତେଜିୟାନ କରିଥିବାବେଳେ ମହାମାରୀ କରୋନା, ୟୁକ୍ରେନ ରୁଷ ଯୁଦ୍ଧ ଯୋଗୁଁ ଦେଶର ଅର୍ଥନୀତି ମାନ୍ଦାଗସ୍ତ ହେବା ସହ ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ସାଙ୍ଗକୁ ବେକାରୀ ବୃଦ୍ଧି ତାଙ୍କ ଶାସନ ବିରୁଦ୍ଧରେ ଜନମତକୁ ଜାଗ୍ରତ କରିଥିଲା । ବାଂଲା ସ୍ୱାଧୀନତା ଆନ୍ଦୋଳନରେ ମୃତକଙ୍କ ପରିବାରକୁ ସରକାରୀ ଚାକିରୀରେ ଦିଆଯାଇଥିବା ୩୦ ପ୍ରତିଶତ ସଂରକ୍ଷଣ ଉଚ୍ଛେଦ ଦାବିରେ ଦେଶବ୍ୟାପୀ ଛାତ୍ର, ଯୁବକ ତୀବ୍ରତର ହୋଇଥିଲା । ତେବେ ସୁପ୍ରିମକୋର୍ଟ ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ୫ ପ୍ରତିଶତ ଏବଂ ଭିନ୍ନକ୍ଷମଙ୍କ ପାଇଁ ୨ ପ୍ରତିଶତ ସଂରକ୍ଷଣ ଧାର୍ଯ୍ୟ କରିବା ପରେ ଆନ୍ଦୋଳନ ସମ୍ପୂର୍ଣ୍ଣ ଥମି ଯାଇଥିବା ବେଳେ ସପ୍ତାହକ ପରେ ପୁଣି ଉଗ୍ରରୂପ ନେବା ପଛରେ ଦେଶବିରୋଧି ଶକ୍ତି ତଥା ମୌଳବାଦୀ, ଆତଙ୍କବାଦୀ, ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ଚୀନର ଷଡଯନ୍ତ୍ରକୁ ଅସ୍ୱୀକାର କରାଯାଇନପାରେ । ଉଲ୍ଳେଖଯୋଗ୍ୟ ଭାରତ ସହ ହାସିନାଙ୍କର ସମ୍ପର୍କ ନିବିଡ ଥିଲା । ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସୁସମ୍ପର୍କ ପାଇଁ ବହୁ ଚୁକ୍ତି ସ୍ୱାକ୍ଷରିତ ହୋଇଥିବାବେଳେ ଏବେ ବହୁ ପ୍ରକଳ୍ପର କାର୍ଯ୍ୟ ଭାରତ ସହାୟତାରେ ବଙ୍ଗଳାଦେଶରେ ଚାଲିଛି । ବାଂଲା ସହ ଭାରତର ସମ୍ପର୍କ ଏତେ ନିବିଡ ଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ହାସିନା ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ଭାରତକୁ ଆମନ୍ତ୍ରିତ ହୋଇଥିଲେ । ଏବେ ବଙ୍ଗଳାଦେଶରେ ରାଜନୈତିକ ଅସ୍ଥିରତା ଏବଂ ମୌଳବାଦୀ ସକ୍ରୀୟ ହେବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । କହିବା ବାହୁଲ୍ୟ ଯେ, ଗତ ୪ବର୍ଷ ମଧ୍ୟରେ ଭାରତର ପଡୋଶୀ ରାଷ୍ଟ୍ରଭାବେ ବାଂଲା ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହେବାରେ ହେଉଛି ପଂଚମ ରାଷ୍ଟ୍ର । ପୂର୍ବରୁ ଆଫଗାନିସ୍ଥାନ, ପାକିସ୍ଥାନ, ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଅନ୍ୟପକ୍ଷରେ ଅନ୍ୟ ପଡୋଶୀ ରାଷ୍ଟ୍ର ନେପାଳ, ମାଳଦ୍ୱୀପ ସହ ଭାରତର ସମ୍ପର୍କରେ ଅବନତି ଘଟିଛି । ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କୁ ନେଇ ଗଠିତ ଦକ୍ଷିଣ ଏସୀୟ ଆଂଚଳିକ ସହଯୋଗ ସମିତି(ସାର୍କ) ଏକ ପ୍ରକାର ନିଷ୍କ୍ରୀୟ ହୋଇପଡିଛି । ପାକିସ୍ଥାନର ପ୍ରଚ୍ଛନ୍ନ ସହାୟତାରେ ଚୀନ ପଡୋଶୀ ରାଷ୍ଟ୍ରମାନଙ୍କରେ ମୁଣ୍ଡ ପୁରାଇବା ଆରମ୍ଭ କରିଛି, ଯାହାକି ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ । ସେହିପରି ଅତୀତରେ ବାଂଲା ଜାତୀୟ ପାର୍ଟି (ବିଏନପି) ଏବଂ ଜାମାତ-ଇ-ଇସଲାମୀ ସରକାର ଭାରତ ପାଇଁ ସୁଖଦ ନଥିଲା । ଉଲ୍ଲେଖ କରାଯାଇପାରେ ଯେ, ଜାମାତ-ଇ-ଇସ୍ଲାମୀକୁ ହାସିନା ସରକାର ଏକ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଥିଲେ । ଏବେ ହାସିନା ସରକାରର ପତନ ସେନା ମୁଖ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଜାମାତ-ଇ-ଇସ୍ଲାମୀ ଅଂଶ ବିଶେଷ ଥିଲା । ଆହୁରି ମଧ୍ୟ ହାସିନା ଯୁଗର ଅବସାନ ପରେ ବାଂଲାରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ହିନ୍ଦୁଙ୍କ ମନ୍ଦିର ଓ ଘରକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୁଏ । ବଙ୍ଗଳାଦେଶରେ ୨୫ ହଜାରରୁ ହିନ୍ଦୁ ଥିବାବେଳେ ସଂଖ୍ୟାଲଘୁ ଭାବେ ପରିଚିତ । ସେମାନଙ୍କ ସୁରକ୍ଷା ଭାରତ ପାଇଁ ଉଦ୍ବେଗର କାରଣ ଭାବେ ଉଭା ହୋଇଛି । ସେହିପରି ବାଂଲା ସୀମାନ୍ତ ସଂଲଗ୍ନ ପଶ୍ଚିମବଙ୍ଗ, ଆସାମ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ଭାରତ ସରକାର କଡାକଡି କରିଛନ୍ତି । ଭାରତରେ ଉଭୟ ସ୍ଥଳ ଓ ଜଳଭାଗରେ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବା ଆଶଙ୍କାକୁ ମଧ୍ୟ ଅଣ ଦେଖା କରାଯାଇପାରେ । ସେହିପରି ବାଂଲା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ । ବାଂଲାରେ ଅଶାନ୍ତି ଓ ରାଜନୈତିକ ପଟ୍ଟପରିବର୍ତନ ପରିପ୍ରେକ୍ଷୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ହିନ୍ଦୁଙ୍କ ସୁରକ୍ଷା, ଅନୁପ୍ରବେଶ ଓ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ସହମତି ପ୍ରକାଶ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ହାସିନା ଏବେ ଭାରତରେ ଥିବାରୁ ମୌଳବାଦୀ ଗୋଷ୍ଠୀ ଆହୁରି ରକ୍ତମୁଖା ହେବା ସ୍ୱାଭାବିକ । ହାସିନାଙ୍କ ଶାସନର ପତନ ଭାରତ ପାଇଁ ଏକ ବୃହତ କୁଟନୈତିକ ଚ୍ୟାଲେଞ୍ଜ ସଦୃଶ ଉଭା ହୋଇଛି, ଏହା ନିସନ୍ଦେହ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)