ଭୂସ୍ବର୍ଗରେ ରକ୍ତଭୋଜି
କିଏ ବୁଲି ବୁଲି ଉପଭୋଗ କରୁଥିଲେ ପେହଲଗାମର ମନ ଭୁଲାଣିଆ ସୌନ୍ଦର୍ଯ୍ୟ ତ ଆଉ କେଉଁ ପର୍ଯ୍ୟଟକ ନିଜର ପରିବାର ସହିତ ଖୁସିରେ ଖାଉଥିଲେ ଭେଲପୁରୀ। କିଏ ଘୋଡ଼ା ଚଢିବାର ମଜା ନେଉଥିଲେ ତ କିଏ ନିଜ ଆଲବମ୍ ରେ କାଶ୍ମିରୀ ଭ୍ରମଣର ଅଭୁଲା ସ୍ମୁତିକୁ ସାଇତି ରଖିବା ପାଇଁଁ ଫଟୋ ଉଠଉଥିଲେ। ମନରେ ଅଫୁରନ୍ତ ଆନନ୍ଦ ଓ ଖୁସି କାରଣ ବୁଲୁଛନ୍ତି ଭାରତର ଭୂସ୍ବର୍ଗ କାଶ୍ମୀରରେ । କିଏବା ଜାଣିଥିଲା କେଇ ମୁହୁର୍ତ୍ତରେ ଖୁସିର ଦୁନିଆ ପାଲଟିବ ଶ୍ମଶାନ। ହଁ ,ହଠାତ୍ ସବୁ ଖୁସି ଉଭେଇଗଲା । କାହାର ସିନ୍ଦୂର ଲିଭି ଗଲା ତ କିଏ ବାପାମାଆ ଛେଉଣ୍ଡ ହେଇଗଲା । ମଣିଷର ତାଜା ଉଷୁମ ରକ୍ତରେ ଭିଜିଲା ପେହଲଗାମର ମାଟି । ଧର୍ମ ଆଧାରରେ ଫୁଟିଲା ଆତଙ୍କବାଦୀଙ୍କ ବନ୍ଧୁକରୁ ଗୁଳି । ଏହି ଆକ୍ରମଣରୁ ବିଦେଶୀ ପର୍ଯ୍ୟଟକ ବି ବାଦ୍ ପଡ଼ିଲେନି । ମାତ୍ର ସପ୍ତାହେ ତଳେ ଭାରତୀୟ ନେଭିର ଜଣେ ପଦସ୍ଥ ଅଧିକାରୀ ବିନୟ ନରୱଲଙ୍କ ସହିତ ବିବାହର ବନ୍ଧନରେ ବାନ୍ଧି ହେଇଥିବା ନବବିବାହିତା ମହିଳା ହିମାଂଶି ନରୱଲଙ୍କ ସ୍ବାମୀଙ୍କ ମୁଣ୍ଡକୁ ଗୁଳି ମାରିବା ପରେ ପତ୍ନୀକୁ କହିଲେ ଯା ମୋଦୀକୁ କହିଦେବୁ ଏ ଘଟଣା ବିଷୟରେ । ଏ ଛାତିଥରା ଘଟଣା ଟିଭିରେ ଦେଖିବା ପରେ ମନରେ ସ୍ବତଃ ପ୍ରଶ୍ନ ଉଠୁଛି ସତରେ କ’ଣ ଆତଙ୍କବାଦୀଙ୍କର ଧର୍ମ ନାହିଁ ??? ଅଗଷ୍ଟ ୫ ତାରିଖ ୨୦୧୯ ରେ ଭାରତର ଭୂସ୍ବର୍ଗ କୁହାଯାଉଥିବା କାଶ୍ମୀରରୁ ଧାରା ୩୭୦ ହଟିବା ପରେ ୨୦୨୫ ଅପ୍ରିଲ୍ ୨୨ ତାରିଖରେ ଘଟିଲା ମୃତ୍ୟୁର ଭୟଙ୍କର ତାଣ୍ଡବଲୀଳା କାଶ୍ମୀରର ପେହଲଗାମରେ । ଅନେକ ଶବର ଲମ୍ବା ଲାଇନ୍ ବିଛେଇ ହେଇଗଲା ଆତଙ୍କବାଦୀଙ୍କ ବିଭତ୍ସ ନରସଂହାରରେ । ବିଶ୍ଵ ଦେଖିଲା ସୈତାନ୍ ମାନସିକତାର ଉଲଗ୍ନ ନୃତ୍ୟ । ଅଶାନ୍ତ ହେଇଗଲା ମିନି ସୁଇଜରଲ୍ୟାଣ୍ଡ କୁହାଯାଉଥିବା ଶାନ୍ତିର କୁଞ୍ଜବନ ପେହଲଗାମ । ଘଟଣାସ୍ଥଳରେ ଟଳି ପଡିଲେ ଛବିଶି ଜଣ ହିନ୍ଦୁ ପର୍ଯ୍ୟଟକ ଓ ଏହି ବର୍ବରତାରେ ଅତ୍ୟନ୍ତ ଗୁରୁତର ଭାବରେ କ୍ଷତାକ୍ତ ହେଲେ ଅନେକ । ୧୯୪୭ ପାଖରୁ ଚାଲିଛି ଏମିତି ବର୍ବରତା କାଶ୍ମୀରରେ ଧର୍ମ ଆଧାରରେ । ୧୯୯୦ ଦଶକରେ କାଶ୍ମୀରରେ ଯାହା ଘଟିଥିଲା, ସେକଥା ପ୍ରକାଶ କରିବାକୁ ଭାଷା ନାହିଁ । ଅନେକ ବହି ଲେଖାଯାଇଅଛି କାଶ୍ମୀରର ନୃଶଂସ ଗଣହତ୍ୟା, ବର୍ବରତା, ପାଶବିକତା, ଅତ୍ୟାଚାର ଓ ବାଧ୍ୟତାମୂଳକ କାଶ୍ମୀର ପଣ୍ଡିତମାନଙ୍କର ପଳାୟନ ଉପରେ । ନବେ ଦଶକରେ କାଶ୍ମୀରରେ ଘଟିଥିବା ଘଟଣା ବୁଝିବା ପାଇଁ କେବଳ ଦୁଇଟି ବହି ପଢ଼ିଲେ ଯଥେଷ୍ଟ । ଗୋଟିଏ ବହିର ନାମ ” Our Moon has Blood Clots” । ଏହି ବହିଟି ଲେଖିଛନ୍ତି ଜଣେ କାଶ୍ମୀର ପଣ୍ଡିତ ଯାହାଙ୍କ ନାମ ହେଉଛି ରାହୁଲ ପଣ୍ଡିତ ଯେ ନିଜ ଆଖିରେ ଦେଖିଛନ୍ତି ରକ୍ତପାତ, ମୃତ୍ୟୁ, ଧର୍ଷଣ, ନୃଶଂସତା,କୃରତା, ପୋଡ଼ାଜଳା, ଅନ୍ୟାୟ, ଅତ୍ୟାଚାର, ଅବିଚାର ଓ ବ୍ୟଭିଚାରର କରୁଣ ହୃଦୟ ବିଦାରକ ଘଟଣା । ଅନ୍ୟ ବହିଟି ହେଉଛି ” ମାଇଁ Frozen Turbulence in Kashmir” . ଏହି ବହିଟି ଲେଖିଛନ୍ତି ସେତେବେଳେ କାଶ୍ମୀରରେ ଗଭର୍ଣ୍ଣର ଥିବା ଜେ. କେ. ମାଲହୋତ୍ରା ସାହେବ । କାଶ୍ମୀର ଆତଙ୍କବାଦର ପ୍ରକୃତ ସ୍ବରୂପ ଏହି ଦୁଇଟି ବହିରେ ହୃଦୟସ୍ପର୍ଶୀ ଭାବରେ ପ୍ରତିଫଳିତ ହେଇଛି । କାଶ୍ମୀରରେ ଏହି ଗଣହତ୍ୟାର ମାଷ୍ଟର ପ୍ଲାନ୍ ହେଇଥିଲା ପାକିସ୍ତାନରେ । ଶୁଣାଯାଉଛି ଏହି ନରସଂହାରକୁ ବାସ୍ତବ ରୂପ ଦେଇଥିଲା ଦ ରେଜିସ୍ଟାନ୍ସ ଫୋର୍ସ ଯାହା ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଳିବାର ଅଂଶବିଶେଷ। ଏଇଠି ଗୋଟିଏ କଥା ସମସ୍ତଙ୍କ ମନକୁ ସ୍ବାଭାବିକ ଭାବରେ ଆସୁଛି ଯେ ଆତଙ୍କବାଦୀ ମାନେ ପାରାଚୁଟୁ ସାହାଯ୍ୟରେ ହଠାତ୍ ଓହ୍ଲେଇ ପର୍ଯ୍ୟଟକମାନଙ୍କୁ ହତ୍ୟାକରି ଫେରିଗଲେ କି ? ନିଶ୍ଚିତ ଭାବରେ ନୁହେଁ । ସେମାନେ ଏମିତି ଘୃଣ୍ୟ ନିନ୍ଦନୀୟ ଅପରାଧ ଘଟେଇବା ପୂର୍ବରୁ, ନିଶ୍ଚିତ କିଛିଦିନ ସେହି ଅଞ୍ଚଳରେ ରହିଥିବେ ଓ ଏ କ୍ଷେତ୍ରରେ କିଛି ସ୍ଥାନୀୟ ଲୋକ ସେମାନଙ୍କୁ ଅକୁଣ୍ଠିତ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିବେ । ତେଣୁ ଆତଙ୍କବାଦୀଙ୍କ ଠାରୁ ଅଧିକ ଦାୟୀ ସେହି ସ୍ଥାନୀୟ ଦେଶଦ୍ରୋହୀ ମାନେ । ପାକିସ୍ଥାନ ତା’ର କୁକର୍ମ ପାଇଁ ଦଣ୍ଡ ପାଇବା ସହିତ ଭାରତ ଓ କାଶ୍ମୀର ମାଟିରୁ ଯେଉଁ ଯେଉଁ ସୂତ୍ରରୁ ଆତଙ୍କବାଦୀ ମାନଙ୍କୁ ଯେଉଁ ବ୍ୟକ୍ତିମାନେ ସହାୟତା ଯୋଗେଇ ଦେଉଛନ୍ତି, ଆଗ ସେହିମାନଙ୍କୁ ଉଚିତ୍ ଶିକ୍ଷା ମିଳିବା ଉଚିତ୍ । ନିଜ ଘର ଠିକ୍ ରହିଲେ, ଭାରତ ବିରୋଧରେ ପାକିସ୍ତାନର ପରୋକ୍ଷ ଯୁଦ୍ଧ ଆପଣାଛାଏଁ ଅନେକାଂଶରେ ଅସଫଳ ହେବ । ଭାରତ ଓ କାଶ୍ମୀର ମାଟିରେ ରହି ଯେଉଁମାନେ ପାକିସ୍ତାନ ପ୍ରରୋଚିତ ଆତଙ୍କବାଦ ଓ ସନ୍ତ୍ରାସବାଦକୁ ଲୁଚିଛପି ସମର୍ଥନ କରୁଛନ୍ତି, ସେମାନେ କେମିତି ବୁଝି ପାରୁ ନାହାଁନ୍ତି ଯେ ବିଶ୍ବ ଦରବାରରେ ଆତଙ୍କବାଦର ଏନ୍ତୁଡ଼ିଶାଳ ଭାବରେ ପାକିସ୍ତାନର ବେଶ୍ ଦୁର୍ନାମ ରହିଛି ବୋଲି । ସବୁଜାଣି କିଛି ଲୋକଙ୍କର ଏତେ ପାକିସ୍ତାନ ପ୍ରେମ ଉଛୁଳି ପଡୁଛି କାହିଁକି ? ଏଭଳି ଅମଣିଷ ମାନଙ୍କୁ ଓ ଏଭଳି ଅମାନୁଷିକ ,ନାରକୀୟ,
କାପୁରୁଷୋଚିତ ଜଘନ୍ୟ ହତ୍ୟାକାଣ୍ଡକୁ ସତରେ ଭାଷା ନାହିଁ ବର୍ଣ୍ଣନା କରିବାକୁ । ଏକଥା ବି ବୁଝି ହୁଏନି ପାକିସ୍ତାନର ଭାଷା କହୁଥିବା କିଛି ଲୋକ ସତରେ ନିଜ ମାଆ ଓ ମାତୃଭୂମିକୁ କେତେ ଭଲ ପାଆନ୍ତି ।
କାଶ୍ମୀରର ଅର୍ଥନୀତି ବହୁ ଭାବରେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ । ତେଣୁ କାଶ୍ମୀର ପ୍ରଦେଶର ଯେଉଁ ବ୍ୟକ୍ତିମାନଙ୍କର ପରିବାର ପର୍ଯ୍ୟଟକମାନଙ୍କ ପଇସାରେ ନିଜର ଭରଣପୋଷଣ କରୁଥିଲେ, ସେମାନେ ଏବେ କରିବେ କ’ଣ । ଏହି ଘଟଣା ପରେ, ନିଶ୍ଚିତ ଭାବରେ କାଶ୍ମୀରକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବ । ପର୍ଯ୍ୟଟକ ନଆସିଲେ, କିଛି ଲୋକଙ୍କର ଘରେ ଚୁଲି ଜଳିବନି । ଅର୍ଥାଭାବ ଯୋଗୁ ଶିକ୍ଷାରୁ ବଞ୍ଚିତ ହେବେ ସେମାନଙ୍କ ପିଲାଛୁଆ । କଙ୍କଡ଼ାକୁ ଗୋଳିଆ ପାଣି ସୁହାଇଲା ଭଳି ଆତଙ୍କବାଦକୁ ସମର୍ଥନ ଦେଉଥିବା ଶାଗୁଣା ମାନେ କଅଁଳ ବୟସରେ ପିଲାଙ୍କ ହାତରେ ଧରେଇଦେବେ ପଥର । ସେମାନେ ହେବେ ଆତଙ୍କବାଦୀ । ପାକିସ୍ଥାନକୁ ସୁଯୋଗ ମିଳିବ ବିଶ୍ବ ଦରବାରରେ ଭାରତକୁ ବଦନାମ କରିବା ପାଇଁ ।
୧୯୪୭, ୧୯୬୫ ,୧୯୭୧ ଓ ୧୯୯୯ ରେ ଶୋଚନୀୟ ଭାବରେ ପରାଜୟ ବରଣ କରିଛି ପାକିସ୍ତାନ ଭାରତର ପରାକ୍ରମ ଆଗରେ । ମୁହାଁମୁହିଁ ଯୁଦ୍ଧରେ ବାରମ୍ବାର ହାରିବା ପରେ, ଛାୟା ଯୁଦ୍ଧରେ ଭାରତରେ ରକ୍ତପାତ ଘଟଉଛି । ଏ ସମସ୍ୟାର ସବୁଦିନିଆ ସମାଧାନର ସୂତ୍ର ବାହାର କରିବାଲାଗି, ସମସ୍ତ ସଚେତନ ଶିକ୍ଷିତ ବିବେକୀ ଭାରତୀୟ ମାନଙ୍କୁ ଏକ ହେବାକୁ ପଡ଼ିବ । ରାଜନୈତିକ ଫାଇଦା, ବିଭେଦତାକୁ ପଛରେ ପକେଇ ଆମକୁ ଯବାବ୍ ଦେବାକୁ ହେବ ପବିତ୍ର ଭାରତ ମାଟିରେ ବାସ କରୁଥିବା ଦେଶଦ୍ରୋହୀ ଓ ପାକିସ୍ତାନକୁ । ଯବାବ୍ ଏମିତି ହେବା ଦରକାର ଯେମିତି ଭବିଷ୍ୟତରେ ଏଭଳି ତାଣ୍ଡବ ଘଟେଇବାର ଚିନ୍ତା କରିବାକୁ ପାକିସ୍ତାନ ଦୁସାହସ କରିବନି । ଭାରତର ୧୪୦ କୋଟି ଲୋକଙ୍କ ମନ ଭିତରେ ଜଳୁଥିବା ନିଆଁ ଓ ଭାବାବେଗକୁ ଆଖିରେ ରଖି ଭାରତ ସରକାର କୁଟନୈତିକ, ବାଣିଜ୍ୟିକ ଓ ଅର୍ଥନୈତିକ ସ୍ତରରେ ବେଶ୍ କିଛି ପଦକ୍ଷେପ ନେଇଛନ୍ତି ଯାହା ପାକିସ୍ତାନର ମେରୁଦଣ୍ଡକୁ ଖୁବ୍ ଆଘାତ ଦେବ । ଶାନ୍ତିପ୍ରିୟ ଭାରତ ଯୁଦ୍ଧ ଚାହେଁନି । ଯୁଦ୍ଧର ମାନସିକତା ଥିଲେ, ହୁଏତ ଭାରତ ପେହଲଗାମ ଘଟଣା ଘଟିବାର ପରଦିନ ପାକିସ୍ତାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇ ଥାଆନ୍ତା। ସାମରିକ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ଭାରତ ନେଇଥିବା ଠୋସ୍ ପଦକ୍ଷେପ ପରେ ବାଉଳି ହେଉଥିବା ପାକିସ୍ତାନ ସାମରିକ ଓ ପରମାଣୁ ବୋମାର ଧମକ ଦେଉଛି ଭାରତକୁ । ସାମରିକ ଦୃଷ୍ଟିରୁ ଯଦିଓ ପାକିସ୍ତାନ ଭାରତ ପାଖରେ କିଛି ନୁହେଁ , ତଥାପି ବାହାସ୍ପୋଟ ମାରି ଚାଲିଛି । ଭାରତ ସପକ୍ଷରେ ଆନ୍ତର୍ଜାତିକ ସମୁଦାୟର ସମର୍ଥନ ଓ ଭାରତ ସରକାର ନେଇଥିବା ବେସାମରିକ ପଦକ୍ଷେପରୁ ପାକିସ୍ତାନ ବୁଝିଯିବା ଦରକାର ଭାରତର ମନୋଭାବକୁ । ଏହାପରେ ଯଦି ଭାରତ ଉପରେ ଯୁଦ୍ଧ ଲଦି ଦିଆଯାଏ, ତାହେଲେ ଶାନ୍ତିପ୍ରିୟ ଭାରତ ପାଖରେ ନିଜର ସୁରକ୍ଷା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ ।
ବନ୍ଦେ ମାତରଂ
ଭାସ୍କର ବାରିକ୍
ବାସୁଦେବପୁର, ଭଦ୍ରକ
ଦୂରଭାଷ ୯୪୩୭୩୨୦୩୫୦


