ବାଲେଶ୍ଵର ଜିଲ୍ଲା ମହୋତ୍ସବ କୋଶମ୍ୱ-୨୦୨୫ ର ତୃତୀୟ ସନ୍ଧ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା):କଳା ଓ ସଂସ୍କୃତି ଓଡ଼ିଆ ଜାତିର ଆଧାର ଓ ଆମ ସମାଜର ଭିତ୍ତିଭୂମି । ଓଡ଼ିଶାର ବିଭିନ୍ନ ପାରମ୍ପରିକ କଳାର ପ୍ରଚାର, ପ୍ରସାର ଓ ସଂରକ୍ଷଣର ଲକ୍ଷ୍ୟ ରଖାଯାଇ ଲୋକକଳାକାର ମାନଙ୍କୁ ବ୍ୟାପକ ସୁଯୋଗ ଦେଇ ଓଡ଼ିଆ ଅସ୍ମିତାର ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ କୋଶମ୍ୱ ସର୍ବୋତ୍ତମ ବିକଳ୍ପ ବୋଲି ମୁଖ୍ୟ ଅତିଥି ମାନ୍ୟବର ସାଂସଦ ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋଶମ୍ଭ-୨୦୨୫ ର ତୃତୀୟ ସନ୍ଧ୍ୟାରେ ଉପସ୍ଥିତ ଜନସମାବେଶକୁ ସମ୍ବୋଧନ ଦେଇ ନିଜ ବକ୍ତବ୍ୟ ରଖିଥିଲେ I ସମ୍ମାନିତ ଅତିଥିଭାବେ ମାନ୍ୟବର ଉପାଧ୍ୟକ୍ଷା, ଜ଼ିଲ୍ଲା ପରିଷଦ ଶ୍ରୀମତୀ ଅନୁସୂୟା ପ୍ରଧାନ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀ ବିଶ୍ୱରଞ୍ଜନ ନାୟକ ଓ ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ପ୍ରମୁଖ ମଂଚାସୀନ ଥିଲେ I ପ୍ରଦୀପ ପ୍ରଜ୍ବଳନ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀ ବିଶ୍ୱରଞ୍ଜନ ନାୟକ ମଂଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରି ଥିଲେ I ଏହା ପରେ ଆଜିର ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା I କାର୍ଯ୍ୟକ୍ରମ ଶେଷରେ ଦର୍ଶକଙ୍କ ମନ ମୋହିଥିଲା ଆୟୋଜିତ ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ । ଜାତୀୟସ୍ତରରେ ଖ୍ୟାତିଲାଭ କରିଥିବା କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଯାଦୁଗରି କଣ୍ଠରେ ବିମୋହିତ ହୋଇଥିଲେ ଦର୍ଶକ । ଏହାସହ କଣ୍ଠଶିଳ୍ପୀ ଚୀରାଜଦୀପ ଓ ମଳୟଙ୍କ ସଙ୍ଗୀତରେ ବିଭୋର ହୋଇଥିଲେ ଦର୍ଶକ I