ବିକାଶପଥରେ ଆଗେଇ ଚାଲିଛି ଆସିକା ଏନ୍‍ଏସି

ଆସିକା, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର କେନ୍ଦ୍ରସ୍ଥଳରେ ଅବସ୍ଥିତ ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଆସିକା ସହର ବିକାଶପଥରେ ଆଗେଇ ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍‍ଏସି ପରିସରଭୁକ୍ତ ୧୮ଟି ୱାର୍ଡର ଉନ୍ନୟନମୂଳକ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ସହରାଂଚଳ ବିକାଶ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନ.ନ ବିଭାଗର ବିଭିନ୍ନ ଯୋଜନାକୁ ପାଥେୟ କରି ଜିଲ୍ଲା ପ୍ରଶାସନ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କ ସଂପୁର୍ଣ୍ଣ ସହଯୋଗ ସାଙ୍ଗକୁ ନଗରପାଳିକା ବିନେତା ସ୍ୱାଇଁ, କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‍ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିକାଶର ଧାରା ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଆସିକା ସହରର ଅଧିକାଂଶ ସ୍ଥାନରେ ସ୍ଥାପିତ ହୋଇଥିବା ମୁକ୍ତାକାଶ ଜିମ୍‍, ଆଦର୍ଶ ଶ୍ମଶାନ (ମୋକ୍ଷସ୍ଥଳ) ଓ ସ୍ମାର୍ଟପାର୍କ ସହରବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ପ୍ରାୟ ୬୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଏନ୍‍ଏସି ଅଧୀନସ୍ଥ ୮ ନମ୍ବର ୱାର୍ଡର ଋଷିକୁଲ୍ୟା ନଦୀତଟରେ ନିର୍ମାଣ କରାଯାଇଥିବା ଆଦର୍ଶ ଶ୍ମଶାନରେ ସହରବାସୀ ସେମାନଙ୍କ ମୃତ ଆତ୍ମୀୟଙ୍କ ଶବକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସମ୍ମାନର ସହ ଯେପରି ଦାହ କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଆଦର୍ଶ ଶ୍ମଶାନ ପରିସରରେ ଯମରାଜ ଓ ଦେବାଦିଦେବ ମହାଦେବଙ୍କ ମୁର୍ତ୍ତୀ ସ୍ଥାପନ କରାଯାଇଥିବା ବେଳେ ଶ୍ମଶାନ ପରିସରରେ ସୁନ୍ଦର ଆଲୋକ ବ୍ୟବସ୍ଥା ଠାରୁ ଆରମ୍ଭ କରି ଗାଧୁଆଘର, ପୋଷାକ ପରିବର୍ତ୍ତନ ଗୃହ, ପାନୀୟ ଜଳ ସମେତ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଆସିକା ବିଜୁ ପଟ୍ଟନାୟକ ଛକ ଠାରୁ କଳିଙ୍ଗରୋଡ ମୁଖ୍ୟ ରାସ୍ତା ପାଶ୍ୱର୍ରେ ହୋଇଥିବା ସ୍ମାର୍ଟପାର୍କ, ହାଟପଦାରେ ହୋଇଥିବା ସ୍ମାର୍ଟ, ତାଲୁକା ରୋଡରେ ହୋଇଥିବା ସ୍ମାର୍ଟାପାର୍କ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଯୁବପିଢୀ ମନେରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରତିମୂର୍ତ୍ତିମାନ ସ୍ଥାପନ କରାଯାଇଛି । ଏନ୍‍ଏସି ପ୍ରଶାସନ ପକ୍ଷରୁ ଆସିକା ସହରକୁ ଅଧିକ ସୁନ୍ଦର ଓ ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ସହରର ବିଭିନ୍ନ ସ୍ଥାନରେ ଜନସାଧାରଣ ବ୍ୟାୟାମ କରିବା ପାଇଁ ମୁକ୍ତାକାଶ ଜିମ୍‍ ବ୍ୟବସ୍ଥା ମଧ୍ୟ କରାଯାଇଛି ଯାହା ସହରବାସୀଙ୍କ ମନକୁ ମୁଗ୍ଧ କରୁଛି । ସହରରେ ଥିବା ସ୍ମାର୍ଟପାର୍କ ଗୁଡିକରେ ବିଭିନ୍ନ ଡିଜାଇନ୍‍ର ଘାସ ରୋପଣ କରାଯାଇଥିଲା ବେଳେ ମନୋରଞ୍ଜନ ଭିତ୍ତିକ ଖେଳ ଉପକରଣ ଖଞ୍ଜାଯାଇଛି । ଲୋକେ ବସିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସିମେଣ୍ଟ ଓ ଲୁହା ପ୍ଳେଟରେ ଚେୟାର ସ୍ଥାପନ କରାଯାଇଥିଲା ବେଳେ ହାଇମାକ୍ସ ଆଲୋକ ଦ୍ୱାରା ସହରର ସାହିବସ୍ତି ଆଲୋକିତ ହେଉଛି । ଆସିକା ସହର ଦିନକୁ ଦିନ ସଜେଇ ହେବାରେ ଲାଗିଛି । ଯୁବପିଢୀମାନେ ବିଭିନ୍ନ ପାର୍କ, ଓପନ୍‍ ଜିମ୍‍ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନମାନଙ୍କର ନିଜ ନିଜ ଫଟୋ ଉଠାଇ ସୋସିଆଲ୍‍ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଆସିକା ସହରକୁ ସବୁ ଦିଗରୁ ସୁନ୍ଦର ଏବଂ ଏକ ନମ୍ବର କରିବା ପାଇଁ ଏନ୍‍ଏସି ପକ୍ଷରୁ ଅହରହ ପ୍ରୟାସ ଜାରିରହିଛି । ଏନ୍‍ଏସି ପରିସରଭୁକ୍ତ ବିଭିନ୍ନ ଅଞ୍ଚଳକୁ ନଗରପାଳିକା ବିନେତା ସ୍ୱାଇଁ, କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‍ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ୱାର୍ଡବାସୀଙ୍କ ବିଭିନ୍ନ ସମସ୍ୟା ଓ ସୁବିଧା ଅସୁବିଧା ପଚାରି ବୁଝୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳରେ ଏହି ବିକାଶର ଧାରା ଜାରି ରହିଲେ ଆଗାମୀ ଦିନରେ ଆସିକା ସହର ରାଜ୍ୟର ଏକ ସ୍ମାର୍ଟ ସହରରେ ନିଶ୍ଚିତ ଭାବେ ପରିଗଣିତ ହେବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ