ବିପୁଳ ପରିମାଣର ବାଣ ଜବତ ୨ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ବେଳେ କୁଶପଡ଼ା ଗ୍ରାମର ଏକ ଘରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ମହଜୁଦ ଥିବା ଖବର ମିଳିଥିଲା। ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କୁ ଏନେଇ ସୂଚନା ଦିଆଯିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ କୁଶପଡ଼ା ଗ୍ରାମରେ ଅତର୍କିତ ଚଢାଉ କରି ଏକ ଘର ମଧ୍ୟରୁ ବିପୁଳ ପରିମାଣର ବାଣ ଜବତ କରିଛନ୍ତି। ଏନେଇ କୁଶପଡ଼ା ଗ୍ରାମର ଇ. ସନ୍ତୋଷ କୁମାର ପାତ୍ର ଏବଂ ଇ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପୋଲିସ ଥାନାକୁ ଉଠାଇ ଆଣି ତଦନ୍ତ ଚଳାଇଛନ୍ତି।ଉଭୟ ଅଭିଯୁକ୍ତ ବିନା ଲାଇସେନ୍ସ ରେ ବିକ୍ରି ଉଦ୍ଦେଶ୍ୟରେ ବେଆଇନ ଭାବେ ବିଭିନ୍ନ କମ୍ପାନୀ ନିର୍ମିତ ବାଣ ଓ ହାତ ତିଆରି ଦେଶୀ ବାଣ ଉକ୍ତ ଘରେ ମହଜୁଦ ରଖିଥିବା ଜଣାପଡିଥିଲା।ଜବତ ବାଣର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ଆକଳନ କରାଯାଇଛି।ଏନେଇ ଥାନା ମାମଲା ନଂ.୪୧୭/୨୪ ଏବଂ ୪୧୮/୨୪ ଅନୁଯାୟୀ ଅଭିଯୁକ୍ତ ଦ୍ୱୟ ଙ୍କ ବିରୋଧରେ ପୃଥକ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି କହିଛନ୍ତି।