ବୀର ଚକରା ବିଷୋୟୀଙ୍କ ଜୟନ୍ତୀରେ ଆଲୋଚନା ଚକ୍ର

ବ୍ରହ୍ମପୁର,(ଅନିଲ କୁମାର):ଓଡିଶା ଇତିହାସର ଅନ୍ୟତମ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ଚକରା ବିଶୋଇଙ୍କ ୨୦୨ ତମ ଜୟନ୍ତୀକୁ ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ବିଜିପୁର କମ୍ୟୁନିଟି ହଲ ଠାରେ ଜୟନ୍ତୀ ପାଳନ ଅବସରରେ ସ୍ୱାଧୀନ ଭାରତରେ ସାଧାରଣ ନାଗରିକଙ୍କ ଅଧିକାର ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ୧୮୨୩ ମସିହା ଆଜିର ଦିନ ଶାମ୍ବଦଶମୀରେ ତତ୍କାଳୀନ ଘୁମୁସର ରାଜ୍ୟର ତୋରାବାଡି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଚକରା l ବେଣିଆ କନ୍ଧ ପରିବାରରେ ଜନ୍ମିତ ଚକରାଙ୍କ ପିତାଙ୍କ ନାମ ଶ୍ୟାମ ବିଶୋୟୀ ଓ ମହାନ ବିପ୍ଲବୀ ଦୋରା ବିଶୋଇ, ବକ୍ସି ବିଶୋଇ, ନନ୍ଦ ବିଶୋଇ ଓ ଶଙ୍ଖ ବିଶୋଇ ହେଉଛନ୍ତି ତାଙ୍କ କକା ମାନେ l ପିଲାଟି ବେଳୁ ଚକରା ନିଜ ମା ‘ଙ୍କ ଠାରୁ ବାପା ଓ କକା କିପରି ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ପ୍ରାଣବଳି ଦେଇଛନ୍ତି, ଇଂରେଜ ମାନେ ଆମ ଦେଶର ଲୋକଙ୍କ ଉପରେ କିପରି ଅକଥନୀୟ ଅତ୍ୟାଚାର କରୁଛନ୍ତି ଆଦି ଶୁଣିଥିଲେ l ବିପ୍ଲବୀ ଦୋରା ବିଶୋଇଙ୍କ ମୃତ୍ୟୁ ପରେ ଘୁମୁସରବାସୀ ଚକରାଙ୍କ ସାହାସ ଓ ସେ ଇଂରେଜ ମାନଙ୍କୁ ଘୁମୁସରରୁ ହଟାଇବା ପାଇଁ ଦୃଢ଼ ପ୍ରତିଜ୍ଞା ନେଇଥିବା ଜାଣି, ତାଙ୍କୁ ସମସ୍ତ ଘୁମୁସରବାସୀ ନେତା ରୂପେ ଗ୍ରହଣ କରି ଥିଲେ l ଚକରାଙ୍କ ବିଦ୍ରୋହୀ ଦଳରେ ବହୁ ସଂକ୍ଷକ ଆଦିବାସୀ ଯୁବକ ଓ ଘୁମୁସରର ଦେଶ ପ୍ରେମୀ ପ୍ରଜା ଯୋଗ ଦେଇଥିଲେ l ବର୍ତମାନର ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଜଙ୍ଗଲ ଭିତରେ ଚକରା ଯୁବକ ମାନଙ୍କୁ ଯୁଦ୍ଧ କୌଶଳ ଶିକ୍ଷା ଦେଉଥିଲେ l ଚନ୍ଦ୍ରଗିରିର ଯେଉଁ ସ୍ଥାନରେ ଚକରା ଗୋପନରେ ରହି ତାଙ୍କ ବାହିନୀକୁ ତାଲିମ ଦେଉଥିଲେ, ସେହି ସ୍ଥାନ ଚକରା ଘାଟି ନାମରେ ପରିଚିତ ହୋଇଛି l ଏହା ବ୍ୟତୀତ ଘୁମୁସର ମାଳ ଅଂଚଳରେ ଖାଲେରି, ଦୁର୍ଗାପ୍ରସାଦ ଓ କଳାଧାର ତିନୋଟି ଘାଟି ଇଂରେଜ ସରକାରକୁ ପ୍ରକମ୍ଫିତ କଲା l ପରେ ଏହାକୁ ବ୍ୟାପକ କରି ଚକରା ପାଟଣା, କଳାହାଣ୍ଡି, ବୌଦ ଆଦି ସ୍ଥାନରେ ବିଦ୍ରୋହର ବୀଜ ରୋପଣ କରିଥିଲେ l ଏଥିରେ ପ୍ରଭାବିତ ହୋଇ ପାରଳାଖେମୁଣ୍ଡିରେ ମଧ୍ୟ ବିଦ୍ରୋହର ନିଆଁ ଜଳିଲା l ଏଥିରେ ରାଧାକୃଷ୍ଣ ଦଣ୍ଡସେନା ଅଗ୍ରଣୀ ନେତା ରହିଥିଲେ, କିନ୍ତୁ ପାରଳା ବିଦ୍ରୋହକୁ ଦମନ କରିବାକୁ ଯାଇ ରାଧାକୃଷ୍ଣ ଦଣ୍ଡସେନାଙ୍କୁ ଗିରିଫ କରି ଇଂରେଜ ସରକାର ତାଙ୍କୁ ଫାଶୀ ଦେଇଥିଲା l ବୀର ଚକରା ଘୁମୁସର, ପାରଳାଖେମୁଣ୍ଡି, କଳାହାଣ୍ଡି ଓ ପାଟଣା ଆଦି ସ୍ଥାନରେ ବିଦ୍ରୋହ କରି ଇଂରେଜ ମାନଙ୍କ ହୃତକମ୍ଫ ଜାତ କରାଇଦେଇଥିଲେ l ତାଙ୍କୁ ଧରିବା ପାଇଁ ଇଂରେଜ ସରକାର ବହୁ ଉଦ୍ୟମ କଲା, କେତେ ଗୁପ୍ତଚର ନିଯୁକ୍ତି କଲା, ଧରିବା ପାଇଁ ପୁରସ୍କାର ଘୋଷଣା କଲା l ହେଲେ ଇଂରେଜ ସରକାରଙ୍କ ସବୁ ଯୋଜନା ବ୍ୟର୍ଥ ହେଲା l ବୀର ଚକରାଙ୍କ ପରି ସାହସୀ, ଦେଶପ୍ରେମୀ, ପରାକ୍ରମଶାଳୀ ବ୍ୟକ୍ତି ବିରଳ l ସାରା ଓଡ଼ିଶାର ଲୋକେ କାଳ କାଳ ଲାଗି ତାଙ୍କୁ ମନେ ରଖିବେ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ l ବ୍ରହ୍ମପୁର ସହରର କୌଣସି ମୁଖ୍ୟ ଛକ ଠାରେ ବୀର ଚକରା ବିଶୋଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଆଜି ସଭାରେ ଦାବୀ ହୋଇଛି l ଅନ୍ୟ ମାନଙ୍କ ମଧ୍ୟରେ ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଶିକ୍ଷକ ସଂଘ ନେତା ବିଜୟ କୁମାର ବେହେରା, ସମାଜସେବୀ କବିରାଜ ସାହୁ, ଆପ ନେତା ଆଦିତ୍ୟ ନାରାୟଣ ରଥ, ଦୁର୍ଯ୍ୟୋଧନ ସାହୁ, ବିରେନ କୁମାର ବେହେରା, ସନ୍ତୋଷ କୁମାର ପାତ୍ର, ଅବନୀ ଗୟା ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମାଜସେବୀ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଜଣାଇ ବୀର ଚକରା ବିଶୋଇଙ୍କ ଉଧେଶ୍ୟରେ ନାରା ଦିଆଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ