ଭାଇରାଲ ପାଇଁ ସମାଜସେବୀ
ଦିପ୍ତିମୟୀ ନାୟକ
ଆଜିର ଦୁନିଆରେ ଯିଏ ପ୍ରକୃତ ସମାଜସେବା କରୁଛି ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେବାକୁ ସମୟ ପାଉନି କିନ୍ତୁ ଭାଇରାଲ ହେବା ନିଶାରେ ଯେଉଁମାନେ ନିଜକୁ ସମାଜସେବୀ କହୁଛନ୍ତି ସେମାନଙ୍କ ଠାରେ ସମାଜସେବୀଙ୍କର କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ | ଆଗରୁ ଆପଣମାନେ ସଂଘର୍ଷମୟ ସମାଜସେବୀଙ୍କ ବିଷୟରେ ଶୁଣିଥିବେ କିନ୍ତୁ ଏବେ ଭାଇରାଲ ହେବାପାଇଁ ସମାଜସେବୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖୁଥିବେ | ଯିଏ ସେବା କରୁଛନ୍ତି ସେମାନେ କହିପାରୁନାହାନ୍ତି ଆମେ ସମାଜସେବୀ କିନ୍ତୁ ଯିଏ ସେବା କରୁନାହିଁ ସେ କହୁଛି ମୁଁ ସମାଜସେବୀ | ଯେଉଁମାନେ ସମାଜସେବା କରନ୍ତି ସେମାନଙ୍କୁ ଖୁବ କମ ଲୋକ ଜାଣନ୍ତି ଆଉ ଯେଉଁମାନେ ସେବା କରନ୍ତିନି କ୍ୟାମେରା ଆଗରେ ବଡ଼ ବଡ଼ ଭାଷଣ ମାରନ୍ତି ସେମାନେ ହେଲେ ଆଜିର ଦୁନିଆର ଶ୍ରେଷ୍ଠ ସମାଜସେବୀ | ତେବେ ଏମାନଙ୍କୁ ଲୋକେ କୁହନ୍ତିନି ଏମାନେ ସମାଜସେବୀ | ଏମାନେ ନିଜେ ନିଜେ କ୍ୟାମେରା ଆଗରେ ନିଜକୁ ନିଜେ ସମାଜସେବୀ ବୋଲି କହିଥାଆନ୍ତି | ଆପଣ ଦେଖିଥିବେ ସମାଜସେବୀଙ୍କ ମନରେ ଗର୍ବ ରୁହେନି କିନ୍ତୁ ଭାଇରାଲ ସମାଜସେବୀଙ୍କ ମନରେ ଆତ୍ମଗର୍ବ, ହିଂସାତ୍ମକ ଭାବ, ରାଗ ଭରପୁର ରହିଛି | ହୁଏତ ତରକାରୀ ଗରମ ହେଲେ ଖାଇ ହେଇଯିବ କିନ୍ତୁ ଏମାନଙ୍କ ଗରମ ଦେଖିଲେ ସତେ ଯେମିତି ଭୁବନେଶ୍ୱର ରାଜରାସ୍ତାଟା ରକ୍ତାକ୍ତ ହୋଇଯିବ | ସମାଜସେବୀ ହେବା କୌଣସି ସହଜ କଥା ନୁହେଁ ସର୍ବପ୍ରଥମେ ଏଭଳି ସମାଜସେବୀ ବୁଝିବା ଉଚିତ | ଯଦି ଗୋଟେ ସମାଜସେବୀ ଭିତରେ ଶାଳୀନତା ଭାବ ରୁହେନି ସେ କିଭଳି ସମାଜସେବୀ | ଏମାନଙ୍କୁ ସମାଜସେବୀ କହିଲେ ଭୁଲ ହେବ ଏମାନେ ସମାଜ ପାଇଁ କଳଙ୍କ | କେବଳ ନିଜକୁ ସମାଜସେବୀ କହିଲେ ହେବନି ସମାଜସେବା କରିକି ଦେଖାନ୍ତୁ ନିଜ ଭିତରେ ସରଳତା ଭାବ ରଖନ୍ତୁ | ଆପଣଙ୍କୁ ମଧ୍ୟ ଅନ୍ୟ ଆଗରେ ଚିଲେଇକି କହିବାକୁ ପଡିବନି ଆପଣ ସମାଜସେବୀ ଅନ୍ୟମାନେ ଆପଣଙ୍କୁ ଦେଖୁ ଦେଖୁ କହିଦେବେ ଆପଣ ସମାଜସେବୀ | ସମାଜସେବୀ ନିଜେ ମାଡ ଖାଇଲେ ଗାଲ ଦେଖେଇଦେବେ କିନ୍ତୁ ଅନ୍ୟକୁ ମାଡ ଦେବା କଥା କେବେବି ଚିନ୍ତା କରିବେନି କାରଣ ସେମାନେ ଜାଣନ୍ତି ରାଗକୁ ରାଗରେ ଶୁଝେଇଲେ ସମାଜର କୌଣସି ଉପକାର ହୁଏନି ବରଂ ସମାଜ ପାଇଁ ବିପଦ ମାଡି ଆସିଥାଏ | ସମାଜସେବୀ ସମାଜସେବା କରି ଅନ୍ୟ ମାନଙ୍କର ପ୍ରେରଣାର ଉତ୍ସ ହୋଇଥାନ୍ତି କିନ୍ତୁ ଏପରି ଉତ୍ପାତ ହୋଇନଥାନ୍ତି | ଯାହା ବିଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଏବଂ ଏଥିପାଇଁ ପ୍ରକୃତ ସମାଜସେବୀଙ୍କ ମନରେ ଏକ ଶକ୍ତ ଆଘାତ ଲାଗିଛି | ଯାହାର ଏତେ ହିଂସାତ୍ମକ ଭାବ ଅଛି ସେ କିପରି ଅନ୍ୟର ସେବା କରିବ ଏହା ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି | ପୋଲିସ ପ୍ରଶାସନ କାହିଁକି ଏମାନଙ୍କୁ ହାଜତରେ ଭର୍ତ୍ତି କରୁ ନାହାଁନ୍ତି କଣ ପାଇଁ ଏମାନଙ୍କ ଉତ୍ପାତର ଚରମ ସୀମା ଟପିଛି | କାହିଁକି ଏମିତି ହାତାହାତି ହେଉଛନ୍ତି ଯଦି ପୁଅ ପିଲା ହାତାହାତି ହୁଅନ୍ତି ତେବେ ସେମାନଙ୍କ ପାଇଁ ଜେଲର କାଳ କୋଠରୀ ଖୋଲାଥାଏ କିନ୍ତୁ ଏଭଳି ଉଦଣ୍ଡି ମହିଳାଙ୍କ ବିରୋଧରେ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉନି ତାହାକୁ ନେଇ ଜନସାଧାରଣଙ୍କ ମନରେ ଉଦେବେଗ ପ୍ରକାଶ ପାଇଛି | ସମାଜସେବୀ ମୁହଁରେ ମଧୂର ବଚନ ଥାଏ କିନ୍ତୁ ଏମାନଙ୍କ ମୁହଁରୁ ଏତେ ଅସଭ୍ୟ ଭାଷା ଶୁଣିବାପରେ ଏମିତି ଲାଗୁଛି ଯେମିତି ସମାଜସେବୀଙ୍କ ନାଁରେ ଗୋଟେ ଗୋଟେ କଳଙ୍କ ଦେଖିବାକୁ ମିଳୁଛି | ସମାଜସେବୀଙ୍କୁ ମଧ୍ୟ ଅନୁରୋଧ ଯେଉଁମାନେ ନିଜକୁ ସମାଜସେବୀ କହି ନିଜ ଭିତରେ ଏତେ ହିଂସାତ୍ମକ ଭାବ ରଖିଛନ୍ତି ସେମାନଙ୍କ ବିରୋଧରେ ସ୍ୱର ଉଠାନ୍ତୁ | ଏମିତି ଅସଭ୍ୟ ସମାଜସେବୀଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ହେବାପାଇଁ ପ୍ରଶାସନକୁ ଅନୁରୋଧ କରନ୍ତୁ | ଆଇନ ସମସ୍ତଙ୍କ ପାଇଁ ଯଦି ସମାନ ତେବେ ନିଜକୁ ସମାଜସେବୀ କହି ଆଇନକୁ ହାତ ମୁଠାକୁ ଆଣୁଥିବା ସମାଜସେବୀଙ୍କୁ ମଧ୍ୟ ଦଣ୍ଡ ମିଳିବା ଉଚିତ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର