ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଦେଶର ସମ୍ପତ୍ତିକୁ ବିଦେଶୀ ଓ ଦେଶୀ କମ୍ପାନୀକୁ ବିକ୍ରୀ କରିବା, ଆଦାନୀ ଭଳି କମ୍ପାନୀ ଦେଶର ସମ୍ବଳ ଲୁଣ୍ଠନ କରୁଥିବା ବେଳେ ରାଜ୍ୟର ଡବଲ ଇଞ୍ଜିନ ସରକାର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶ ଛୁଆଁ ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ୭ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆମ ଦେଶର ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କରେ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦେଶ ସ୍ୱାଧୀନ ପାଇଁ ଅନେକ କମ୍ୟୁନିଷ୍ଟ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି । କମ୍ୟୁନିଷ୍ଟ ପାର୍ଟି ପ୍ରଥମେ ପୂର୍ଣ୍ଣ ସ୍ୱରାଜର ପ୍ରସ୍ତାବ ଆଣିଥିଲା । ସ୍ୱାଧୀନତା ସଂଗ୍ରାମ ସମୟରେ ପେଶୱାର ଷଡଯନ୍ତ୍ର, କାନପୁର ଷଡଯନ୍ତ୍ର, ମିରଟ ଷଡଯନ୍ତ୍ର, ଲାହୋର ଷଡଯନ୍ତ୍ର, ଚିଟାଗଞ୍ଜ ଷଡଯନ୍ତ୍ର ଓ କଟକ ଷଡଯନ୍ତ୍ର ମାମଲାରେ କମ୍ୟୁନିଷ୍ଟମାନଙ୍କୁ ଜେଲଦଣ୍ଡ ଦିଆଯାଇଥିବା ବେଳେ ସେମାନଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବା ସହ କଳାପାଣିକୁ ପଠାଇ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ଫାଶୀଖୁଣ୍ଟରେ ଝୁଲିଥିଲେ । ଦେଶ ସ୍ୱାଧୀନ ହେବା ପରେ ସ୍ୱାଧୀନ ଦେଶର ପ୍ରଥମ ଜାତୀୟ ସରକାର ଶିଳ୍ପ ପ୍ରତିଷ୍ଠା କରିବା, ବ୍ୟାଙ୍କ ଜାତୀୟ କରଣ କରିବା, ରାଜାଙ୍କ ହାତ ପାଣ୍ଠି ଉଛେଦ କରିବା, ଭୂସଂସ୍କାର କରାଇବା ଆଦି କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନର ନରେନ୍ଦ୍ର ମୋଦି ସରକାର ଏଦେଶର ସମ୍ପତ୍ତିକୁ ଦେଶୀ ଓ ବିଦେଶୀ କମ୍ପାନୀ ହାତରେ ଟେକି ଦେଉଥିବା ସି.ପି.ଆଇ. ଅଭିଯୋଗ କରିଛି । ଏଣୁ ଭ୍ରଷ୍ଟ ରାହୁ ପୁଞ୍ଜିପତି ଆଦାନୀ ଦେଶର ସମ୍ବଳ ଲୁଣ୍ଠନ ସମ୍ପର୍କରେ ବିଶ୍ୱର ବିଭିନ୍ନ ଦେଶର ବିଚାରାଳୟ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ମୋଦି ସରକାରର ବାହୁଛାୟା ତଳେ ରହି ବିଭିନ୍ନ ସମ୍ବଳ ଲୁଣ୍ଠନ କରିଥିବା ଘଟଣାରେ ଜେପିସି ତଦନ୍ତ କରାଯିବା ସହ ଆଦାନୀ କମ୍ପାନୀର ମୁଖ୍ୟ ଗୈାତ୍ତମ ଆଦାନୀଙ୍କୁ ଗିରଫ କରାଯିବାକୁ ସିପିଆଇ ଦାବି କରିଛି । ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ହେତୁ ଜୀବନ ଧାରଣ ଦୁର୍ବିସହ ହୋଇପଡିଥିବାରୁ ଅବିଳମ୍ବେ ଦରବୃଦ୍ଧି ବନ୍ଦ କରାଯାଉ, ଇଷ୍ଟକୋଷ୍ଟ ରେଳବାଇ ଡିଭିଜନର ବିଭାଜନକୁ ବନ୍ଦ କରାଯାଇ ନୂତନ ଭାବେ ରାଉରକେଲା ଓ ବାଲେଶ୍ୱର ରେଳବାଇ ଡିଭିଜନ ପ୍ରତିଷ୍ଠା କରାଯିବା, ଖାଲି ପଡିଥିବା ବିଭିନ୍ନ ପଦବୀରେ ସମସ୍ତ ବେକାରଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ, କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରାଯିବା, ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବୃହତ ସରକାରୀ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା ସହ ଦେଶର ସାମ୍ପ୍ରଦାୟିକ ବିଦ୍ୱେଶ ସୃଷ୍ଟି ବନ୍ଦ କରାଯାଉ ବୋଲି ସି.ପି.ଆଇ. ଦାବି କରିଛି । ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସି.ପି.ଆଇ.ର ଜିଲ୍ଲା ସାଧାରଣ ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସହ ସମ୍ପାଦକ ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା, ପ୍ରସନ୍ନ କୁମାର ଦାଶ, ହରେକୃଷ୍ଣ ମିର୍ଦ୍ଧା, ନିତ୍ୟାନନ୍ଦ ମିର୍ଦ୍ଧା, ରାଜିବଲୋଚନ ଦଳାଇ, ଶଶଧର ବେହେରା, ଅଜୟ ବାରିକ, ପ୍ରଭାକର ରାଉତ, ପ୍ରଶାନ୍ତ ଚରଣ ଚୁଳି, ସୁଧିର ବେହେରା, ମସି ଦଳାଇ ପ୍ରମୁଖ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ