ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଟେଣ୍ଡରକୁ ବାତିଲ କରାଯାଉ : ୟାସିର ନୱାଜ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଗୁରୁବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ଯେଉଁ କମ୍ପାନୀ ଉପରେ ଭୁବନେଶ୍ୱର ମେଟ୍ରୋ ରେଳପଥ ଦାୟିତ୍ୱ ଅର୍ପଣ କରିଛନ୍ତି, ତାହା ଏକ କଳା ତାଲିକାଭୁକ୍ତ କମ୍ପାନୀ । ଭୁବନେଶ୍ୱର ମେଟ୍ରୋ ରେଲୱେ ନିର୍ମାଣ ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବେ । ଦିଲ୍ଲୀ ମେଟ୍ରୋ ରେଳବାଇ କର୍ପୋରେସନ ପକ୍ଷରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ପାଇଁ ଯେଉଁ ଟେଣ୍ଡର ଆହ୍ୱାନ କରାଯାଇଥିଲା, ସେଥିରେ ପ୍ରଥମ ପର୍ଯ୍ୟାୟ କାମ ପାଇଁ ଗୁଜୁରାଟ କମ୍ପାନୀ ରଞ୍ଜିତ ବିଲ୍‌ଡ଼କନ ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଶ୍ରୀ ନୱାଜ କହିଛନ୍ତି ଯେ, ଭୁବନେଶ୍ୱର ମେଟ୍ରୋ ରେଳବାଇ ଯୋଜନାକୁ ନେଇ ଓଡ଼ିଶା ତଥା ଭୁବନେଶ୍ୱରବାସୀ ବହୁତ ଖୁସି ହେଉଥିଲେ । ମାତ୍ର ଯେଉଁ ରଣଜିତ ବିଲ୍‌ଡ଼କନ କମ୍ପାନୀ ଏହା କାର୍ଯ୍ୟନ୍ୱୟନ ଦାୟିତ୍ୱ ନେଇଛନ୍ତି, ସେହି କମ୍ପାନୀର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ବୋଲି ପ୍ରମାଣିତ ହୋଇଛି । ଏହି କମ୍ପାନୀ ଯେଉଁ ରାଜ୍ୟରେ ବ୍ରିଜ୍‌, ରେଳପଥ ଆଦି ଯାହା ନିର୍ମାଣ କରିଛି, ସେହି କାର୍ଯ୍ୟ ସୁଦୃଢ ଓ ଦୀର୍ଘସ୍ଥାୟୀ ନୁହେଁ ବୋଲି ଜଣାପଡ଼ିଛି ।ରଞ୍ଜିତ ବିଲ୍‌କନ୍ କମ୍ପାନୀ ନିର୍ମାଣ କରିଥିବା ଗୁଜୁରାଟର ମୁମାତପୁରା ବ୍ରିଜ ୨୧ ଡିସେମ୍ବର, ୨୦୨୧ରେ ଭୁଷୁଡ଼ି ପଡ଼ିଲା । ଏଥିପାଇଁ ଅହମ୍ମଦାବାଦ ଅର୍ବାନ ଡେଭଲପମେଣ୍ଟ ଅଥରିଟି ବା ‘ଅଉଡ଼ା’ ଏହି କମ୍ପାନୀକୁ ୩ ବର୍ଷ ପାଇଁ ଅସିଦ୍ଧ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲା । ରଞ୍ଜିତ ବିଲ୍‌କନ ଗୁଜୁରାଟର କୁଚ୍‌ଠାରେ ୱେଷ୍ଟର୍ଣ୍ଣ ରେଳବାଇର ଅହମ୍ମଦାବାଦ ଡିଭିଜନ ଅନ୍ତର୍ଗତ ସମାଖିଆଲି-କିଦ୍ୟାନଗର ରେଳବାଇ ଟ୍ରାକ ନିର୍ମାଣ କରିଥିଲା । ଏହି ଟ୍ରାକ ନିର୍ମାଣରେ ହଜାର ହଜାର ଟନ୍ ବାଲି ଓ ଗ୍ରୀଟ୍ ଷ୍ଟୋନ ବ୍ୟବହାର କରାଯାଇଥିଲା । ମାତ୍ର ୭ ଲକ୍ଷ ଟନ୍ ଖଣିଜ ଦ୍ରବ୍ୟ ବ୍ୟବହାର ପାଇଁ ଏହି କମ୍ପାନୀ ଖଣି ବିଭାଗକୁ ତାର ପ୍ରାପ୍ୟ ଦେୟ ଦେଇଥିବାର ଏକ ଜାଲ୍ ସାର୍ଟିଫିକେଟ ରେଳବାଇରେ ଦାଖଲ କରି କୋଟି କୋଟି ଟଙ୍କାର ଦୁର୍ନୀତିରେ ଛନ୍ଦି ହୋଇ ପଡ଼ିଥିଲା । ଏହି କମ୍ପାନୀ ରାଜକୋଟରେ ଦୁଇଟି ଜଳ ପ୍ରକଳ୍ପର କାର୍ଯ୍ୟଭାର ନେଇଥିଲା । ମାତ୍ର ଏହି ପ୍ରକଳ୍ପକୁ ସମାପନ କରିବାରେ ଦୁଇବର୍ଷ ବିଳମ୍ବ କରିଥିଲା । କମ୍ପାନୀର କାର୍ଯ୍ୟ ମଧ୍ୟ ସଠିକ୍ ନଥିଲା । ସେହିପରି ଗୁଜୁରାଟ ଜଳ ଯୋଗାଣ ବୋର୍ଡ଼ ପକ୍ଷରୁ ମଧ୍ୟ ରଞ୍ଜିତ ବିଲ୍‌କନ୍ ନାମରେ କେସ୍ ରହିଛି । ଏଥିରେ ଅଭିଯୋଗ ହେଉଛି ଯେ, କମ୍ପାନୀର କାର୍ଯ୍ୟ ଏବଂ କମ୍ପାନୀ ଯେଉଁ ପାଇପ୍ ଲାଇନ ବିଛାଇଥିଲା, ତାହା ଅତ୍ୟନ୍ତ ନିମ୍ନମାନର ଥିଲା । ଏହି କମ୍ପାନୀ ଏହାର ଦୁଇଟି ଶାଖା କମ୍ପାନୀ ମିଶି ୧୫ କୋଟି ଏବଂ ପରେ ୭ କୋଟି ଏବଂ ଅନ୍ୟ ସମୟରେ ବହୁ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିଜେପି ଦଳ ପାଇଁ ଦେଇଥିଲା । ଯାହାଫଳରେ ଅହମ୍ମଦାବାଦ ମ୍ୟୁନିସିପାଲିଟର ଏକ ଫ୍ଲାଏ ଓଭର ବ୍ରିଜ ପାଇଁ ୧୦୯ କୋଟି ଟଙ୍କାର କାର୍ଯ୍ୟଭାର ପାଇଥିଲା । ଗୁଜୁରାଟର ବିଜେପି ସରକାର ଏହି କମ୍ପାନୀକୁ ସବୁବେଳେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଆସିଛନ୍ତି । କେବଳ ସେତିକି ନୁହେଁ, ମଧ୍ୟପ୍ରଦଶେ ସରକାର ମଧ୍ୟ ଏହି କମ୍ପାନୀ ବିରୁଦ୍ଧରେ କେସ୍ କରିଛନ୍ତି । ସାରା ଦେଶରେ ଏବଂ ଗୁଜୁରାଟରେ ଯେଉଁଠାରେ ଏହି କମ୍ପାନୀ ନିର୍ମାଣ କାର୍ଯ୍ୟ କରିଛି, ତାହା ଉପରେ ଅଭିଯୋଗ ହୋଇଛି ଏବଂ ଏହା ଅତି ନିମ୍ନମାନର ବୋଲି ପ୍ରମାଣିତ ହୋଇଛି ।ସୟଦ ୟାସିର ନୱାଜ ଦାବି କରିଛନ୍ତି ଯେ, ଓଡ଼ିଶା ସରକାର ଏହି ଅସାଧୁ ଓ କଳା ତାଲିକାଭୁକ୍ତ କମ୍ପାନୀ ରଞ୍ଜିତ ବିଲ୍‌କନକୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଦାୟିତ୍ୱ ଦିଅନ୍ତୁ ନାହିଁ । ଯେଉଁ ଟେଣ୍ଡର ସମ୍ପୂର୍ଣ୍ଣ ହୋଇଛି, ତାହାକୁ ବାତିଲ୍ କରାଯାଉ । ଯେହେତୁ ନିର୍ମାଣକାରୀ କମ୍ପାନୀ ଏକ ଅସାଧୁ କମ୍ପାନୀ ଏବଂ ଏହାର ନିର୍ମାଣ କାର୍ଯ୍ୟରେ ବିପଦ ଭରି ରହିଛି । ବମିଖାଲ ଓଭରବ୍ରିଜ୍ ତିନିଥର ଭୁଷୁଡ଼ି ତିନିଜଣ ମରିବା ଘଟଣା ଭୁବନେଶ୍ୱରବାସୀ ଦେଖିଛନ୍ତି । ତେଣୁ ସେହିଭଳି ମେଟ୍ରୋ ରେଳବାଇର କାର୍ଯ୍ୟ ଜାଣିଶୁଣି ନିମ୍ନମାନର କରିବା ପାଇଁ ଏକ କଳା ତାଲିକାଭୁକ୍ତ କମ୍ପାନୀ ହାତରେ ଟେକି ନଦିଆଯାଉ । ଯଦି ସରକାର ଏହି ଟେଣ୍ଡରକୁ ବାତିଲ୍ ନ କରନ୍ତି, ଏବଂ ପୁନର୍ବାର ଟେଣ୍ଡର କରାଇ ଏକ ନିର୍ଭରଯୋଗ୍ୟ କମ୍ପାନୀ ଦ୍ୱାରା ଟେଣ୍ଡର ମାଧ୍ୟମରେ ଭୁବନେଶ୍ୱର ମେଟ୍ରୋ ରେଳବାଇ କାର୍ଯ୍ୟ ନକରନ୍ତି, ତେବେ ବ୍ୟପକ ଆନ୍ଦୋଳାନତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । କଂଗ୍ରେସ ଏହି କମ୍ପାନୀକୁ ଭୁବନେଶ୍ୱର ମାଟିରେ କାର୍ଯ୍ୟ କରିବାକୁ ଦେବନାହିଁ । ସରକାର ରଞ୍ଜିତ ବିଲ୍‌କନ କମ୍ପାନୀ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । କାରଣ ଏହି କମ୍ପାନୀ ମେଟ୍ରୋ ରେଳବାଇ ଟ୍ରାକ ନିର୍ମାଣ କଲେ ନିଶ୍ଚିତ ବିପଦର ସମ୍ଭାବନା ରହିଛି । କଂଗ୍ରେସ ଓଡ଼ିଶା ସରକାରଙ୍କର ଏତାଦୃଶ ଜନବିରୋଧି ଭୂମିକାକୁ ସହ୍ୟ କରିବ ନାହିଁ ବୋଲି ଶ୍ରୀ ନୱାଜ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ଉଦିତ ପ୍ରଧାନ, ପ୍ରକାଶ ଜେନା ଏବଂ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ