ମଣ୍ଡି ଅବ୍ୟବସ୍ଥା ନେଇ ତାତିଲେ ଚାଷୀ, ରାସ୍ତାଉପରେ ଧାନ ବସ୍ତା ରଖି ପ୍ରତିବାଦ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଲ୍ୟାମ୍ପସ ଅନ୍ତର୍ଗତ ରାଜୋଡା ମଣ୍ଡିରେ ଅବ୍ୟବସ୍ଥା । କଟନୀ ଚଟନୀ ବିବାଦରୁ ଉଠି ପାରୁନି ଚାଷୀଙ୍କ ଧାନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ସୋମବାର ରାଜ ରାସ୍ତାଉପରେ ଧାନ ବସ୍ତା ରଖି ପ୍ରତିବାଦ କରିଛନ୍ତି । ମଣ୍ଡିରେ ଧାନ କିଣା ନଯିବାରୁ ଏହାକୁ ବିରୋଧ କରି ନବରଙ୍ଗପୁର କୋଷାଗୁମୁଡ଼ା ରାଜରାସ୍ତା ରେ ଯାତାୟତ ବନ୍ଦ କରିଥିଲେ ରାଜୋଡା ଅଞ୍ଚଳର ଚାଷୀ । କୋଷାଗୁମୁଡା ଲ୍ୟାମ୍ପସର ରାଜୋଡା ମଣ୍ଡିରେ ଦୀର୍ଘ ଦିନ ହେବ ୨୪୫ ଜଣ ଚାଷୀଙ୍କ ୨୩୭୬୧ ବସ୍ତା ଧାନ ବିକ୍ରି ନ ହୋଇ ଶୀତ କାକରରେ ପଡି ରହିଛି । ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ଲାଗିରହିଥିବା କଟନୀ ଛଟନୀ ବିବାଦରୁ ଉଠିପାରୁନଥିଲା ଚାଷୀଙ୍କ ଧାନ । ଏନେଇ ଚାଷୀ ମାନେ ବହୁ ବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ କେହି କର୍ଣପାତ କରୁନଥିବାରୁ ଆଜି କୋଷାଗୁମୁଡା-ନବରଙ୍ଗପୁର ଭାୟା ମୋଦେଇଗାଁ ମୁଖ୍ୟ ରାଜରାସ୍ତାରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ । ଫଳରେ ଗାଡି ମଟର ବନ୍ଦ ରହି ଯାତାୟତ ସମ୍ପୂର୍ଣ ଠପ ରହିଥିଲା । ଶେଷରେ ପ୍ରଶାସନ ତରଫରୁ ନବରଙ୍ଗପୁର ଅରିରିକ୍ତ ସିଏସଓ ମିଲନ କୁମାର ମାଝୀ, ସହକାରୀ ସିଏସଏସଓ ପୂର୍ଣ ଚନ୍ଦ୍ର ଦାସ, କୋଷାଗୁମୁଡା ଯୋଗାଣ ନିରିକ୍ଷକ, କୋଷାଗୁମୁଡା ଲ୍ୟାମ୍ପସ ପରିଚାଳକ, ମିଲର୍ସ ସଂଘ ସଭାପତି ପ୍ରତିବାଦ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଆସନ୍ତା କାଲି ସୁରୁଖୁରୁରେ ଧାନ କିଣା ଯିବା ସହ ଧାନ ଉଠିବା ନେଇ ପ୍ରତିଶୃତି ଦେବାପରେ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା ।